କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ମିଳିତ ସହଯୋଗରେ ରାଷ୍ଟ୍ରୀୟ ଶିକ୍ଷାନୀତି ଓ ଶିକ୍ଷକ ଶିକ୍ଷା: କାର୍ଯ୍ୟାନ୍ବୟନ ଓ ଭବିଷ୍ୟତ” ବିଷୟରେ ଦିନିକିଆ ସଂଗୋଷ୍ଠୀ ଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ପ୍ରସିଦ୍ଧ ଶିକ୍ଷାବିଦ୍, ପ୍ରାଧ୍ୟାପକ ଓ ଶିକ୍ଷକ ପ୍ରଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ । ସଂଯୋଜକ ଡକ୍ଟର ବି ସି ଦାସ ସଂଗୋଷ୍ଠୀର ଉଦ୍ଦେଶ୍ୟ ଓ ପରିପ୍ରେକ୍ଷ୍ୟ ବ୍ୟାଖ୍ୟା କରିଥିଲେ। ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ସୁଦର୍ଶନ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରି ଇଣ୍ଟିଗ୍ରେଟେଡ୍ ଟିଚର୍ ଏଡ୍ୟୁକେଶନ୍ ପ୍ରୋଗ୍ରାମ୍ (ITEP) ରେ ବେସରକାରୀକରଣ, ଠିକାଭିତ୍ତିକ ନିଯୁକ୍ତି, ଓ ଦୁଇଟି ବିଷୟରେ NET ଯୋଗ୍ୟତାର ଅଭାବ ଭଳି ପ୍ରମୁଖ ଚ୍ୟାଲେଞ୍ଜକୁ ଉଲ୍ଲେଖ କରିଥିଲେ । ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ଚନ୍ଦନ ଚାରାଗଛ ଦେଇ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଶୈକ୍ଷିକ ମହାସଂଘ ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଭେନ୍ସା ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ସଭ୍ୟ ଡଃ ନାରାୟଣ ମହାନ୍ତି ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରିବାରେ ମହାସଂଘ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ସଂଗୋଷ୍ଠୀ ଓ କର୍ମଶାଳା ଆୟୋଜନ କରିଆସୁଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍ ସି ଆର୍ ଟି ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି କହିଲେ ଯେ ‘ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଆଧାରିତ ଭାରତୀୟ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଭାରତକୁ ଜ୍ଞାନ ମହାଶକ୍ତିରେ ପରିଣତହେବାର ସ୍ୱପ୍ନ ସୃଷ୍ଟିକରିପାରିବ’। ସେ କମ୍ପିଟେନ୍ସି ଭିତ୍ତିକ ଶିକ୍ଷା, ସମାନତାମୂଳକ ଓ ସମାବେଶୀ ଶିକ୍ଷା, ସ୍ଥାୟୀ ବିକାଶ ଓ ମଲ୍ଟିଡିସିପ୍ଲିନାରି ପଦ୍ଧତି ଉପରେ ଜୋର ଦେଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏନ୍ ସି ଟି ଇ ସଭ୍ୟ ତଥା ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁଭାଷ ଚନ୍ଦ୍ର ପଣ୍ଡା ରାଷ୍ଟ୍ରୀୟ ଶିକ୍ଷା ନୀତି ୫+୩+୩+୪ ବିଦ୍ୟାଳୟ ଶିକ୍ଷା ସଂରଚନା ଆଧାରିତ ଶିକ୍ଷଣ ପଦ୍ଧତି, ତଦନୁଯାୟୀ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ-ଶିକ୍ଷଣ ପ୍ରଣାଳୀର ସମ୍ମିଳନ, UGC ଓ NCTE ର କ୍ରେଡିଟ୍ ଭିତ୍ତିକ ସମସ୍ୟା, ଓ ITEP ରେ ଦ୍ୱିତୀୟ ସ୍ନାତକୋତ୍ତର ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ‘୪ ବର୍ଷିଆ ଇଣ୍ଟିଗ୍ରେଟେଡ ଶିକ୍ଷକ ଶିକ୍ଷା କରିଥିବା ସ୍ନାତକ ଡିଗ୍ରୀ ଧାରୀ ଦୁଇଟି ବିଷୟରେ ସ୍ନାତକୋତ୍ତର ପଢିବାର ସୁଯୋଗ ପାଇବେ’।
ସମ୍ମାନିତ ବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡଃ ଅନୀଲ କୁମାର ମିଶ୍ର ପିଢ଼ୀ ମଧ୍ୟରେ ବୃଦ୍ଧିଶୀଳ ତଫାତ ଉପରେ ଚର୍ଚ୍ଚା କରି, ଶିକ୍ଷକମାନଙ୍କୁ ନୂଆ ପାଠଦାନ କୌଶଳ, ମନୋଭାବ ପରିବର୍ତ୍ତନ ଓ ଭାରତକେନ୍ଦ୍ରିକ ଜ୍ଞାନ ପ୍ରଦାନ କରିବାର ଆବଶ୍ୟକତା ଉପରେ ଜୋର ଦେଲେ । ସଂଗୋଷ୍ଠୀ ର ପ୍ରମୁଖ ଆକର୍ଷଣ ଭାବେ ପ୍ରଫେସର ପି. କେ. ସାହୁ ଏବଂ ଡଃ ବି ସି ଦାସ ଙ୍କ ଦ୍ଵାରା ସଂପାଦିତ “ଟିଚର ଏଜୁକେସନ ଆଣ୍ଡ ଏନ୍ ଇ ପି-୨୦୨୦” ଶୀର୍ଷକ ଦୁଇ ଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପ୍ରଫେସର ଶରତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶୈକ୍ଷିକ ମହାସଂଘ ର ପ୍ରାଦେଶିକ ସଭାପତି ତଥା ରେଭେନ୍ସା ବିଶ୍ଵବିଦ୍ୟାଳୟ ଭୂଗୋଳ ବିଭାଗ ର ମୁଖ୍ୟ ପ୍ରଫେସର ଶିବବ୍ରତ ଦାସ, ସଂପାଦକ ଡଃ ବିପ୍ଳବ ଗୁରୁ, ଅତିରିକ୍ତ ସଂପାଦକ ଡଃ ଦୀପ୍ତାଂଶୁ ପତି, ରେଭେନ୍ସା ବିଶ୍ଵବିଦ୍ୟାଳୟ ର ପ୍ରାଣୀ ବିଭାଗ ପ୍ରଫେସର ଲୁନା ସାମନ୍ତ, ପ୍ରଫେସର ଉମାକାନ୍ତ ମିଶ୍ର, ପ୍ରଫେସର ପତିତପାବନ ଦାସ ତଥା ଶୈକ୍ଷିକ ମହାସଂଘ ରେଭେନ୍ସା ଚାପ୍ଟର ସଂପାଦକ ଏବଂ ସଂସ୍କୃତ ବିଭାଗ ମୁଖ୍ୟ ଡଃ ଯୁଧିଷ୍ଠିର ସାହୁ, ଉପସଭାପତି ଶ୍ରୀ ରାଜା ପୃଷ୍ଟି, ସହ ସଂପାଦକ ଡଃ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟାନ୍ବୟନ ଓ ଶିକ୍ଷକ ଶିକ୍ଷାର ଭବିଷ୍ୟତ
Popular Categories



