www.samajalive.in
Friday, December 5, 2025
23.1 C
Bhubaneswar

ଚିନ୍ତାକଳ୍ପ : ଆତ୍ମଘାତୀ ଶତ୍ରୁ

ସତ୍ୟ, ଶାନ୍ତି, ଦୟା, କ୍ଷମା, ଆର୍ଜବ ଆଦି ଦେବୋପମ ଗୁଣାବଳୀକୁ ଅଚିରେ ପୋଡ଼ି ପାଉଁଶ କରିଦେଉଥିବା ରିପୁସମୂହ ହେଲେ କାମ, କ୍ରୋଧ, ମିଥ୍ୟାଚାର, କପଟତା, ଈର୍ଷା, ଅସୂୟା, ପରଶ୍ରୀକାତରତା, ଶଠତା ଇତ୍ୟାଦି। ଏହି ଆସୁରିକ ଶକ୍ତି ଯାହାଙ୍କଠାରେ କିଛି ମାତ୍ରାରେ ଅଛି ସେ ମହାପଣ୍ଡିତ ହେଲେ ମଧ୍ୟ ଜ୍ଞାନଶୂନ୍ୟ, ମୂର୍ଖଠାରୁ ବି ହୀନ। କ୍ରୋଧ ଏଭଳି ଏକ ଶକ୍ତିଶାଳୀ ରିପୁ ଯାହା ଶତ୍ରୁର ଯେତେ ଅନିଷ୍ଟ କରି ନଥାଏ, ତା’ଠାରୁ ଅଧିକ କ୍ଷତି କରିଥାଏ କ୍ରୋଧୀ ବ୍ୟକ୍ତିଙ୍କର, ଅର୍ଥାତ୍‌ ଯିଏ ଏହି ଅସ୍ତ୍ର ନିକ୍ଷେପ କରିଥାନ୍ତି। କ୍ରୋଧର ପ୍ରଳୟଙ୍କରୀ ଶକ୍ତି ବିଷୟରେ ଅବଗତ ଥିବା ମହାମନୀଷୀମାନେ ତେଣୁ ଉଦାତ୍ତ କଣ୍ଠରେ କହିଛନ୍ତି, ଯେତେବେଳେ କ୍ରୋଧରୂପୀ ରିପୁ କବଳିତ ହୋଇଗଲ ସେତେବେଳେ ଗୋଟିଏ  କଥା ନିଶ୍ଚିତ ହୋଇଯିବ- ତାହା ହେଲା ତୁମେ ନିଜ ଉପରେ ହିଁ ସାଙ୍ଘାତିକ ପ୍ରତିଶୋଧ ନେଉଛ। ହଠାତ୍‌ ରାଗି ପ୍ରତିକ୍ରିୟାଶୀଳ ହେବା ପ୍ରବୃତ୍ତି ଯଦି ମଣିଷଠାରେ ନଥାନ୍ତା, ତେବେ ହୁଏତ ମଣିଷର ପ୍ରତିଶୋଧ, ପ୍ରତିହିଂସାପରାୟଣ ଜନିତ କ୍ରିୟାକଳାପ ଅନେକାଂଶରେ କମିଯାଆନ୍ତା।

ସାଧୁ ନଦୀରେ ସ୍ନାନ କରୁଥିଲେ। ଜଣେ ଚାଣ୍ଡାଳ ସେହି ସମୟରେ ନଦୀ ଜଳରେ ପଶି ସାଧୁଙ୍କ ନିକଟରେ ସ୍ନାନ କଲେ। ଚାଣ୍ଡାଳ ଗାଧୋଇବା ସମୟରେ ପାଣିଛିଟା ସାଧୁଙ୍କ ଦେହରେ ପଡ଼ିଲା। ଏଥିରେ ସାଧୁ କ୍ରୋଧରେ ଅଗ୍ନିଶର୍ମା ହୋଇ ପାଣିରୁ ଉଠି ଆସି କୂଳରେ ଠିଆ ହୋଇ ଚାଣ୍ଡାଳକୁ ଗାଳି ଦେଇଥିଲେ। ଅଲକ୍ଷ୍ୟରେ ଏଭଳି ଭୁଲ କରିଥିବାରୁ ଚାଣ୍ଡାଳ ସାଧୁଙ୍କୁ କ୍ଷମା ମାଗିଥିଲେ। ଶାନ୍ତ ହେବା ପାଇଁ ଅନୁନୟ ବିନୟ କରିିଥିଲେ। ସାଧୁ ଏଥିରେ ଆହୁରି ଉତ୍‌କ୍ଷିପ୍ତ ହୋଇ କୂଳରେ ରଖିଥିବା ଯଷ୍ଟି ସାହାଯ୍ୟରେ ମନଇଚ୍ଛା ପିଟିଥିଲେ। ବିଚରା ଚାଣ୍ଡାଳ ନିର୍ବିକାରରେ ମାଡ଼ ସହି ନେଇଥିଲେ। ସାଧୁଙ୍କ ରାଗ ଶାନ୍ତ ହୋଇଗଲା। ଏବେ ମନକୁ ଆସିଲା ଚାଣ୍ଡାଳକୁ ମାରି ମୋର ସମଗ୍ର କାୟା ଅପବିତ୍ର ହୋଇଗଲା। ପୁନଃ ସ୍ନାନ କରିବାକୁ ଯିବାରୁ ଚାଣ୍ଡାଳ ସାଧୁଙ୍କ ସଂକୀର୍ଣ୍ଣ ମନୋଭାବ ନିମନ୍ତେ ଉଚିତ ଶିକ୍ଷାଦେବାକୁ ସ୍ଥିର କରି ତାଙ୍କ ନିକଟକୁ ଯାଇ ସ୍ନାନ କରିଥିଲେ। ସାଧୁ ପୁନଃ ଉତ୍ତେଜିତ ହୋଇ କହିଥିଲେ- ‘କ’ଣ ମୋ ସହ ଥଟ୍ଟା ଖେଳୁଛୁ?’ ଚାଣ୍ଡାଳ ନମ୍ର ଭାବରେ କହିଥିଲା, ‘ନା ମହାଶୟ, କଥା ହେଉଛି ଆପଣଙ୍କ ହୃଦୟରେ ଯେଉଁ କ୍ରୋଧରୂପୀ ଚାଣ୍ଡାଳ ଥିଲା ତାହା ବାଡ଼ି ମାଧ୍ୟମରେ ମୋତେ ସ୍ପର୍ଶ କରି ମୋର ସମଗ୍ର ଶରୀରକୁ ଅପବିତ୍ର କରି ଦେଇଛି। ତେଣୁ ପୁନଃ ସ୍ନାନ କରିବାକୁ ପଡ଼ିଲା।’ ଚାଣ୍ଡାଳଠାରୁ ଏହା ଶୁଣି ସାଧୁଙ୍କ କ୍ରୋଧ ନିଆଁରେ ପାଣି ପଡ଼ିଲା ପରି ଶାନ୍ତ ହୋଇଯାଇଥିଲା। ନିଜ ଭୁଲ ବୁଝିପାରିଥିଲେ ପଣ୍ଡିତେ। ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଜାତି-ଧର୍ମ-ବର୍ଣ୍ଣ ଭେଦରେ କେହି ଚାଣ୍ଡାଳ ହୁଏନାହିଁ, ହୁଏ କ୍ରିୟାକଳାପ ହେତୁ। ବାହାରକୁ ଖୁବ୍‌ ମାର୍ଜିତ ଦେଖାଯାଉଥିଲେ ବି କୁପ୍ରବୃତ୍ତି ସମ୍ପନ୍ନ ମଣିଷ ପ୍ରକୃତ ପକ୍ଷେ ଚାଣ୍ଡାଳ।

- Advertisement -

 

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories