ଭୁବନେଶ୍ବର: ବର୍ଷ ବର୍ଷ ଧରି ଓଡ଼ିଶା ପୁଲିସର ତଦନ୍ତ ଚାଲୁଛି, ଫାଇଲ୍ ହଜିଯାଉଛି। କିନ୍ତୁ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରୁନାହିଁ। ଗୋଟିଏ କି ଦୁଇଟି ନୁହଁ, ରାଜ୍ୟରେ ଏଭଳି ବହୁ ମାମଲା ରହସ୍ୟଘେରରେ ରହିଯାଉଛି। ତଦନ୍ତ ଆଳରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି, ବର୍ଷ ପରେ ବର୍ଷ ଗଡ଼ୁଛି, ଘଟଣା ପଛର କାରଣ ଉପରୁ ପରଦା ହଟି ପାରୁନି। ପ୍ରଥମେ ଓଡ଼ିଶା ପୁଲିସ, ପରେ ଏହାର ଶାଖା ସଂସ୍ଥା କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। କିଛି ଦିନ ଅନ୍ଧାରରେ ବାଡ଼ି ବୁଲାଇବା ପରେ ତଦନ୍ତକାରୀ ସଂସ୍ଥା ହାତ ବାନ୍ଧି ବସୁଥିବା ଦେଖାଯାଉଛି। କଳାହାଣ୍ଡି ଅଞ୍ଚଳର ମମିତା ମେହେର, ନୟାଗଡ଼ର ପରୀ, ଯାଜପୁର ଅଞ୍ଚଳର ପିହୁ ଓ ବିଜେବି କଲେଜ ଛାତ୍ରୀ ରୁଚିକା, କୋରାପୁଟର କୁନ୍ଦୁଲି ପୀଡ଼ିତା, ରାୟଗଡ଼ାର ଇତିଶ୍ରୀ ମୃତ୍ୟୁ ମାମଲା ହଜିବାକୁ ବସିଛି। ଏସବୁ ମାମଲା ସହିତ ଏବେ ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଓ ପୁରୀ ଜିଲା ବଳଙ୍ଗା ଅଞ୍ଚଳର ନାବାଳିକା ପୋଡ଼ି ଘଟଣା ଉପରୁ ରହସ୍ୟ ଉନ୍ମୋଚନ ହୋଇପାରୁନି। ବଳଙ୍ଗା ପୀଡ଼ିତା ଓ ସୌମ୍ୟାଶ୍ରୀ ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏଭଳି ପରିସ୍ଥିତିରେ ବି କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନି। ତଦନ୍ତକାରୀ ସଂସ୍ଥା କାହା ଚାପରେ ମାମଲାକୁ ଚାପି ଦେଉଛି ନା ନିଜର ଅପାରଗତା ଲୁଚାଇବା ପାଇଁ ଏପରି ଅଭିନୟ କରୁଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ନବୀନ ସରକାର ହେଉ ଅଥବା ମୋହନ ସରକାର ଓଡ଼ିଶା ପୁଲିସର କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ।
ନିଷ୍ପାପ ଶିଶୁଠାରୁ ଆରମ୍ଭ କରି ଯୁବତୀ ଓ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ରାଜ୍ୟ ପାଇଁ ଭାବମୂର୍ତ୍ତି ସଙ୍କଟ ସୃଷ୍ଟି କରୁଛି। ମୃତ୍ୟୁର ରହସ୍ୟ ଭେଦ କରିବାରେ ତଦନ୍ତକାରୀ ସଂସ୍ଥା ବାରମ୍ବାର ବିଫଳ ହେଉଛି। ବିଗତ ବର୍ଷମାନଙ୍କରେ ବିଭିନ୍ନ ଘଟଣାରେ ରାଜନେତା, ମନ୍ତ୍ରୀଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ନ୍ୟାୟ ପାଇଁ ଲଢ଼େଇ ପରେ ତଦନ୍ତ ହେଉଛି, ଫଳ ଶୂନ୍। ପୀଡ଼ିତାଙ୍କ ପରିବାର ବର୍ଷ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ରହୁଛନ୍ତି। ବାର ଦୁଆର ମଧ୍ୟ ହେଉଛନ୍ତି।
ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି। ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। ସୋମବାର ସାମାଜିକ ଗଣମାଧ୍ୟମରେ ସୌମ୍ୟାଶ୍ରୀଙ୍କର ଏକ ଭିଡିଓ ବୁଲୁଛି। ସୌମ୍ୟାଶ୍ରୀ ସାଇକଲରେ ଯାଉଥିବା ଦେଖାଯାଇଛି। ସାଇକଲରେ ସୌମ୍ୟାଶ୍ରୀ ନିଜେ ଯାଇ ପେଟ୍ରୋଲ ଆଣିଥିବା ଚର୍ଚ୍ଚା ଜୋର୍ ଧରିଛି। ହେଲେ ଏହି ଭିଡିଓ ମିଥ୍ୟା ବୋଲି କୁହାଯାଉଛି। ଘଟଣାକୁ ଭିନ୍ନ ମୋଡ଼ ଦେବା ଲାଗି ଏପରି ଭିଡିଓକୁ ଛଡ଼ା ଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ସୌମ୍ୟାଶ୍ରୀ ନିଜେ ପେଟ୍ରୋଲ ଆଣିନଥିବା ଜଣାପଡ଼ିଛି। ପେଟ୍ରୋଲ ଆଣିଥିଲା କିଏ ? ତା’ର ପ୍ରମାଣ ସମ୍ପୃକ୍ତ ପେଟ୍ରୋଲ ପମ୍ପ ନିକଟରେ ରହିଛି। ଉକ୍ତ ଭିଡିଓକୁ କ୍ରାଇମବ୍ରାଞ୍ଚ ମଧ୍ୟ ଜବତ କରିଥିବା ସୂଚନା ଅଛି।
ସୌମ୍ୟାଶ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଆଁ ଲଗାଇବା ସମୟରେ ଦୁଇ ଜଣ ଝିଅ ବସିଥିଲେ, ସେମାନଙ୍କ ପରିଚୟକୁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଉକ୍ତ ସ୍ଥାନରେ ୩ଟି କ୍ୟାେମରା ଥିବା ଜଣାପଡ଼ିଛି। ଗୋଟିଏ କ୍ୟାମେରାର ଭିଡିଓ ପଦାକୁ ଆସିଥିବାବେଳେ ଅନ୍ୟ ଦୁଇ କ୍ୟାମେରାର ଭିଡିଓ ଏପର୍ଯ୍ୟନ୍ତ ପଦାକୁ ଆସିପାରି ନାହିଁ। ଅନ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ସୌମ୍ୟାଶ୍ରୀ ନିଜେ ପେଟ୍ରୋଲ ଆଣିଥିବା ଭିଡିଓକୁ ପ୍ରସାର କରାଯାଇଥିବା ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ଛାତ୍ରୀଙ୍କ ମୃତ୍ୟୁ ପଛରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ କେବେ ଧରୁଛି, ଆଉ ଘଟଣା ପଛର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହେଉଛି କି ନାହଁ ତାହା ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଛି।
ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ମୃତ୍ୟୁର ମାତ୍ର କିଛି ସମୟ ପରେ ସାମାଜିକ ଗଣମାଧ୍ୟମରେ ପୁଲିସ ସୂଚନା ଦେଇ ଚୁପ୍ ରହିଛି। ଏହି ଘଟଣାରେ କାହାର ସମ୍ପୃକ୍ତି ନଥିବା ପୁଲିସ ସ୍ପଷ୍ଟ କରିଛି। ପୀଡ଼ିତାଙ୍କର ୪ ଥର ବୟାନ ରେକର୍ଡ କରାଯାଇଥିଲା, ଏହାପରେ ବି ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଥିଲା। ପୀଡ଼ିତାଙ୍କ ମୃତ୍ୟୁ ପରେ ଏଭଳି ସୂଚନା ପୁଲିସର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ। ଘଟଣାକୁ ପୁଲିସ ଚାପି ଦେବାକୁ ଉଦ୍ୟମ କରୁଥିବା ବିରୋଧୀ ଏବେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପଛର କାରଣ ଏବେସୁଦ୍ଧା ରହସ୍ୟଘେରରେ ରହିଛି। ଆତ୍ମହତ୍ୟା ପଛରେ ୩ ଜଣ ସିନିୟର ଛାତ୍ରୀଙ୍କ ସମ୍ପୃକ୍ତି ଥିବା ରୁଚିକାଙ୍କ ଜବତ ସୁଇସାଇଡ଼ ନୋଟ୍ରୁ ଜଣାପଡ଼ିଥିଲା। ପୁଲିସ ଓ କ୍ରାଇମବ୍ରାଞ୍ଚ ଏକାଧିକ ଛାତ୍ରୀଙ୍କୁ ଜେରା କରିଥିଲା। ହେଲେ ତାଙ୍କ ଆତ୍ମହତ୍ୟା ପଛର କାରଣ ଅନ୍ଧାରରେ ରହିଛି। ମମିତାଙ୍କ ମୃତ୍ୟୁ ଘଟଣା ହଜିଯିବାକୁ ବସିଛି। ତାଙ୍କ ମୃତ୍ୟୁ ପଛରେ ଜଣେ ରାଜନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ମମିତାଙ୍କ ମୃତ୍ୟୁ ଘଟଣାକୁ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି, କାରଣ ଅସ୍ପଷ୍ଟ ରହିଯାଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ ଭିତରେ ରହସ୍ୟଜନକ ମୃତ୍ୟୁରୁ ମଧ୍ୟ ପରଦା ହଟାଯାଇପାରିନାହିଁ। ଜେଲ କର୍ତ୍ତୃପକ୍ଷ ସେତେବେଳେ ଯେଉଁ କାରଣ ଦର୍ଶାଇଥିଲେ ତାହା ମଧ୍ୟ ଜନସାଧାରଣଙ୍କ ବିଶ୍ବାସଯୋଗ୍ୟ ହୋଇପାରିନି। ଏଭଳି ସ୍ଥିତିରେ ମମତାଙ୍କ ମୃତ୍ୟୁ ରହସ୍ୟ ଅଧିକ ଅନ୍ଧାରକୁ ଚାଲିଯାଇଛି। ସେହିପରି ନୟାଗଡ଼ ଅଞ୍ଚଳର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା, ହେଲେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବା ପଛର କାରଣ ଏବେବି ଅନ୍ଧାରରେ ରହିଛି। ସେହିପରି ଯାଜପୁରର ପିହୁ ମୃତ୍ୟୁର କାରଣ ଖୋଜି ପାଉନି ପୁଲିସ। ନ୍ୟାୟ ପାଇବା ଲାଗି ପିହୁଙ୍କ ପରିବାର ଲଢ଼େଇ ଜାରି ରଖିଛନ୍ତି।
ସବୁଠୁ ସ୍ପର୍ଶକାତର ଘଟଣା ଥିଲା ଦିନ ଦ୍ବିପ୍ରହରରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରିବା ଘଟଣା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସବ୍ଇନ୍ସପେକ୍ଟର ଗୋପାଳ ଦାସଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଘଟଣାସ୍ଥଳରୁ ପୁଲିସ ନବଙ୍କୁ ଉପରକୁ ଚଳାଯାଇଥିବା ଗୁଳି ଓ ଖୋକା ଉଦ୍ଧାର କରିପାରିନଥିବା ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲ। ହତ୍ୟାକାଣ୍ଡ ପଛର ରହସ୍ୟ ଭେଦ କରିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମ୍ବ୍ରାଞ୍ଚ ଅଦ୍ୟାବଧି ସଫଳ ହୋଇନାହିଁ। ଗୁଳିକାଣ୍ଡର କାରଣ ସାମ୍ନାକୁ ଆସିନାହିଁ। ଯାହା କୁହାଯାଉଛି ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହା ଯେ ଯଥେଷ୍ଟ ତାହା ବିଶ୍ବାସ କରିହେଉନି। ତେବେ ନୂଆ ସରକାର ଆସିବା ପରେ ଏହାର ସାନି ତଦନ୍ତ କରାଉଛନ୍ତି। ମାତ୍ର ଗୁଳିକାଣ୍ଡ ଘଟଣାର ରହସ୍ୟ ଭେଦ କରିବା ତଦନ୍ତକାରୀ ସଂସ୍ଥା ପାଇଁ ଏବେ ବି ଅପହଞ୍ଚ ରହିବା ପୁଲିସ ଅନୁସନ୍ଧାନର ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଆଲୋଚନା ହେଉଛି। ଅନେକ ସମୟରେ ତଦନ୍ତକାରୀ ସଂସ୍ଥା ଭିନ୍ନ ଭିନ୍ନ ଥିଓରୀ କହି ଘଟଣାକୁ ଅଧିକ ରହସ୍ୟମୟ କରୁଥିବା ଅଭିଯୋଗ ଉଠୁଛି।
ଦ୍ବନ୍ଦ୍ବ ବଢ଼ାଉଛି ତଦନ୍ତ: ନ୍ୟାୟ ଅପେକ୍ଷାରେ ପରୀ, ମମିତା, ପିହୁ, ରୁଚିକା, ନବ, ସୌମ୍ୟାଶ୍ରୀ ଓ ବଳଙ୍ଗା ନାବାଳିକା…
Popular Categories



