ଅନୁଗୋଳ: କୃଷି ଜମି ଓ ଜଙ୍ଗଲର ସବୁଜିମା ପାଇଁ ଖ୍ୟାତି ଅର୍ଜନ କରିଥିବା ଅନୁଗୋଳ ଜିଲାର ମାଟି ତଳେ ରହିଛି ଅମାପ ଖଣିଜ ସମ୍ପଦ। ଇଂରେଜ ଶାସନ କାଳରେ ତାଳଚେର ରାଜାଙ୍କ ଅଧୀନରେ ଥିବା ଗୋପାଳପ୍ରସାଦରେ ୧୮୩୭ ମସିହାରେ କୋଇଲା ସନ୍ଧାନ ମିଳିଥିଲା। ଏହା ପରେ ୧୯୬୨ ମସିହାରେ ତାଳଚେର ହାଣ୍ଡିଧୁଆ ଭୂତଳ ଖଣିରୁ ବ୍ୟବସାୟଭିତ୍ତିକ କୋଇଲା ଉତ୍ତୋଳନ କରାଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ତାଳଚେର ଅଞ୍ଚଳର ମାଟିତଳେ ଥିବା ଗଚ୍ଛିତ କୋଇଲାକୁ ନେଇ ଗଢ଼ି ଉଠିଲା କୋଇଲା ଖଣି। ଉନ୍ନତମାନର କୋଇଲା ପାଇଁ ସମଗ୍ର ଦେଶରେ ନିଜର ପରିଚୟ ସୃଷ୍ଟି କରିଛି ତାଳଚେର। ୧୯୯୩ରେ ଢେଙ୍କାନାଳ ଜିଲାରୁ ବିଭାଜିତ ହୋଇ ସ୍ବତନ୍ତ୍ର ଅନୁଗୋଳ ଜିଲାର ମାନ୍ୟତା ପାଇଲା। ଅନୁଗୋଳ ଜିଲାର ଭୂଗର୍ଭରେ କେବଳ ଯେ କୋଇଲା ଅଛି ତାହା ନୁହଁ। ଜିଲାରେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ୨୦୧୮ରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ ଭୂ ଗର୍ଭରେ ରହିଛି କୋଇଲା, ଫାୟାର କ୍ଲେ, କାଇନାଇଟ୍, ଗ୍ରାଫାଇଟ, ଚିନା ମାଟି ତଥା ବିଭିନ୍ନ ପ୍ରକାରର ରତ୍ନପଥର, ମାଙ୍ଗାନିଜ୍ ଓ ଗ୍ରାନାଇଟ ପଥର।
୨୦୨୩ ମସିହାରେ ପ୍ରକାଶିତ ଉକ୍ତ ସର୍ଭେ ରିପୋର୍ଟ ଅନୁସାରେ ଜିଲାରେ ୫୦,୪୦୬ ମିଲିଅନ୍ ଟନ୍ କୋଇଲା ସଂରକ୍ଷିତ ରହିଛି। ସେହିଭଳି ଜିଲାର କଣିହାଁ ବ୍ଲକ ଅନ୍ତର୍ଗତ ବଡ଼ଗୁଣ୍ଡୁରି, କଂସମୁଣ୍ଡା ଓ କିଶୋରନଗର ବ୍ଲକ ଅନ୍ତର୍ଗତ କାକରପାଣି ଓ ଇଚ୍ଛାପୁର ଗାଁରେ ‘ଫାୟାର କ୍ଲେ’ର ସନ୍ଧାନ ମିଳିଛି। ଜିଲାରେ ପ୍ରାୟ ୧.୨୨ ମିଲିଅନ୍ ଟନ୍ ଫାୟାର କ୍ଲେ ଗଚ୍ଛିତ ରହିଛି। ଜିଲାର ପାଲଲହଡ଼ା ବ୍ଲକ ଅନ୍ତର୍ଗତ ମଗରମୁହାଣ ଓ ବାଙ୍କୋଲି ଗାଁରେ ପାଖାପାଖି ୬ ହଜାର ଟନ୍ କାଇନାଇଟ୍ ଗଚ୍ଛିତ ରହିଛି। ଜିଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କମଳପୁର, ଧଣ୍ଡାତୋପା, ଭୂଆଶୁଣିନାଳି, ଅଡ଼େଶ୍ବର, ଗିରିଦା, ଅଖରକଟା, ସାନରୋହିଲା, ନାକ୍ଚି, ଗୋବିନ୍ଦପୁର, ପୋଡ଼ମହଲ, ସିଆରିମଳିହା, ଚେରଖଣ୍ଡି, କରଡ଼ାଗାଡ଼ିଆ, ଧଉରାଗୋଠ, ବ୍ରାହ୍ମଣୀଦେଇ ଓ ପଦ୍ମପୋଖରୀ ଅଞ୍ଚଳରେ ପ୍ରାୟ ୨୫ କିଲୋମିଟର ଲମ୍ବ ଓ ୧୦ କିଲୋମିଟର ଓସାରରେ ଗ୍ରାଫାଇଟ ଗଚ୍ଛିତ ଥିବା ସନ୍ଧାନ କରାଯାଇଛି। ଧଣ୍ଡାତୋପା ଅଞ୍ଚଳରେ ଦେଖାଯାଇଥିବା ଗ୍ରାଫାଇଟ ଉଚ୍ଚମାନର ବୋଲି ଜଣାଯାଇଛି। ଏଥିସହିତ ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ, କଞ୍ଜା ଓ ତଳସିରା ଅଞ୍ଚଳରେ ଗ୍ରାଫାଇଟର ସନ୍ଧାନ ମିଳିଛି। ଜିଲାର ଆଠମଲ୍ଲିକ ଉପଖଣ୍ଡରେ ୨୫୦ ମିଟର ଓ ୧୫୦ ମିଟର ଚଉଡ଼ାରେ ଚିନାମାଟି ଥିବାର ସନ୍ଧାନ ମିଳିଛି। ଜିଲାର ନୂଆଗାଁ, ପରଙ୍ଗ, ବୁରୁବୁରା, କୁଲାଡ଼, କର୍ଣ୍ଣପାଳ ଅଞ୍ଚଳରେ ଗୋଲାପି, ବାଇଗଣି, ଲାଲ, ହଳଦିଆ ରଙ୍ଗର ରତ୍ନପଥରର ସନ୍ଧାନ ମିଳିଛି। ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତଲେଇପଥର, ପଥରତଇଳା ଓ ଅଖରକଟା ଅଞ୍ଚଳରେ ମାଙ୍ଗାନିଜ୍ ଗଚ୍ଛିତ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଏତଦ୍ ଭିନ୍ନ ଜିଲାର ବିଭିନ୍ନ ଅଞ୍ଚଳରେ ଗୃହସଜ୍ଜା ପାଇଁ ଅତି ଉଚ୍ଚମାନର ବିଭିନ୍ନ ପ୍ରକାରର ଗ୍ରାନାଇଟ ପଥର ରହିଛି। ଜିଲା ମଧ୍ୟ ଦେଇ ଯାଇଥିବା ମହାନଦୀ ଓ ବ୍ରାହ୍ମଣୀ ନଦୀର ଅବବାହିକାରେ ଲଘୁ ଖଣିଜ ସମ୍ପଦ ଭରପୁର ମାତ୍ରାରେ ରହିଛି। ତେବେ ବର୍ତ୍ତମାନର ପରିସ୍ଥିତିରେ ଜିଲାରେ ୨ଟି ବନ୍ଦ ଭୂତଳ କୋଇଲା ଖଣି ସହ ୧୪ଟି କୋଇଲା ଖଣିରୁ କୋଇଲା ଉତ୍ତୋଳନ କରାଯାଉଛି। ହାଣ୍ଡିଧୁଆ ଓ ନନ୍ଦିରା ଭୂତଳ ଖଣି ବନ୍ଦ ହୋଇଯାଇଛି। ଜଗନ୍ନାଥ କଲିଏରୀ, ଭରତପୁର, ଅନନ୍ତ, ଲିଙ୍ଗରାଜ, ବଳରାମ, ହିଙ୍ଗୁଳା, ଭୁବନେଶ୍ବରୀ ଆଦି କୋଇଲା ଖଣିଗୁଡ଼ିକରୁ ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ଦ୍ବାରା ଉତ୍ତୋଳନ କରାଯାଉଛି। ଅନ୍ୟପକ୍ଷେ ଉତ୍କଳ ବି-୧, ଉତ୍କଳ ବି-୨ କୋଇଲା ଖଣି ଘରୋଇ କମ୍ପାନୀ ଦ୍ବାରା ଉତ୍ତୋଳନ କରାଯାଉଛି। ଉତ୍କଳ-ଡି ଓ ଉତ୍କଳ-ଇରେ ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ଦ୍ବାରା ଉତ୍ତୋଳନ କରାଯାଉଛି।



