www.samajalive.in
Monday, November 17, 2025
17.1 C
Bhubaneswar

ଚମ୍ପିଆନ ମହିଳା ଦଳକୁ ୫୧ କୋଟି ପୁରସ୍କାର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌‌ରେ ହରାଇ ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମଥର ବିଶ୍ବକପ୍‌‌ କ୍ରିକେଟ ଚମ୍ପିଆନ୍‌ ହୋଇଛି। ମହିଳା କ୍ରିକେଟର ଯେକୌଣସି ଫର୍ମାଟରେ ଏହା ଭାରତର ପ୍ରଥମ ଟାଇଟଲ। ଏହି ବିିଜୟ ଭାରତୀୟଙ୍କୁ ଉତ୍ସବ ମୁଖର କରିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଭାରତୀୟ ମହିଳାଙ୍କ ଏହି କୃତିତ୍ବରେ ମସ୍‌ଗୁଲ। ଏହି ଐତିହାସିକ, ଯୁଗାନ୍ତକାରୀ ଓ ସ୍ମରଣୀୟ ସଫଳତା ଲାଗି ଭାରତୀୟ କ୍ରିକେଟ ଦଳକୁ ବିଶ୍ବର ଧନଶାଳୀ କ୍ରିକେଟ୍‌ ବୋର୍ଡ ବିସିସିଆଇ ପକ୍ଷରୁ ୫୧ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛି। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏହି ଘୋଷଣା କରି କହିଛନ୍ତି, ଏହି ପୁରସ୍କାର ରାଶି ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌‌ଙ୍କୁ ଦିଆଯିବ। ଦଳର ଖେଳାଳି ଓ ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାରଙ୍କୁ ୨.୫ରୁ ୩ କୋଟି ଟଙ୍କା ଏବଂ ସହକାରୀ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୨୫ରୁ ୩୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଦେଶରେ ମହିଳା କ୍ରିକେଟ୍‌ର ଉନ୍ନତି ଲାଗି ବିସିସିଆଇ ସମସ୍ତ ପ୍ରକାର ସହଯୋଗ କରିବ।


ପୂର୍ବରୁ ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ମ୍ୟାଚ୍‌‌ ପାରିଶ୍ରମିକ ଓ ପୁରସ୍କାର ଦେବାକୁ ବିସିସିଆଇର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହା ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। କିନ୍ତୁ ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ପୁରସ୍କାର ଦେବାକୁ ସେ ଯେଉଁ ଘୋଷଣା କରିଥିଲେ; ତାହା ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି। ମହିଳା ଦିନିକିଆ ବିଶ୍ବକପ୍‌‌ରେ ଏଥର ପୁରସ୍କାର ରାଶିକୁ ମୋଟ ୧୨୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ନ୍ୟୁଜିଲାଣ୍ଡରେ ଖେଳା ଯାଇଥିବା ୨୦୨୨ ବିଶ୍ବକପ୍‌‌ଠାରୁ ପାଖାପାଖି ୪ ଗୁଣା ଅଧିକ। ଏହି ରାଶି ମଧ୍ୟ ୨୦୨୩ ପୁରୁଷ ବିଶ୍ବକପ୍‌‌ ରାଶିଠାରୁ ଅଧିକ। ୨୦୨୩ ପୁରୁଷ ବିଶ୍ବକପ୍‌‌ରେ ମୋଟ ୮୯ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥର ଚମ୍ପିଆନ୍‌ ଭାରତୀୟ ମହିଳା ଦଳକୁ ପ୍ରାୟ ୪୨ କୋଟି ଓ ଉପବିଜେତା ଦକ୍ଷିଣ ଆଫ୍ରିକାକୁ ୨୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେମିଫାଇନାଲରେ ପରାଜିତ ଦୁଇ ଦଳକୁ ପାଖାପାଖି ୧୧ କୋଟି ଲେଖାଏଁ ଟଙ୍କା ମିଳିଛି। ୨୦୨୨ରେ ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ ୧୨ କୋଟି ଟଙ୍କା ମିଳିଥିଲା। ଏଥର ଏହି ପୁରସ୍କାରକୁ କେଇଗୁଣା ବୃଦ୍ଧି କରାଯାଇଛି। ଆଇସିସି ଓ ବିସିସିଆଇକୁ ଛାଡ଼ି ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ଏବଂ କିଛି ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯିବାକୁ ଘୋଷଣା କରାଯାଇଛି। ପେସ୍‌ ବୋଲର ରେଣୁକା ସିଂହଙ୍କୁ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ରାଜ୍ୟର ପେସ୍‌ ବୋଲର କ୍ରାନ୍ତି ଗୌଡ଼ଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

Hot this week

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

Related Articles

Popular Categories