ଝାରସୁଗୁଡ଼ା: ଏକ ଅଭାବନୀୟ ଘଟଣାକ୍ରମରେ ଅବହେଳିତ ଅବସ୍ଥାରେ ଥିବା ଏକ ନିଦାନ କେନ୍ଦ୍ରର ତଦାରଖ ପାଇଁ ଯାଇଥିବା ଜିଲାପାଳଙ୍କୁ ଭିତରକୁ ଛାଡ଼ିଲାନି ଘରୋଇ ସୁରକ୍ଷା କର୍ମୀ। ଗେଟର ତାଲା ନଖୋଲିବାରୁ ପ୍ରାୟ ଅଧ ଘଣ୍ଟା ଅପେକ୍ଷା ପରେ ଫେରିଗଲେ ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ। ଏହି ଘଟଣା ସୋମବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଜନଶୁଣାଣୀ ସମୟରେ ଲୋକଙ୍କ ଅଭିଯୋଗ ପରେ ଅବହେଳିତ ଅବସ୍ଥାରେ ଥିବା ଲଇକେରା ବ୍ଳକ୍ର ଏକ ନିଦାନ କେନ୍ଦ୍ର (ଡାଇଗ୍ନୋଷ୍ଟିକ୍ ସେଣ୍ଟର)ର ସ୍ଥିତି ପରଖିବାକୁ ଯାଇଥିବା ଝାରସୁଗୁଡ଼ା ଜିଲାପାଳ ମୁଣାଳ ମୋତିରାମ ଚହ୍ବାଣଙ୍କୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଛି। ୨୦୨୧-୨୨ରେ ତତ୍କାଳୀନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଉଦ୍ୟମରେ ଲଇକେରା ବ୍ଲକ୍୍ରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବେଦାନ୍ତ ସହଯୋଗରେ ଏକ ନିଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏ ବାବଦରେ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ନମୁନା ସଂଗ୍ରହ ଓ ପରୀକ୍ଷା ପାଇଁ କୃଷ୍ଣା ଡାଇଗ୍ନୋଷ୍ଟିକ ନାମକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ଏଠାରେ ୧୪୬ ପ୍ରକାର ବିଭିନ୍ନ ପରୀକ୍ଷାର ସୁବିଧା ରହିଥିଲା। ଏଥିପାଇଁ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରଖାଯାଇଥିଲା; େତବେ ମାତ୍ର ଗୋଟିଏ ବର୍ଷ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା। ରୋଗୀ ନ ଆସିବାରୁ ଏହାକୁ ବନ୍ଦ କରାଗଲା ବୋଲି ଉକ୍ତ ସଂସ୍ଥା କହିଥିଲା।
ଦୀର୍ଘଦିନ ବନ୍ଦ ରହିବାରୁ କୃଷ୍ଣା ଡାଇଗ୍ନୋଷ୍ଟିକ ଏଠାରୁ ଯନ୍ତ୍ରପାତି ନେଇଯିବା ସହ କର୍ମଚାରୀଙ୍କୁ ବାହାର କରିଦେଲା। ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଗଲେ, ଲୋକେ ଉପକୃତ ହୁଅନ୍ତେ ବୋଲି ସେମାନେ ଜିଲାପାଳଙ୍କୁ ନିବେଦନ କରିଥିଲେ। ଜନଶୁଣାଣି ପରେ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ କଥିତ ନିଦାନ କେନ୍ଦ୍ରର ସ୍ଥିତି ତଦାରଖ ପାଇଁ ସେଠାକୁ ଯାଇଥିଲେ। ବିଚିତ୍ର କଥା ଯେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟ୍ ଗାର୍ଡ କେନ୍ଦ୍ରର ଫାଟକ ଖୋଲିନଥିଲା। ସୁରକ୍ଷା କର୍ମୀ କାହାକୁ ମୋବାଲଇ ଫୋନରେ ପଚାରିଥିଲା ଓ ସେ ଅନୁମତି ନଦେବାରୁ ଗେଟ ଖୋଲିନଥିବା କୁହାଯାଇଛି।



