ନବରାତ୍ରିର ଶୁଭ ଅବସରରେ ଆରମ୍ଭ କରାଯାଇଥିବା ଜିଏସ୍ଟି ୨.୦ ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିବ ଏବଂ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଏଥିରେ ଟିକସ ସ୍ଲାବ ଗୁଡ଼ିକୁ ମୁଖ୍ୟତଃ ୫% ଏବଂ ୧୮%ରେ ଏକୀକୃତ କରିବା ସହିତ ବିଳାସପୂର୍ଣ୍ଣ ଏବଂ କ୍ଷତିକାରକ ଦ୍ରବ୍ୟ ପାଇଁ ୪୦% ହାର ରଖିବାକୁ ବ୍ୟବସ୍ଥା କରାଯାଇଛି। ତେବେ ଅନେକ କ୍ଷେତ୍ରରେ ଟିକସ ଛାଡ଼, ଶୂନ୍ୟ-ଟିକସ ସାମଗ୍ରୀ ଏବଂ ସ୍ବତନ୍ତ୍ର ନିୟମଗୁଡ଼ିକର ଉପସ୍ଥିତି ସୂଚାଏ ଯେ ଟିକସ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ବି ବହୁସ୍ତରୀୟ ରହିଛି।
ଅବଶ୍ୟ ଜିଏସଟି ୨.୦ ବ୍ୟବସ୍ଥାରେ ଚାଉଳ, ଗହମ, ଅଟା ଏବଂ ଡାଲି ଭଳି ମୌଳିକ ଅତ୍ୟାବଶ୍ୟକ ସାମଗ୍ରୀ ସବୁକୁ ଶୂନ୍ୟ-ଟିକସ ବର୍ଗରେ ରଖାଯାଇଛି, ତେବେ ଖାଇବା ତେଲ ଉପରେ ୫ ପ୍ରତିଶତ ଜିଏସ୍ଟି ଲାଗୁ ରହିଛି। ତେଣୁ ଏହି ସଂସ୍କାର ମାଧ୍ୟମରେ ରନ୍ଧନ ତେଲର ମୂଲ୍ୟରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ସେହିଭଳି ଘିଅ, ବଟର, ପନିର, ବିସ୍କୁଟ ଏବଂ କଫି ଭଳି ଅନେକ ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ଉଚ୍ଚ ଟିକସ ବ୍ରାକେଟରୁ ୫ ପ୍ରତିଶତ ସ୍ଲାବକୁ ସ୍ଥାନାନ୍ତରିତ ହୋଇଛି, ଯାହା ସେଗୁଡ଼ିକୁ କିଛି ମାତ୍ରାରେ ଶସ୍ତା କରିବ। ତେବେ ଉତ୍ପାଦକ ଏବଂ ଖୁଚୁରା ବ୍ୟବସାୟୀମାନେ ଟିକସ ସଞ୍ଚୟର ଲାଭ ସମ୍ପୂର୍ଣ୍ଣ ଭାବରେ ଉପଭୋକ୍ତାମାନଙ୍କୁ ପ୍ରଦାନ କରୁଛନ୍ତି କି ନାହିଁ ତାହା ଦେଖିବା କଥା। ତେବେ ପରିବାର ବଜେଟ ଉପରେ ଏହାର ପ୍ରକୃତ ପ୍ରଭାବ ଆଶା ତୁଳନାରେ କମ୍ ହୋଇପାରେ। ଏହାର କାରଣ ହେଲା କୌଣସି ଏକ ସାଧାରଣ ଭାରତୀୟ ପରିବାରରେ ଉପରୋକ୍ତ ସାମଗ୍ରୀ ଗୁଡ଼ିକ ତୁଳନାରେ ଇନ୍ଧନ, ସ୍ୱାସ୍ଥ୍ୟସେବା ଏବଂ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ ବ୍ୟୟ ବୃଦ୍ଧି ଅଧିକ ହୋଇଥାଏ। ସେହିପରି ଟେଲିଭିଜନ ଏବଂ ରେଫ୍ରିଜେରେଟର ଭଳି ଉପଭୋକ୍ତା ଦ୍ରବ୍ୟ ଉପରେ ଟିକସ ହ୍ରାସ ସେଗୁଡ଼ିକୁ ନିଶ୍ଚିତ ଅଧିକ ସୁଲଭ କରିବ; ମାତ୍ର ଏହି ସାମଗ୍ରୀରୁ ଏକ ସାଧାରଣ ପରିବାର ସଞ୍ଚୟ କରିବାର ବାସ୍ତବତା ଯଥେଷ୍ଟ କମ୍।
ରାଜସ୍ୱ ଦୃଷ୍ଟିକୋଣରୁ ଦେଖିଲେ, ଅନେକ ସାମଗ୍ରୀକୁ ନିମ୍ନ ଟିକସ ସ୍ଲାବକୁ ସ୍ଥାନାନ୍ତର କରିବା ସ୍ୱଳ୍ପକାଳୀନ ଭାବରେ ସଂଗ୍ରହ ହ୍ରାସ କରିପାରେ। ଏହା ରାଜ୍ୟଗୁଡ଼ିକ ପାଇଁ ସମ୍ଭାବ୍ୟ ଆର୍ଥିକ ଆହ୍ୱାନ ସୃଷ୍ଟି କରିବ। ଏହା ବ୍ୟତୀତ, କ୍ଷୁଦ୍ର ବ୍ୟବସାୟଗୁଡ଼ିକ ପାଇଁ ଟ୍ୟାକ୍ସ ଭରିବାର ବୋଝ, କଥିତ ସରଳୀକରଣ ସତ୍ତ୍ୱେ, ଏକ ଚିନ୍ତାର ବିଷୟ। ରିଟର୍ଣ୍ଣ ଫାଇଲ୍ କରିବା, ଇ-ଇନଭଏସ୍ ପରିଚାଳନା ଏବଂ ଇନପୁଟ୍ କ୍ରେଡିଟ୍ ସମନ୍ୱୟ କରିବା ଭଳି କାର୍ଯ୍ୟଗୁଡ଼ିକ ଜଟିଳ ରହିଛି, ଯାହା ପାଇଁ ଯଥେଷ୍ଟ ସମୟ ଏବଂ ସମ୍ବଳ ଆବଶ୍ୟକ। ଜିଏସ୍ଟି ୨.୦ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ ବାହାରୁ ଶସ୍ତା ଦ୍ରବ୍ୟ ଆମଦାନୀର ବିପଦ ମଧ୍ୟ ଲାଗି ରହିଛି। ଶେଷରେ ଜିଏସ୍ଟି ୨.୦ର ପ୍ରକୃତ ସଫଳତା ଏହାର ଆକର୍ଷକ ଘୋଷଣା ଗୁଡ଼ିକ ଦ୍ୱାରା ନୁହେଁ, ବରଂ ଏହାର କାର୍ଯ୍ୟକାରିତାର ଦକ୍ଷତା ଏବଂ ସ୍ୱଚ୍ଛତା ଦ୍ୱାରା ନିର୍ଣ୍ଣିତ ହେବ। କଠୋର ନିରୀକ୍ଷଣ ଏବଂ ପ୍ରଶାସନିକ ଦକ୍ଷତା ବିନା, ଏହି ସଂସ୍କାରଗୁଡ଼ିକ କେବଳ ଆଂଶିକ ଆଶ୍ୱସ୍ତି ପ୍ରଦାନ କରିପାରେ।



