www.samajalive.in
Friday, December 5, 2025
27.1 C
Bhubaneswar

ଅସାଧାରଣ କୃତଜ୍ଞତା

ଭୁବନେଶ୍ଵର : ପ୍ୟାରିସର ଏକ ହୋଟେଲରେ ସେଦିନ ଜଣେ ବୟସ୍କ ବ୍ୟକ୍ତି ପ୍ରବେଶ କଲେ। ସେ କ୍ଷୁଧାତୁର, କ୍ଲାନ୍ତଶ୍ରାନ୍ତ ବୋଲି ତାଙ୍କର ଧୀରମନ୍ଥର ଚାଲିରୁ ଜଣାପଡ଼ୁଥାଏ। ହୋଟେଲରେ ଖାଇସାରି ଏକ କୋଣରେ ଦ୍ବିଧାଗ୍ରସ୍ତ ସ୍ଥିତିରେ କିଛିକ୍ଷଣ ଠିଆ ହେବାପରେ ଜଣେ ଚପରାସୀଙ୍କୁ ଇଙ୍ଗିତ କରିଥିଲେ ନିଜ ନିକଟକୁ ଆସିବା ପାଇଁ। ତାଙ୍କୁ ହୋଟେଲର ଏକ କୋଣକୁ ନେଇ କହିଥିଲେ- ‘ଭାଇ! ଏବେ ମୁଁ ଗୋଟିଏ ବଡ଼ ସମସ୍ୟାରେ ପଡ଼ି ଯାଇଛି। ପ୍ରକୃତ କଥା ମୋ ପାଖରେ ଗୋଟିଏ ହେଲେ ପଇସା ନାହିଁ। ମୁଁ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା। ଏବେ ରାଜନୈତିକ ନିର୍ବାସନ ଭୋଗୁଛି। ନା ଖାଇବାର ଠିକଠିକଣା ଅଛି ନା ଶୋଇବାର। ଯାଯାବର ଭଳି ଏଠିସେଠି ଘୂରୁଛି। ବହୁତ ଜୋର୍‌ ଭୋକ ହେଲା। ଆଉ ସମ୍ଭାଳି ପାରିଲି ନାହିଁ। ଖାଇବା ନିମନ୍ତେ ଏଠାକୁ ଚାଲି ଆସିଲି। ହୋଟେଲର ବିଲ୍‌ ପୈଠ ନିମନ୍ତେ ମୋତେ କିଛି ଅର୍ଥ ଦିଅନ୍ତୁ। ମୁଁ ନିଶ୍ଚୟ ପରେ ତୁମକୁ ଫେରାଇ ଦେବି। ହାବଭାବରୁ ତୁମେ ବହୁତ ଭଲ ଲୋକ ବୋଲି ଅନୁମାନ କରି ଦୁଃଖ ଜଣାଇଲି। ମୋତେ ମନା କରନ୍ତୁ ନାହିଁ। ହୋଟେଲ ବିଲ୍‌ ଦେବାପାଇଁ ମୁଁ ଅସମର୍ଥ।’
ଚପରାସୀ ବାସ୍ତବରେ ଦୟାଳୁ ସ୍ବଭାବର ଥିଲେ। ଆଗନ୍ତୁକ ଜଣେ ମହତ୍‌ ଲୋକ। ପରିସ୍ଥିତିର ବାଧ୍ୟବାଧକତା ତାଙ୍କୁ ଏଭଳି ହୀନ କରିଦେଇଛି, ହେଲେ ଶଠ ନୁହନ୍ତି ବୋଲି ମନକୁ ଆସିଲା। ତଥାପି କିଛି ସମୟ ଚିନ୍ତାକରି ଆଗନ୍ତୁକଙ୍କ ଆବଶ୍ୟକତା ଅନୁଯାୟୀ ଅର୍ଥ ଦେଇଥିଲେ। ଚପରାସୀଙ୍କୁ ଅଶେଷ ଧନ୍ୟବାଦ ଦେଇ ଅର୍ଥ ଗ୍ରହଣ କରି ତାଙ୍କର ନାମ, ଠିକଣା ବୁଝିଥିଲେ। ହୋଟେଲର ବିଲ୍‌ ଦେଇ ବାହାରି ଯାଇଥିଲେ। ଆଗନ୍ତୁକ ଥିଲେ ଦେଶରୁ ଅତ୍ୟାଚାରୀ ଜାର୍‌ ଶାସନର ବିଲୋପ ପାଇଁ ‘କ୍ରାନ୍ତିର ଜନକ’ ଭାବେ ଉଭା ହୋଇଥିବା ଜଣେ ମହାନ୍‌ କ୍ରାନ୍ତିକାରୀ, ଯିଏ ପରବର୍ତ୍ତୀ ସମୟରେ ରାଷ୍ଟ୍ରର ଶାସନାଧ୍ୟକ୍ଷ ହୋଇଥିଲେ। ରାଷ୍ଟ୍ର ଶାସନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେଲାପରେ ସେଦିନର ସେଇ ଭୋକିଲା ଅବସ୍ଥା, ଚପରାସୀକୁ ସାହାଯ୍ୟ ଭିକ୍ଷା, ତା’ର ସହାୟତାରେ ହୋଟେଲ ବିଲ୍‌ ଦେବା- ଏ ସବୁକୁ ଭୁଲି ପାରିନଥିଲେ। ଶାସନମୁଖ୍ୟ ହେବାପରେ ଚପରାସୀଠାରୁ ନେଇଥିବା ଅର୍ଥ ଋଣ ପରିଶୋଧ ବାବଦରେ ପଠାଇବା ସହ ଏକ ଦାମୀ ଉପହାର ପଠାଇଥିଲେ। ଜଣେ ଶ୍ରେଷ୍ଠ ନେତାଙ୍କ କୃତଜ୍ଞତା ପ୍ରକାଶର ଏହି ଅନନ୍ୟ ରୀତି ଦେଖି ଚପରାସୀଙ୍କ ମୁଣ୍ଡ ସ୍ବତଃ ନଇଁ ଯାଇଥିଲା। ମହତ୍‌ ଚପରାସୀ ଋଣ ଅର୍ଥ ଓ ଉପହାର ଫେରାଇ ଦେଇ କହିଥିଲେ- ‘ଏହି ଅର୍ଥ ମୁଁ କ୍ଷୁଧା ତୃଷାରେ ଆତୁର ହୋଇ ଦୟନୀୟ, ଦ୍ବିଧାଗ୍ରସ୍ତ ଅବସ୍ଥାରେ ଥିବା ଜଣେ ମାମୁଲି ବ୍ୟକ୍ତିଙ୍କୁ ସାହାଯ୍ୟ ସ୍ବରୂପ ଦେଇଥିଲି। ଏକ ଶକ୍ତିଶାଳୀ ରାଷ୍ଟ୍ରର ମହାନାୟକଙ୍କୁ ନୁହେଁ।’ ଚପରାସୀଙ୍କ ଠାରେ ଏଭଳି ମହାନୁଭବତା ଲକ୍ଷ୍ୟକରି, ସେଦିନର ସେହି କ୍ଷୁଧାତୁର, ଏବର ମହାନ ବ୍ୟକ୍ତିଜଣକ କୃତଜ୍ଞତାରେ ନତମସ୍ତକ ହୋଇଯାଇଥିଲେ। ସେହି ବ୍ୟକ୍ତି ଜଣକ ଆଉ କେହି ନଥିଲେ, ଥିଲେ ରୁଷିଆର ମହାନ ରାଷ୍ଟ୍ରନାୟକ, କ୍ରାନ୍ତିର ବାର୍ତ୍ତାବହ ଲେନିନ୍‌।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories