www.samajalive.in
Monday, December 8, 2025
27.1 C
Bhubaneswar

ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ‘ସ୍ବପ୍ନର ଦଶନ୍ଧି’

କଟକ: ବ୍ରିଟିଶ ସରକାରଙ୍କ କଟକଣା ଠାରୁ ଆରମ୍ଭ କରି ଦେଶର ଜରୁରିକାଳୀନ ସ୍ଥିତି ଦେଖିଛି ‘ସମାଜ’। ପ୍ରାରମ୍ଭରେ ଦେଶର ସ୍ବାଧୀନତା ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା। ପରବର୍ତ୍ତୀ କାଳରେ ସାମାଜିକ, ଆର୍ଥିକ ଉନ୍ନତି ଏବଂ ସାଂସ୍କୃତିକ ସଚେତନତା କ୍ଷେତ୍ରରେ ଏହା ସରକାରଙ୍କ ସହ ବୃହତ୍ତର ସମାଜକୁ ପ୍ରେରଣା ଦେଇଛି। ଓଡ଼ିଶାବାସୀଙ୍କୁ ଦେଶ ସେବା ପାଇଁ ପ୍ରବର୍ତ୍ତାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସାମ୍ବାଦିକତାକୁ ଏକ ବୃତ୍ତି ଭାବେ ନ ଦେଖି କର୍ତ୍ତବ୍ୟ ଏବଂ ଦାୟିତ୍ବ ଭାବରେ ନିର୍ବାହ କରୁଥିଲେ। ସେ ଯେଭଳି ବିଭିନ୍ନ କ୍ଷେତ୍ରରେ ରାଷ୍ଟ୍ରସେବା କରିଛନ୍ତି, ଅନ୍ୟ କେଉଁ ରାଜ୍ୟ ହୋଇଥିଲେ ଗୋପବନ୍ଧୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯାଇସାରନ୍ତାଣି। ‘ସମାଜ’ ମାଧ୍ୟମରେ ସମାଜର ଉନ୍ନତି ପାଇଁ ଏହା ଥିଲା ତାଙ୍କର ଏକ ଯଜ୍ଞ। ସେ ସଂସ୍କାର, କରୁଣା ଏବଂ ଜାଗରଣର ଏକ ଉପକରଣ ଭାବେ ‘ସମାଜ’କୁ ବ୍ୟବହାର କରୁଥିଲେ। ‘ସମାଜ’କୁ ଛାଡ଼ି ଓଡ଼ିଶା ବିଷୟରେ ଚିନ୍ତା କରିହେବ ନାହିଁ। ଏହା କେବଳ ଖବରକାଗଜ ନୁହେଁ; ଏକ ଆନ୍ଦୋଳନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ‘ସମାଜ’ର ୧୦୬ତମ ସ୍ବନକ୍ଷତ୍ର ଦିବସ ପକ୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଗଣମାଧ୍ୟମ ହେଉଛି ସମାଜର ଦର୍ପଣ। ସମ୍ପ୍ରତି ଏହାର ପ୍ରାସଙ୍ଗିକତା ଗୁରୁତ୍ବପୂର୍ଣ୍ଣ। ସରକାର ଏବଂ ଗଣମାଧ୍ୟମର ଲକ୍ଷ୍ୟ ହେଉଛି ଜନକଲ୍ୟାଣ। କାର୍ଯ୍ୟ ପ୍ରଣାଳୀ ଭିନ୍ନ ହେଲେ ମଧ୍ୟ ଦେଶ ଓ ରାଜ୍ୟର ପ୍ରଗତି ପାଇଁ କାର୍ଯ୍ୟ କରନ୍ତି। ତେଣୁ ଗଣମାଧ୍ୟମ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ପୁଣି କହିଲେ, ରାଜନୈତିକ ଇଚ୍ଛାଶକ୍ତି ହେଉ କିମ୍ବା ଦୂରଦୃଷ୍ଟିର ଅଭାବରୁ ଓଡ଼ିଶାରେ ଥିବା ପ୍ରାକୃତିକ ସମ୍ପଦ ଓ ସମ୍ବଳ ଠିକ୍ ଭାବେ ଉପଯୋଗ ହୋଇପାରିନାହିଁ। ଆସନ୍ତା ୧୦ ବର୍ଷ ଓଡ଼ିଶା ପାଇଁ ସ୍ବପ୍ନର ଦଶନ୍ଧି ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରାଯିବ। ପରିକଳ୍ପିତ ସମୃଦ୍ଧ ଓଡ଼ିଶାରେ କୃଷି ଏବଂ ଶିଳ୍ପକୁ ଉପଯୁକ୍ତ ପ୍ରାଧାନ୍ୟ ଦିଆଯିବ। ଶିକ୍ଷାର ଉନ୍ନତି ପାଇଁ ଉତ୍କଳମଣି କାର୍ଯ୍ୟ କରିଥିଲେ।

- Advertisement -

ସେହିଭଳି ରାଜ୍ୟ ସରକାର ମଧ୍ୟ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରାୟ ୩୧ ହଜାର କୋଟି ବଜେଟ କରାଯାଇଛି। ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ସହ ଗୁଣାତ୍ମକ ଶିକ୍ଷାଦାନ କରାଯିବ। ତେଣୁ ସମୃଦ୍ଧ ଓଡ଼ିଶା ଗଠନର ଏହି ଯାତ୍ରାରେ ଗଣମାଧ୍ୟମ ଏକ ଅପରିହାର୍ଯ୍ୟ ଅଂଶୀଦାର ହେବାକୁ ଯାଉଛି। କାରଣ, ପ୍ରତି ମୁହୂର୍ତ୍ତରେ ଗଣମାଧ୍ୟମ ସରକାରଙ୍କୁ ଚେତାଇ ଦେଇଥାଏ। ଗଣମାଧ୍ୟମ ସତ୍ୟର ସନ୍ଧାନ କଲେ ଏହା ଶାସନକୁ ମଜଭୁତ କରେ। ଏହା ନାଗରିକଙ୍କ ଚିନ୍ତାକୁ ବୃଦ୍ଧି କଲେ,ଏହା ପ୍ରଗତିଶୀଳ ନୀତି ଗଠନ କରେ; ଯେତେବେଳେ ଏହା ନବସୃଜନ ପାଳନ କରେ, ଏହା ଜନମାନସକୁ ପ୍ରେରଣା ଯୋଗାଇ ଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଶିଳ୍ପ,ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଲେ, ଗଣମାଧ୍ୟମ ହେଉଛି ସମାଜର ଜାଗ୍ରତ ପ୍ରହରୀ। ଏକ ଦେଶ ବା ରାଜ୍ୟକୁ ଆଗେଇ ନେବାରେ ସରକାରଙ୍କର ଯେତିକି ଗୁରୁ ଦାୟିତ୍ବ ରହିଥାଏ, ଗଣମାଧ୍ୟମର ମଧ୍ୟ ସେତିକି ଦାୟିତ୍ବ ରହିଛି। ସେ ଦିଗରେ ଓଡ଼ିଶାର ସର୍ବପୁରାତନ ଖବରକାଗଜ ‘ସମାଜ’ ନିଜର ଦାୟିତ୍ବ ନିର୍ବାହ କରି ଆସିଛି। ଦେଶର ସ୍ବାଧୀନତା ସଂଗ୍ରାମ ହେଉ ଅବା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନ, ସବୁଥିରେ ପ୍ରମୁଖ ଭୂମିକା ନେଇଛି। ଓଡ଼ିଆ ଭାଷା,ସାହିତ୍ୟ ଏବଂ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ଦିଗରେ ‘ସମାଜ’ର ବଳିଷ୍ଠ ଅବଦାନ ରହିଛି। ନିରପେକ୍ଷ ଖବର ପ୍ରକାଶନରେ ସୀମିତ ନ ରହି, ସେବାର ଏକ ଅନୁଷ୍ଠାନ ପାଲଟିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ତଥା ବିଶ୍ବଭାରତୀ ଶାନ୍ତି ନିକେତନର ପ୍ରାକ୍ତନ ପ୍ରାଧ୍ୟାପକ ଡ.ବୈଷ୍ଣବ ଚରଣ ସାମଲ ନିଜ ଅଭିଭାଷଣରେ କହିଥିଲେ ଯେ,କେବଳ ଦୂରଦୃଷ୍ଟି ଥିବା ବ୍ୟକ୍ତି ସାମ୍ବାଦିକ ହୋଇପାରିବେ। ମୋହଗ୍ରସ୍ତ ନ ହେଲେ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିପାରିବେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେହି ଧାରା ସୃଷ୍ଟି କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ‘ସମାଜ’ରେ ବଜାୟ ରହିଛି। ‘ସମାଜ’ ଓଡ଼ିଆ ଜାତିର ଚିନ୍ତା ଓ ଚେତନାର ବାହକ ହୋଇପାରିଛି। କେବଳ ଏକ ଖବରକାଗଜ ନୁହେଁ ବରଂ ଏହା ଓଡ଼ିଆ ଜାତିର ବିବେକବାଣୀ ବୋଲି ଡ. ସାମଲ କହିଥିଲେ।

ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାର ଉତ୍ସବରେ ସଭାପତିତ୍ବ କରି କହିଥିଲେ, ‘ସମାଜ’ର ଏହି ୧୦୬ ବର୍ଷର ଐତିହାସିକ ଯାତ୍ରା ସତ୍ୟ ଏବଂ ବିଶ୍ବାସର ପ୍ରତୀକ। ବିଚାରର ଆଦାନ ପ୍ରଦାନ, ଜନ ଜାଗରଣ, ସଂସ୍କୃତି ସହ ସାମାଜିକ ସଂସ୍କାରକୁ ସବୁବେଳେ ପ୍ରାଥମିକତା ଦେଇ ଆସିଛି। ସବୁବେଳେ ‘ସମାଜ’ ସତ୍ୟନିଷ୍ଠ, ନିରପେକ୍ଷତା, ସମ୍ବେଦନଶୀଳତାକୁ ଆପଣେଇଛି। ଖବର ପରିବେଷଣ ସହ ସେବା ହେଉଛି ‘ସମାଜ’ର ଉଦ୍ଦେଶ୍ୟ। ୨୦୨୭ ମସିହା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୦ତମ ଜୟନ୍ତୀ ବର୍ଷ। ଓଡ଼ିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତିକରଣ ସହ ଗରିବ କଲ୍ୟାଣ ପାଇଁ ସେ ଅନେକ କାର୍ଯ୍ୟ କରିଯାଇଛନ୍ତି। ତେଣୁ ତାଙ୍କର ଏହି ବିଚାରକୁ କିଭଳି ପ୍ରତି ଜିଲାରେ ପହଞ୍ଚା ଯାଇ ପାରିବ, ସେଥିପାଇଁ ଆଗାମୀ ବଜେଟ୍‌ରେ ସ୍ବତନ୍ତ୍ର ପାଣ୍ଠି ରଖିବାକୁ ଶ୍ରୀ ରାଜକୁମାର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ମନୁଷ୍ୟଙ୍କ ଆୟୁ ସୀମିତ; କିନ୍ତୁ ଏକ ଅନୁଷ୍ଠାନର କୌଣସି ଆୟୁ ନଥାଏ। ତାହା କେବଳ ଆଚରଣ ଏବଂ ନୈତିକ ମୂଲ୍ୟବୋଧ ଉପରେ ନିର୍ଭର କରେ। ଖବରକାଗଜ ସଂସ୍ଥା କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ହୋଇନଥାଏ, ଜନତା ଯେ ପର୍ଯ୍ୟନ୍ତ ଗ୍ରହଣ କରୁଥିବେ ତାହା ବଞ୍ଚି ରହିଥିବ। ସେହିଭଳି ଭାବେ ‘ସମାଜ’ ନିଜର ବିଶ୍ବସନୀୟତା ବଜାୟ ରଖିଛି। ‘ସମାଜ’ରେ ତ୍ୟାଗ ଏବଂ ତ୍ୟାଗୀଙ୍କ ଲମ୍ବା ପରମ୍ପରା ରହିଆସିଛି। ମହାପୁରୁଷଙ୍କ ତପସ୍ୟା,ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଏହି ସଂସ୍ଥା ୧୦୬ ବର୍ଷରେ ପହଞ୍ଚି ପାରିଛି। ନିର୍ଭୀକତାର ସହ ଯେଭଳି ଭାରତ ବିଶ୍ବରେ ଆଗକୁ ବଢ଼ୁଛି, ଅନୁରୂପ ଭାବେ ‘ସମାଜ’ ଖବର ପରିବେଷଣ ଏବଂ ସେବା ମାଧ୍ୟମରେ ଆଗକୁ ବଢ଼ିବ ବୋଲି ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବୀୟ ମତ ଦେଇଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ଅତିଥି ପରିଚୟ ଦେଇ ‘ସମାଜ’ କିଭଳି ସକଳ ଜୀବନରେ ଏକ ଅଂଶ ହୋଇପାରିଛି ତାହା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ‘ ଆମ ପାଠଶାଳା, ଆମ ଦାୟିତ୍ବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ୧୦୬ ବର୍ଷ ପୂର୍ତ୍ତି ଲୋଗୋକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଲାଲା ଲଜପତ ରାୟ ଏବଂ ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କ ଜୀବନୀ ଓ ବିଚାର ଆଧାରିତ ପୁସ୍ତକ ପାଠକାର୍ପଣ ହୋଇଥିଲା। ଶ୍ରେଷ୍ଠ ଖବରଦାତା ଓ ବିଜ୍ଞାପନଦାତାଙ୍କୁ ସମ୍ମାନିତ କରାଯାଇଥିଲା। ‘ସମାଜ’ର ସମ୍ପାଦକ ତଥା କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। ସଭା ଶେଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ କାର୍ଯ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ସୌଭିକ ବିଶ୍ବାଳଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ମୁରବି ଓ ‘ସମାଜ’ର ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories