ସମ୍ବଲପୁର: ସମ୍ବଲପୁର ଦୁର୍ଗାପାଲି ଠାରେ ନିର୍ମିତ ରେଳବାଇ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାର ଅଭିଯୋଗ କରି ଆଇନଜୀବୀ ପ୍ରଶାନ୍ତ ପାଢ଼ୀ ଗତ ମାସ ୨୩ ତାରିଖରେ ଏକ ଅଭିଯୋଗ ପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରିଥିଲେ । ଏଥିପୁର୍ବରୁ ଗତ ମାସ ୧୩ ତାରିଖରେ ଏ ସଂକ୍ରାନ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଭିଜିଲାନ୍ସ, ରେଳବାଇ, ସମ୍ବଲପୁର ଜିଲାପାଳ ସମେତ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀ ମାନଙ୍କୁ ପତ୍ର ଲେଖି ଏହି ନିର୍ମମାନର କାର୍ଯ୍ୟର ତଦନ୍ତ ପାଇଁ ଦାବି କରିଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆ ନଯିବାରୁ ଶ୍ରୀ ପାଢ଼ୀ ଗତ ମାସ ୨୩ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପତ୍ର ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଂଜ୍ଞାନକୁ ନେଇ ଇତି ମଧ୍ୟରେ ପୁର୍ବତଟ ରେଳପଥ ମୁଖ୍ୟାଳୟ, ଭୁବନେଶ୍ୱରକୁ ଚିଠି କରି ଏ ସଂକ୍ରାନ୍ତରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୁଚନାଯୋଗ୍ୟ ଯେ, ସମ୍ବଲପୁରର ଦୁର୍ଗାପାଲି ଦେଇ ଯାଇଥିବା ରେଳପଥ ଉପରେ ନିର୍ମିତ ଓଭର ବ୍ରିଜକୁ ଗତ ମେ ୨୫ ତାରିଖରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ତେବେ ଏହି ଉଦଘାଟନର ମାତ୍ର ୨୪ ଘଣ୍ଟା ନପୁରୁଣୁ ବ୍ରିଜ ଉପରେ ବଡ ବଡ ଗର୍ତ୍ତ ଗୁଡିକ ସୃଷ୍ଟି ହୋଇଥିଲା । ଦୀର୍ଘ ୬ ବର୍ଷ ଧରି ଏହି ବ୍ରିଜର ନିର୍ମାଣ ରେଳବାଇ ଓ ପୁର୍ତ୍ତ ବିଭାଗ ମିଳିତ ଭାବରେ କାର୍ଯ୍ୟ କରିଥିବା ବେଳେ ଏଥିରେ ୬୦ କୋଟି ୪୩ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟ କରାଯାଇଛି ।
ତେବେ ଉଦଘାଟନର ପର ଦିନ ଠାରୁ ଏହି ଫ୍ଲାଇ ଓଭର ବ୍ରିଜର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜର ପାଶ୍ୱର୍ କାନ୍ଥ ଗୁଡିକ ନିକଟରେ କରାଯାଇଥିବା ପିଚୁ ଗୁଡିକ ଉପରେ ଗୋଡ ରଖିଦେବା ମାତ୍ରେ ସେ ଗୁଡିକ ଦବି ବିରାଟ ଗର୍ତ୍ତ ସୃଷ୍ଟି ହେଉଛି ।



