www.samajalive.in
Monday, December 8, 2025
27.1 C
Bhubaneswar

ହସ୍ତୀ ଦିବସରେ ଡାକ ବିଭାଗର ସ୍ଵତନ୍ତ୍ର ରଦ୍ଦିକରଣ ମୋହର ଉନ୍ମୋଚିତ

ଆଠଗଡ: ବିଶ୍ବ ହସ୍ତୀ ଦିବସ ଅବସରରେ ଆଠଗଡ ପ୍ରଧାନ ଡାକଘରଠାରେ ଡାକ ବିଭାଗର ହାତୀ ଛବି ସମ୍ବଳିତ ଏକ ସ୍ଵତନ୍ତ୍ର ରଦ୍ଦିକରଣ ମୋହର ବା କ୍ୟାନସେଲେସନ ଷ୍ଟାମ୍ପ ଉନ୍ମୋଚିତ ହୋଇଯାଇଛି । ଏଥିସହିତ ପ୍ରଧାନ ଡାକଘରେ ହାତୀ ଉପରେ ପର୍ଯ୍ୟବେସିତ ଏକ ଡାକ ଟିକଟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଯାଇଛି । ଆଠଗଡ ବନଖଣ୍ଡରେ ହାତୀଙ୍କ ଅବସ୍ଥାନ ଓ ଚଳପ୍ରଚଳ ଅଧିକ ହୋଇଥିବାରୁ ଏବଂ ହାତୀ ବଂଶର ସୁରକ୍ଷା ପାଇଁ ସଚେତନତା ଉଦ୍ଦେଶ୍ୟରେ କଟକ ଦକ୍ଷିଣ ଡାକ ମଣ୍ଡଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆଠଗଡରେ ଆୟୋଜନ ହୋଇଥିଲା । ଏହି ସ୍ଵତନ୍ତ୍ର ଷ୍ଟାମ୍ପ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଠଗଡ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି, ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ବିଜ୍ଞାନ କଲେଜ ଅଧ୍ୟକ୍ଷ ଡ.ଲୋକନାଥ ସାହୁ, ଅବସରପ୍ରାପ୍ତ ବରିଷ୍ଠ ଡାକ ଅଧିକ୍ଷକ ସର୍ବେଶ୍ୱର ମିଶ୍ର, କଟକ ଦକ୍ଷିଣ ମଣ୍ଡଳ ଡାକ ଅଧିକ୍ଷକ ପରମେଶ୍ବର ନାୟକ, ଅଭିଜ୍ଞ ଡାକଟିକଟ ସଂଗ୍ରହକାରୀ ସକ୍କିଲ ମହମ୍ମଦ ଓ ଅଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ହାତୀ ଆମ ପରିବେଶ ପାଇଁ ଉପକାରୀ ଏବଂ ଜୈବ ବିବିଧତାର ସୁରକ୍ଷା ପାଇଁ ହାତୀ ବଂଶର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଡାକ ବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏହି ସ୍ବତନ୍ତ୍ର ରଦ୍ଦିକରଣ ମୋହର ବ୍ୟବହାର ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ ସହାୟକ ହେବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ । ଏହି ସ୍ଵତନ୍ତ୍ର ଡାକ ରଦ୍ଦିକରଣ ମୋହର ପ୍ରସ୍ତୁତ କରିଥିବା ଡାକଟିକଟ ସଂଗ୍ରହକାରୀ ଅଜିତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଟକ ଦକ୍ଷିଣ ଡାକ ମଣ୍ଡଳ ନିରୀକ୍ଷକ ବିକାଶ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ ନିରୀକ୍ଷକ ଅମୂଲ୍ୟ ରଥ ଓ ଆଠଗଡ ପ୍ରଧାନ ଡାକଘରର ଡାକପାଳ ମନୋରଞ୍ଜନ ସ୍ଵାଇଁ ଏବଂ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଡାକ ନିରୀକ୍ଷକ ଅମୂଲ୍ୟ ରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories