ଫୁଲବାଣୀ: ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧି ଅସୁରକ୍ଷିତ ମଣୁଛନ୍ତି। ବିିଭିନ୍ନ ସମୟରେ ବିଭିନ୍ନ ଖବର ପ୍ରକାଶକୁ ନେଇ ରାଜନୈତକ ଦଳର ଆକ୍ରୋଶର ଶୀକାର ହେବା ସହିତ ବିିଭିନ୍ନ ମାଧ୍ୟମରେ ଧମକ ଦିଆଯାଉଥିବାର ଅଭିଯୋଗ ହୋଇଛି। ନିକଟରେ ଫୁଲବାଣୀରେ ଘଟିଥିବା ଏକ ଘଟଣାକୁ ନେଇ ଆଜି ପ୍ରେସ୍ କ୍ଲବ ପକ୍ଷରୁ ଏକ ଜରୁରୀ ବୈଠକ ସଭାପତି ସୁନିଲ୍ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରୀର ୱେବ୍ ସାମ୍ବାଦିକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, ପରିବାରକୁ କ୍ଷତିପୁରଣ ପ୍ରଦାନ ଦାବି କରାଯିବା ସହିତ ତାଙ୍କର ଅକାଳ ବିୟୋଗରେ କ୍ଲବ ପକ୍ଷରୁ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ସେହିଭଳି ଫୁଲବାଣୀ ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟନାୟକଙ୍କ ଏକ ଖବର ପୋଷ୍ଟକୁ ନେଇ ଶାସକ ଦଳ ପକ୍ଷରୁ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବା ଘଟଣାରେ ଉପସ୍ଥିତ ସଦସ୍ୟମାନେ ନିନ୍ଦା କରିବା ସହିତ ସାମ୍ବାଦିକଙ୍କର ସୁରକ୍ଷା ଦାବି କରିଥିଲେ। ଶ୍ରୀ ପଟନାୟକଙ୍କ ନାମରେ ମାମଲା ରୁଜୁ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏଭଳି ଘଟଣାକୁ ନେଇ ପ୍ରେସ କ୍ଲବ ପକ୍ଷରୁ ବିଜେପି ରାଜ୍ୟ ସଭାପତି ଓ ଜିଲା ସଭାପତିଙ୍କ ସମେତ କନ୍ଧମାଳ ସାଂସଦ, ବିଧାୟକ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତା ମାନଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପ୍ରକାରେ, ବିନା କାରଣରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନାମରେ ମାମଲା ରୁଜୁ କରିବା ଓ ବିିଭିନ୍ନ ପ୍ରକାର ଧମକ ଚମକ ଦେବା ଭଳି ଘଟଣା ଭିଆଇଲେ ଆଗାମୀ ଦିନରେ ଦଳ ପକ୍ଷରୁ ଶାସକ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରାଯିବା ସହିତ କୌଣସି ପ୍ରକାର ଖବର ପ୍ରସାରଣ ନକରିବା ପାଇଁ ମତ ପ୍ରକାଶ ପାଇଥିବା ନେଇ ଉଲେଖ ରହିଛି। ବୈଠକରେ ପ୍ରେସ୍ କ୍ଲବର ବହୁ ସଦସ୍ୟ ଓ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିବା ବେଳେ ସାଧାରଣ ସଂପାଦକ ବିରେନ୍ଦ୍ର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।



