ଭୁବନେଶ୍ବର: ସମବାୟ ବିଭାଗ ଦ୍ବାରା ଗଜପତି, ଝାରସୁଗୁଡ଼ା ଏବଂ ମାଲକାନଗିରି ଜିଲାକୁ ଛାଡ଼ି ଦେଲେ ଅବଶିଷ୍ଟ ୨୭ଜିଲାରେ ଗୋଦାମ ଗୃହ ନିର୍ମାଣ କରାଯିବ। ଗୋଦାମ ଗୃହ ନିର୍ମାଣ ପାଇଁ ଅଧିକାଂଶ ଜିଲାରେ ଜମି ସମସ୍ୟା ରହିଛି। ଜମି ଚିହ୍ନଟ କିମ୍ବା ବିକଳ୍ପ ପ୍ରସ୍ତାବ ଦେବାକୁ ସମବାୟ ସମିତିର ଉପ-ନିବନ୍ଧକ (ଡିଆରସିଏସ)ଙ୍କୁ ନିର୍ଦେଶ ଦିଆଯାଇଛି। କଟକ, ମୟୂରଭଞ୍ଜ, ବଲାଙ୍ଗିର, ଗଞ୍ଜାମ, ଢେଙ୍କାନାଳ, ପୁରୀ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ଦେବଗଡ଼, ବାଲେଶ୍ବର, କେନ୍ଦୁଝର, କନ୍ଧମାଳ ଏବଂ ବୌଦ୍ଧ ଜିଲାରେ ଗୋଦାମ ଗୃହ ନିର୍ମାଣ କରାଯିବ। ୨୦୦ ଟନ୍ କ୍ଷମତା ବିଶିଷ୍ଟ ୮୦ଟି ଗୋଦାମ ନିର୍ମାଣ ହେବ। ଆରଆଇଡିଏଫ୍ ଯୋଜନାରେ ଗୋଦାମ ଘରଗୁଡ଼ିକ ତିଆରି କରାଯିବ। ପାକ୍ସ ଏବଂ ଲାମ୍ପ୍ସଗୁଡ଼ିକ ପାର୍ଶ୍ବରେ ଏହି ଗୋଦାମ ଘରଗୁଡ଼ିକ ନିର୍ମାଣ କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ହେଲେ ଅଧିକାଂଶ ପାକ୍ସ ଏବଂ ଲାମ୍ପ୍ସରେ ଆବଶ୍ୟକ ଜମିର ଅଭାବ ରହିଛି। କଟକ ଜିଲାର କୁଲେଇଲୋ ଏସ୍ସିଏସ୍ରେ ଗୋଦାମ ଘର ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି; କିନ୍ତୁ ଏଠାରେ ଆବଶ୍ୟକ ଜମି ନାହିଁ। ସ୍ଥାନୀୟ ଡିଆରସିଏସ୍ ଆବଶ୍ୟକ ଜମି ଚିହ୍ନଟ କରିବା କିମ୍ବା ବିକଳ୍ପ ପ୍ରସ୍ତାବ ଦେବାକୁ କୁହାଯାଇଛି। କେବଳ କଟକ ଜିଲାରେ ଜମି ଅଭାବ ରହିଛି ତାହା ନୁହେଁ ବରଂ ମୟୂରଭଞ୍ଜ ଜିଲାର ବଡ଼ସାହି ଲାମ୍ପ୍ସରେ ଗୋଦାମ ଘର ନିର୍ମାଣ କରିବାକୁ ଯୋଜନା ଥିବାବେଳେ ଏଠାରେ ବି ଜମି ଅଭାବ ସମସ୍ୟା ମୁଣ୍ଡ ଟେକିଛି।
ସପ୍ତାହକ ଭିତରେ ଡିଆରସିଏସ୍ମାନେ ଜମି ଚିହ୍ନଟ କରିବେ କିମ୍ବା ବିକଳ୍ପ ପ୍ରସ୍ତାବ ବିଭାଗକୁ ଦେବାକୁ ନିର୍ଦେଶ ଦିଆଯାଇଛି। ଯେଉଁଠାରେ ଜମିର ସମସ୍ୟା ନାହିଁ ସେଠାରେ ତୁରନ୍ତ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଓଡ଼ିଶା ରାଜ୍ୟ କୃଷି ବଜାର ପରିଷଦ (ଓଏସ୍ଏଏମ୍) ଏବଂ ୱାଟର ପାୱାର କନ୍ସଲଟାନ୍ସି ସର୍ଭିସେସ୍ (ଡବ୍ଲ୍ୟୁଏପିସିଓଏସ) ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ରହିଛି। ଏ ସଂକ୍ରାନ୍ତରେ ସମସ୍ତ ଡିଆରସିଏସ୍ ଓଏସ୍ଏଏମ୍ ଏବଂ ଡବ୍ଲ୍ୟୁଏପିସିଓଏସ୍ ସହଯୋଗ କରିବାକୁ ନିର୍ଦେଶ ଦିଆଯାଇଛି।
୨୭ ଜିଲାରେ ନିର୍ମାଣ ହେବ ଗୋଦାମ ଗୃହ
Popular Categories



