ନାଳନ୍ଦା ବିଶ୍ବବିଦ୍ୟାଳୟରେ ଆଚାର୍ଯ୍ୟ ଦୀପଙ୍କରଙ୍କ ବହୁତ ଯଶ, ସମ୍ମାନ ଥିଲା। ଅଧ୍ୟୟନ-ଅଧ୍ୟାପନା ହିଁ ତାଙ୍କ ଜୀବନର ସର୍ବସ୍ବ ଥିଲା। ଦିନେ ରାତିରେ ଦୀପାଲୋକରେ ଅଧ୍ୟୟନ କରୁଥିବା ସମୟରେ କେତେବେଳେ ତାଙ୍କର ଆଖିପତା ଲାଗିଯାଇଥିଲା ଜାଣି ପାରିନଥିଲେ। ନିଦ୍ରିତ ଅବସ୍ଥାରେ ସେ ଏକ ଅଦ୍ଭୁତ ସ୍ବପ୍ନ ଦେଖିଲେ- ସମ୍ମୁଖରେ ଅତି ଆକର୍ଷଣୀୟ ମୁଦ୍ରାରେ ତଥାଗତ ଉପବେଶନ କରିଛନ୍ତି। ନେତ୍ର କରୁଣାରେ ପରିପୂର୍ଣ୍ଣ। ଅଧରରେ ଲାଗି ରହିଥିଲା ସ୍ମିତହସ। ତଥାଗତଙ୍କୁ ଦେଖି ଦୀପଙ୍କର ବାରମ୍ବାର ତାଙ୍କର ପାଦତଳେ ପଡ଼ି ନିଜକୁ କୃତାର୍ଥ ମଣିଲେ। ତଥାଗତ ହସିହସି ପଚାରିଥିଲେ ‘ଦୀପଙ୍କର! ଏତେ ରାତିରେ ତୁମେ କ’ଣ କରୁଛ?’ ‘ଭଗବାନ! ମୁଁ ଧର୍ମ, ତତ୍ତ୍ବମୀମାଂସା, ଦର୍ଶନ- ଏହି ସବୁ ପଢ଼ୁଛି।’ ‘ସେ ସବୁ କ’ଣ ତୁମେ ବୁଝିପାରୁଛ ନା ଖାଲି ପଢ଼ୁଛ?’ ‘ଅବଶ୍ୟ ବୁଝି ପାରୁଛି ଭଗବାନ’- ଦୀପଙ୍କର ଦୃଢ଼ ଆତ୍ମବିଶ୍ବାସ ସହକାରେ କହିଥିଲେ। କିଛିକ୍ଷଣ ନୀରବ ରହି ତଥାଗତ ପଚାରିଥିଲେ – ‘ତୁମେ ଖାଲି ଶବ୍ଦାର୍ଥ ବୁଝୁଛ ନା ସେସବୁ ଉପଲବ୍ଧି କରୁଛ?’
ଜ୍ଞାନୀ ଦୀପଙ୍କରଙ୍କ ପାଇଁ ଏଭଳି ଏକ ପ୍ରଶ୍ନ ସମ୍ପୂର୍ଣ୍ଣ ନୂଆ ଥିଲା। ବର୍ଷବର୍ଷ ଧରି ନାଳନ୍ଦା ବିଶ୍ବବିଦ୍ୟାଳୟର ଛାତ୍ରମାନଙ୍କୁ ପାଠ ପଢ଼ାଇଛନ୍ତି। ଅନେକ ବିଦ୍ବାନଙ୍କ ସହ ଶାସ୍ତ୍ରାର୍ଥ ଆଲୋଚନା କରିଛନ୍ତି। ବହୁ ବିଦ୍ବାନଙ୍କୁ ଶାସ୍ତ୍ରାର୍ଥ ଆଲୋଚନାରେ ପରାଜିତ କରିଛନ୍ତି। ହେଲେ ଏଭଳି ପ୍ରଶ୍ନ ପୂର୍ବରୁ ତାଙ୍କୁ କେହି ପଚାରି ନଥିଲେ। ହଜାର ହଜାର ବିଦ୍ୟାର୍ଥୀଙ୍କ ଜିଜ୍ଞାସା ସମାଧାନ କରିଥିବା ଦୀପଙ୍କର ଏହି ପ୍ରଶ୍ନରେ ନିଜକୁ ଅପ୍ରତିଭ ମନେ କଲେ। ଅସହାୟ ଭାବରେ ଦୀପଙ୍କର ତଥାଗତଙ୍କ ଆଡ଼କୁ ଅନାଇ କହିଥିଲେ- ‘ଭଗବାନ! ମୁଁ କେବଳ ଶବ୍ଦାର୍ଥ ହିଁ ବୁଝି ପାରୁଛି। ଉପଲବ୍ଧି କରିବା ଶକ୍ତି ମୋଠାରେ ନାହିଁ।’ ଆଚାର୍ଯ୍ୟ ଦୀପଙ୍କରଙ୍କ ଏଭଳି ନିର୍ଭୀକ, ସ୍ପଷ୍ଟ ଉତ୍ତରରେ ତଥାଗତ ଆଶୀର୍ବାଦପୂର୍ବକ ତାଙ୍କ ମଥା ଉପରେ ହାତ ରଖିଥିଲେ। ହଠାତ୍ ସ୍ବପ୍ନ ତୁଟିଗଲା। ଦୀପଙ୍କର ନିଦ ଭାଙ୍ଗିଲା। ଜାଣିପାରିଲେ ସେ ପଢ଼ୁଥିବାବେଳେ ଶୋଇଯାଇଛନ୍ତି। ସ୍ବପ୍ନକଥା ଚିନ୍ତା କରି ଶୟନ କକ୍ଷରେ ଅସ୍ଥିର ଭାବରେ ପଦଚାରଣା କରିବାକୁ ଲାଗିଲେ। ଜୀବନରେ ପ୍ରଥମଥର ପାଇଁ ଶବ୍ଦଜ୍ଞାନ ତାଙ୍କୁ ନିରର୍ଥକ ବୋଧ ହେଲା। ମନେମନେ ଭାବିବାକୁ ଲାଗିଲେ ଏତେକାଳ ହେଲା ବିଦ୍ୟାଭ୍ରମରେ ଅବିଦ୍ୟା ହିଁ ଅର୍ଜନ କରିଛି। ଆଖି ଆଗରେ ନାଚି ଉଠିଲା ବୋଧହୁଏ ଏଇଥିପାଇଁ (ଅବିଦ୍ୟାର ଭ୍ରମ ଓ ଅନିତ୍ୟ ସଂସାରରୁ ଦୂରରେ ରହିବାକୁ।) ତଥାଗତ ରାଜ୍ୟ, କ୍ଷମତା ଅନିନ୍ଦ୍ୟସୁନ୍ଦରୀ ପତ୍ନୀ ଗୋପା, ପୁତ୍ର ସନ୍ତାନ, ରାଜୈଶ୍ବର୍ଯ୍ୟ, ସବୁକିଛି ଉପଲବ୍ଧି କରିବା ପରେ ହିଁ କାମନାର ବିଲୁପ୍ତି ନିମନ୍ତେ ସଂସାର ତ୍ୟାଗ କରିଥିଲେ। ଦୀପଙ୍କର ଦୃଢ଼ ହେଲେ। ବାସ୍, ଢ଼େର ହୋଇଯାଇଛି, ଏବେ ସେହି ଅବିଦ୍ୟାକୁ ବିସର୍ଜନ କରିବା ହିଁ ମୋ ପାଇଁ ଶ୍ରେୟସ୍କର ହେବ।



