ଭୁବନେଶ୍ବର, ୨୪ା୧୦ (ନି.ପ୍ର): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡିର ପୂର୍ବତନ ସଭାପତି ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି। ବିକ୍ରମଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଥିବା ଅଭିଯୋଗ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ବ୍ରହ୍ମପୁରେର ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ କରାଯାଇଛି। ଦଳର ବହୁ ରାଜ୍ୟସ୍ତରୀୟ ନେତା ଏହି ବିକ୍ଷୋଭରେ ସାମିଲ ହୋଇ ବିକ୍ରମଙ୍କ ସହ ଦଳ ଦୃଢ଼ ଭାବେ ଛିଡ଼ା ହୋଇଥିବା ବାର୍ତ୍ତା ଦେଇଛନ୍ତି। ଅନ୍ୟପକ୍ଷରେ ବିକ୍ରମଙ୍କ ଗିରଫ ପ୍ରସଙ୍ଗରେ ଏଯାଏଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁହଁ ଖୋଲିନାହାନ୍ତି। ଦଳର ଜଣେ ବରିଷ୍ଠ ନେତା ତଥା ଜିଲା ସଭାପତିଙ୍କୁ ହତ୍ୟା ଭଳି ସଙ୍ଗିନ ମାମଲାରେ ଗିରଫ କରାଯାଇଥିବାବେଳେ ରାଜ୍ୟ ସଭାପତି ହୋଇ ନବୀନ ନିରବ ରହିବା ଚର୍ଚ୍ଚାର ବିଷୟ ହୋଇଛି।
ବିକ୍ରମଙ୍କୁ ପୁଲିସ ଗିରଫ କରିବା ଦିନଠାରୁ ଦଳୀୟ ନେତା ତାଙ୍କ ସପକ୍ଷରେ ବାହାରିଛନ୍ତି। ଏପର୍ଯ୍ୟନ୍ତ ଦଳ ବିକ୍ରମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ବିକ୍ରମଙ୍କ ଗିରଫକୁ ଦଳ ଷଡ଼ଯନ୍ତ୍ରର ଆଖ୍ୟା ଦେଉଥିବାରୁ ତାଙ୍କୁ ଦଳ ନିଲମ୍ବନ କିମ୍ବା ବହିଷ୍କାର କରିବା ପ୍ରଶ୍ନ ଏବେ ଉଠୁନି। ଅନ୍ୟପକ୍ଷରେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ତାରକା ପ୍ରଚାରକ ତାଲିକାରେ ଥିଲେ ବିକ୍ରମ। ୪୦ ଜଣିଆ ତାଲିକାର ୨୬ ନମ୍ବରରେ ଥିଲା ତାଙ୍କ ନାମ। ସେ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥାନ୍ତେ। ହେଲେ ଏହାପୂର୍ବରୁ ସେ ଗିରଫ ହୋଇଛନ୍ତି। ବିକ୍ରମଙ୍କ ଗିରଫ ପ୍ରତିବାଦରେ ଦଳୀୟ ନେତା ତୁମ୍ବିତୋଫାନ କରୁଥିବାବେଳେ ସଭାପତି କାହିଁକି ନିରବ ଅଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ବିଗତ କିଛିଦିନ ହେଲା ମହିଳା ନିର୍ଯାତନାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ନବୀନ ସାମାଜିକ ଗଣମାଧ୍ୟମରେ ନିଜର ମତ ରଖି ଆସୁଛନ୍ତି। ପ୍ରତିଟି କଥାରେ ସରକାରଙ୍କୁ ନିଶାଣ କରୁଛନ୍ତି। ହେଲେ ବିକ୍ରମଙ୍କ ପ୍ରସଙ୍ଗରେ ନବୀନ ଏପର୍ଯ୍ୟନ୍ତ ଧାଡ଼ିଏ ବାର୍ତ୍ତା ରଖି ନାହାନ୍ତି।



