ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଆସନ୍ତା ୧୩ ତାରିଖରେ ମହାନଦୀ ସଂସଦ ବସିବ। ଭୁବନେଶ୍ୱରର ଏକ ହୋଟେଲରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି।
ଓଡ଼ିଶା, ଛତିଶଗଡ଼ରୁ ପ୍ରତିନିଧିମାନଙ୍କ ସହିତ ଦେଶର ବିଭିନ୍ନ ନଦୀର ସୁରକ୍ଷା ନେଇ କାର୍ଯ୍ୟରତ ନେତୃତ୍ବ, ମହାନଦୀ ଟ୍ରିବ୍ୟୁନାଲରେ ନିଯୁକ୍ତ ଅଧିବକ୍ତା, ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟର ଓକିଲ ତଥା ଦେଶର ବିଶିଷ୍ଟ ନଦୀ ବିଶେଷଜ୍ଞମାନେ ଏଥିରେ ଯୋଗଦେବେ। ବିଜେପି, ବିଜେଡି, କଂଗ୍ରେସ ତଥା ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନଙ୍କୁ ମଧ୍ୟ ଏଥିରେ ଯୋଗଦେବାକୁ ନିବେଦନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଭାରତର ଜଳ ମାନବ ଡ ରାଜେନ୍ଦ୍ର ସିଂ, ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ଉପଦେଷ୍ଟା ଇଂ. ଲଳିତ ମୋହନ ପଟ୍ଟନାୟକ, ସଂଯୋଜକ ବିଜୟ ପ୍ରଧାନ, ମନୋଜ ଜେନା, ସଚ୍ଚିକାନ୍ତ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ସରକାର ମଧ୍ୟସ୍ଥତା ଭିତ୍ତିରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ସ୍ବାଗତ କରିବା ସହିତ କେବଳ ସରକାରୀ ବାବୁ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଏହାକୁ ସୀମାବଦ୍ଧ କଲେ ସୁଫଳ ମିଳିବ ନାହିଁ। ମହାନଦୀର ଜଳ ଓ ଏହାର ବେସିନ୍ ସହିତ ଜଡିତ ବିଭିନ୍ନ ବର୍ଗ ଓ ଗୋଷ୍ଠୀ, ସାମାଜିକ ସଂଗଠନ, ରାଜନୈତିକ ଦଳ ଓ ବିଶେଷଜ୍ଞମାନଙ୍କ ଭିତରେ ମଧ୍ୟ ସହମତି ଆସିବା ଦରକାର। ସେଥିପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ସାମ୍ବାଦିକ ସମ୍ମିଳନୀରେ ଡ଼ ରାଜେନ୍ଦ୍ର ସିଂ କହିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମହାନଦୀ ସଂସଦରେ ଆପୋସ ସମାଧାନର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହେବ ଓ ଏହାର ସୁପାରିସଗୁଡ଼ିକୁ କେନ୍ଦ୍ର ଓ ଉଭୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଓଡିଶା ହାଇକୋର୍ଟର ପୂର୍ବତତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟମୂର୍ତ୍ତି ଏଥିରେ ଅଧ୍ୟକ୍ଷତା କରିବେ ବୋଲି ଆବାହକ ଦାସ ଜଣାଇଛନ୍ତି। ଇଣ୍ଡିଆନ ପେନିନସୁଲାର ରିଭର ବେସିନ ଓ ହିମାଲୟନ ରିଭର ବେସିନ କାଉନସିଲ, ଛତିଶଗଡ ନଦୀ ଘାଟି ମୋର୍ଚ୍ଚା, ଗୋଦାବରୀ ଓ କୃଷ୍ଣା କୁଟୁମ୍ବ, ଜଳ ଜନ ଯୋଡ ଅଭିଯାନ ପ୍ରମୁଖ ସଂଗଠନଗୁଡିକ ଏଥିରେ ଯୋଗଦେବେ ବୋଲି ଦାସ କହିଛନ୍ତି।
ଓଡ଼ିଶାର ଅଡଭୋକେଟ ଜେନେରାଲ ଏକ ସାମ୍ବାଦିକ ସମମିଳନୀରେ କହିଲେ “ମହାନଦୀ ଜଳ ବିବାଦ ଏକ କୃତ୍ରିମ ବିବାଦ” – ଏଭଳି ବକ୍ତବ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପ୍ରକ୍ରିୟାର ପରିପନ୍ଥୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ କହିଛି। ବିବାଦ ଯଦି ନାହିଁ, ଆପୋଷ ସମାଧାନର ଆବଶ୍ୟକତା କଣ ରହିଛି ବୋଲି ପ୍ରଶ୍ନ କରାଯାଇଛି। କିଏ ଓ କେମିତି ଏହି ବିବାଦକୁ ନେଇ ରାଜନୈତିକ ରୁଟି ସେକିଛି, ତାହା ଅଲଗା କଥା। କିନ୍ତୁ ବାସ୍ତବରେ ମହାନଦୀ ଜଳକୁ ନେଇ ବିବାଦ ପଛରେ ଯୁକ୍ତିଯୁକ୍ତ କାରଣ ରହିଛି। ତାକୁ ଅବମାନନା କରିବା ଅର୍ଥ ହେଉଛି, ରାଜ୍ୟର ସ୍ୱାର୍ଥକୁ ଛତିଶଗଡ ହାତରେ ଟେକି ଦେବା। ପୁଣି କୁହାଯାଉଛି, ” ଜଳ ବିବାଦ ଟ୍ରିବ୍ୟୁନାଲ ହେଉଛି ଓକିଲ ପୋଷିବା ସଂସ୍ଥା”।
ଆଡଭୋକେଟ ଜେନେରାଲ ଏକ ସାମ୍ବିଧାନିକ ପଦବୀ। ଦେଶର ସମ୍ବିଧାନରେ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ ଏକ ଆଇନ ରହିଛି, ଯାହା ୧୯୫୬ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ ଭାବରେ ଆମେ ଜାଣୁ। ସାମ୍ବିଧାନିକ ପଦବୀର ଥିବା ଜଣେ ବ୍ୟକ୍ତି ସମ୍ବିଧାନର ଧାରାକୁ ଏଭଳି ତାତ୍ସଲ୍ୟ କରିବା କେତେ ଯୁକ୍ତି ଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି।
ମହାନଦୀ ଜଳ ବିବାଦର ସମାଧାନ ଦିଗରେ ମଧ୍ୟସ୍ଥତା ମାଧ୍ୟମରେ ଯଦି ଏହା ସଫଳ ହୁଏ ତେବେ ଏହା ନଦୀ ଜଳ ବିବାଦର ସମାଧାନ ଦିଗରେ ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ବିଶ୍ୱାସ କରେ। ଏ ଦିଗରେ କେନ୍ଦ୍ର ଓ ଉଭୟ ରାଜ୍ୟ ସରକାର ଯତ୍ନଶୀଳ ହେବାକୁ ନିବେଦନ କରାଯାଇଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରବକ୍ତା ପ୍ରସନ୍ନ ବିଷୋୟୀ କହିଛନ୍ତି।



