www.samajalive.in
Friday, December 5, 2025
27.1 C
Bhubaneswar

ଏକ ଶତବର୍ଷରେ ହିଟ୍‌ଲର୍‌ଙ୍କ ମେଁ କ୍ୟାଂଫ୍‌

ଭୁବନେଶ୍ଵର:  ବିଶ୍ବର ଅଦ୍ବିତୀୟ ବିସ୍ତାରବାଦୀ ଏକଛତ୍ର ଶାସକ, ନାଜିବାଦର ପ୍ରବର୍ତ୍ତକ ତଥା ପୃଷ୍ଠପୋଷକ, ଦ୍ବିତୀୟ ବିଶ୍ବଯୁଦ୍ଧର ଖଳନାୟକ ତଥା ଅଷ୍ଟ୍ରିଆର ବାରବୁଲା ଭାବେ ପରିଚିତ ଆଡଲ୍‌ଫ ହିଟ୍‌ଲର ୧୮୮୯ ମସିହା ଏପ୍ରିଲ ୨୦ ତାରିଖ ଠିକ୍‌ ୬ଟା ୩୦ ସମୟରେ ବାଭାରିଆ ରାଜ୍ୟର ସୀମାରେ ଥିବା ବ୍ରନାଉ ଆମ ଇନ୍‌ ସହରର ଗେଷ୍ଟଫ୍‌ ଜୁମ ପୋମର ନାମକ ଏକ ପାନ୍ଥଶାଳାରେ ଜନ୍ମଗ୍ରହଣ କରିଥିଲେ।
ପରିବାରର ଆର୍ଥିକ ସଂକଟ ମଧ୍ୟରେ ସେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ମାତ୍ର ୬ ବର୍ଷ ବୟସରେ ପିତାଙ୍କୁ ଓ ୧୯ ବର୍ଷ ବୟସରେ ମାଆଙ୍କୁ ହରାଇଥିଲେ। ଅସହାୟତା ଓ ଦାରିଦ୍ର୍ୟକୁ ସାଥୀ ଭାବେ ଗ୍ରହଣ କରି ନିଜର ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ଭିଏନା ଚାଲିଗଲେ। କଳା ସ୍ଥାପତ୍ୟ ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ। ସୁଖ ସ୍ବଚ୍ଛନ୍ଦ, ଆନନ୍ଦ ଉଲ୍ଲାସ, ପର୍ବପର୍ବାଣିର ସହର ଭିଏନାରେ ରହଣି ସମୟରେ ପ୍ରଥମ ୫ ବର୍ଷ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ଦିନ ମଜୁରିଆ କାମ ଥିଲା କୋଡ଼ି କୋଦାଳ ଧରି​‌ ରାସ୍ତାରେ ବରଫ ସଫାକରିବା, କାର୍ପେଟ ସଫା କରିବା, ପଶ୍ଚିମ ରେଳଷ୍ଟେସନରୁ ବ୍ୟାଗ ଆଦି ବୋହି ବାହାରକୁ ଆଣିବା ଇତ୍ୟାଦି। ଏହି ଉପାର୍ଜନ ଯଥେଷ୍ଟ ନ ହେବାରୁ ସେ ଚିତ୍ରକର ପେସା ଆପଣାଇଲେ। ଅନେକ ସମୟରେ ସେ ଭୋକ ଉପାସରେ କାଳ କଟାଉଥିଲେ। ଭୋକ ମେଣ୍ଟାଇବା ପାଇଁ ସମୟେ ସମୟେ ଚ୍ୟାରିଟି ସୁପ କିଚେନରୁ ଖାଦ୍ୟ ସଂଗ୍ରହ କରୁଥିଲେ। ବାସ ଅଭାବରେ କିଛି ସମୟ ମ୍ୟୁନିସିପାଲଟିର ଥିବା ଟନେଲ ମଧ୍ୟରେ ଆଶ୍ରୟ ନେଉଥିଲେ।
ଭିଏନା ଆସିବା ପୂର୍ବରୁ ସେ ଜର୍ମାନ ବାସିନ୍ଦା ଓ ଇହୁଦୀମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖି ପାରୁନଥିଲେ। ମାତ୍ର ଭିଏନା ରହଣି ସମୟରେ ତାଙ୍କର ଇହୁଦୀ ବିରୋଧୀ ମନୋଭାବ ତୀବ୍ରଗତିରେ ବୃଦ୍ଧିପାଇଲା। ସେ ଜାଣିପାରିଲେ ଯେ ଭିଏନାରେ ୨୦ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୨ଲକ୍ଷ ହେଉଛନ୍ତି ଇହୁଦୀ। ଭିଏନାରେ ବିକ୍ରି ହେଉଥିବା ଇହୁଦୀ ବିରୋଧୀ ପତ୍ରିକା ଓ ପୁସ୍ତକ ପଢ଼ି ଇହୁଦୀମାନଙ୍କର ମୌଳିକ ପ୍ରକୃତି, ବ୍ୟବହାର ଓ ଚାଲିଚଳନ ସମ୍ପର୍କରେ ଜାଣିପାରିଥିଲେ। ତନ୍ନ ତନ୍ନ କରି ଅନୁଧ୍ୟାନ କଲା ପରେ ସେ ଜାଣିପାରିଥିଲେ ଯେ ଏ ସଂପ୍ରଦାୟ ସମସ୍ତ ବ୍ୟକ୍ତିଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ। ଏହି ଲମ୍ବା ପୋଷାକଧାରୀ ଇହୁଦୀମାନଙ୍କ ପ୍ରତି ତାଙ୍କର ଘୃଣା ଓ ଶତ୍ରୁତା ମନୋଭାବ ବଢ଼ିବାକୁ ଲାଗିଲା। କ୍ରମେ ସେମାନଙ୍କ ମଧ୍ୟରେ ଥିବା ନୈତିକ କଳଙ୍କକୁ ଆବିଷ୍କାର କରିପାରିଲେ। ଦେଶରେ ବେଶ୍ୟାବୃତ୍ତି ଓ କ୍ରୀତଦାସ ପ୍ରଥାର ପ୍ରସାରଣରେ ଏମାନଙ୍କର ଭୂମିକା ମୁଖ୍ୟ ଥିଲା। ଅପ୍ରୀତିକର ଘଟଣା ଘଟାଇ ଏମାନେ ଆନନ୍ଦ ପାଉଥିଲେ। ହିଂସାତ୍ମକ କାର୍ଯ୍ୟ ଓ ଯୌନ ଶୋଷଣରେ ଏମାନେ ଧୁରନ୍ଧର ଥିଲେ। ଏମାନଙ୍କ ଉପରେ ରାଜନୈତିକ ବା ପ୍ରଶାସନିକ ନିୟନ୍ତ୍ରଣ ନ ଥିଲା। ସରଳ, ନିରୀହ ଖ୍ରୀଷ୍ଟିଆନ ବାଳିକାମାନଙ୍କୁ ଯୌନ ନିର୍ଯାତନା ଦେଇ ସେମାନଙ୍କ ରକ୍ତକୁ ଅପମିଶ୍ରିତ କରୁଥିଲେ (ବିବାହ ପୂର୍ବରୁ ଗର୍ଭଧାରଣ କରାଇବା)। ହଜାର ହଜାର ସରଳମତି ଯୁବତୀ ଏହି ଘୃଣ୍ୟ ଇହୁଦୀମାନଙ୍କର ଯୌନ ନିର୍ଯାତନାର ଶିକାର ହେଉଥିଲେ। ତୀବ୍ର ଇହୁଦୀ ବିରୋଧୀ ମନୋଭାବ ନେଇ ୧୯୧୩ ମସିହାରେ ୨୪ ବର୍ଷ ବୟସରେ ସେ ସବୁଦିନ ପାଇଁ ଭିଏନା ପରିତ୍ୟାଗ କରି ଜର୍ମାନ ଚାଲିଆସିଲେ।
ସେ ଏକ ବିଫଳ ବ୍ୟକ୍ତିତ୍ବ – ଏ ଭାବନା ତାଙ୍କ ମନକୁ ଛୁଇଁ ନଥିଲା ଯଦିଓ ଏ ଭାବନା ଅନ୍ୟମାନଙ୍କ ମନରେ ଥିଲା। ଯଦିଓ ଗୋଟିଏ ସ୍ଥାୟୀ ବାସହୀନ, ନିଷ୍କର୍ମା ବାରବୁଲା ଥିଲେ ତଥାପି ବହୁତ ଜିଦ୍‌ଖୋର ଥିଲେ। ତାଙ୍କର ବିଶେଷତ୍ବ ଥିଲା ଯେ ସେ ପୁସ୍ତକ ପଠନରେ ଗଭୀର ଆଗ୍ରହ ରଖିଥିଲେ। ଶୁଦ୍ଧ ଶାକାହାରୀ ଥିଲେ, ସ୍ତ୍ରୀ ସମ୍ପର୍କଠାରୁ ଦୂରେଇ ରହୁଥିଲେ, ମଦ୍ୟପାନ, ଧୂମପାନ ଅଭ୍ୟାସ କରିନଥିଲେ।
୧୯୧୪ ମସିହା ଫେବୃଆରୀ ୫ ତାରିଖରେ ଜର୍ମାନ ସାମରିକ ବାହିନୀରେ ନିଯୁକ୍ତି ପାଇଁ ଦକ୍ଷତା ପରୀକ୍ଷା ଦେଇଥିଲେ। ଦୁର୍ବଳ ସ୍ବାସ୍ଥ୍ୟ ଓ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଯୋଗୁଁ ସେ ଅସଫଳ ହୋଇଥିଲେ। ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ପ୍ରଥମ ବିଶ୍ବଯୁଦ୍ଧ ଆରମ୍ଭ ହୁଏ। ଜରୁରିକାଳୀନ ଭିତ୍ତିରେ ଲକ୍ଷଲକ୍ଷ ଯୁବକଙ୍କ ସହ ସେ ମଧ୍ୟ ସାମରିକ ବିଭାଗରେ ସ୍ଥାନ ପାଇପାରିଥିଲେ। ୧୯୧୪ ମସିହା ଅଗଷ୍ଟ ୫ ତାରିଖରେ ପ୍ରଥମେ ସେ ଷୋଡ଼ଶ ବାଟାଲିୟନ୍‌ ଇନ୍‌ଫାନଟ୍ରି ରେଜିମେଣ୍ଟର ଫାଷ୍ଟ କମ୍ପାନୀରେ ସମ୍ବାଦ ସରବରାହକାରୀ ଭାବେ କାର୍ଯ୍ୟକଲେ। ୧୯୧୪ ଅକ୍ଟୋବର ଶେଷଭାଗରେ ତିନିମାସ ତାଲିମ ପାଇ ୱାଇପ୍ରସ୍‌ଠାରେ ସୀମାନ୍ତ ଯୁଦ୍ଧରେ ଯୋଗଦେଇଥିଲେ। ଜର୍ମାନସେନା ବ୍ରିଟିଶ ସେନାଠାରୁ ଶୋଚନୀୟ ଭାବେ ପରାସ୍ତ ହେଲେ। ତାଙ୍କ ଦଳର ୩୫୦୦ ସେନା ମଧ୍ୟରୁ ମାତ୍ର ୨୦୦ଜଣ ବଞ୍ଚିଯାଇଥିଲେ। ଯୁଦ୍ଧ ସମୟରେ ସେ ଦୁଇଥର ଆଘାତ ପ୍ରାପ୍ତ ହୋଇଥିଲେ। ପ୍ରଥମେ ୧୯୧୬ ମସିହା ଅକ୍ଟୋବର ୨ ତାରିଖରେ ସୋମ୍‌ ନିକଟସ୍ଥ ଯୁଦ୍ଧ କ୍ଷେତ୍ରରେ ଗୋଡ଼ରେ ଆଘାତ ପାଇଥିଲେ। ସୁସ୍ଥ ହେବା ପରେ ସେ କର୍ପୋରାଲ ପାହ୍ୟାକୁ ଉନ୍ନୀତ ହେଲେ ଓ ଲିଷ୍ଟ ରେଜିମେଣ୍ଟରେ ଯୋଗ ଦେଲେ। ୧୯୧୮ ମସିହା ଅକ୍ଟୋବର ୩ ତାରିଖରେ ସେ ବ୍ରିଟିଶ ସେନାର ଭାରିଗ୍ୟାସ ଆକ୍ରମଣର ଶିକାର ହୋଇଥିଲେ ଯାହା ଫଳରେ ତାଙ୍କର ଦୁଇଟିଯାକ ଆଖି ସାମୟିକ ଭାବରେ ନିଷ୍କ୍ରିୟ ହୋଇଯାଇଥିଲା। ସାହସିକତା, ଉତ୍ତମ କାର୍ଯ୍ୟଦକ୍ଷତା ଓ ବୀରତ୍ବ ପାଇଁ ତାଙ୍କୁ ଦୁଇଥର ପୁରସ୍କାର ମିଳିଥିଲା। ୧୯୧୪ ମସିହା ଡିସେମ୍ବର ମାସରେ- ଆଇରନ୍‌ କ୍ରସ ସେକେଣ୍ଡ କ୍ଲାସ- ଓ ୧୯୧୮ ମସିହାରେ ଆଇରନ୍‌ କ୍ରସ୍‌ ଫାଷ୍ଟ କ୍ଲାସ- ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଜର୍ମାନ ଇମ୍ପେରିଆଲ ଆର୍ମିରେ ଏପରି ସମ୍ମାନଜନକ ପୁରସ୍କାର ସାଧାରଣ ସୈନିକଙ୍କୁ କ୍ବଚିତ୍‌ ମିଳିଥାଏ।
ଯୁଦ୍ଧ କ୍ଷେତ୍ରର ଅନୁଭୂତିରୁ ସେ ଉପଲବ୍ଧି କଲେ ଯେ ତାଙ୍କର ଯଥେଷ୍ଟ ଅଧିକ ସେନାବଳ ଓ ଉନ୍ନତ ଅସ୍ତ୍ରଶସ୍ତ୍ର ଥିଲା ସତ୍ତ୍ବେ ଜର୍ମାନ ପରାଜୟ ବରଣ କରିଥିଲା ଯାହାର କାରଣ ହେଉଛି ଏକ ଅଦୃଶ୍ୟ ଶତ୍ରୁ। ଇହୁଦୀ ଓ ମାର୍କସ୍‌ବାଦୀଙ୍କୁ ସେ ଏ ଇଙ୍ଗିତ କରିଥିଲେ। ଚିକିତ୍ସା ପରେ ସେ ହସ୍‌ପିଟାଲରୁ ବାହାରି ପ୍ରଥମେ ବର୍ଲିନ୍‌ ଓ ପରେ ମ୍ୟୁନିକ୍‌ର କିଛି ଅଫିସ୍‌ ବୁଲି ଦେଖିଥିଲେ। ଲକ୍ଷ୍ୟ କଲେ ପ୍ରତ୍ୟେକ ଇହୁଦୀ ଗୋଟିଏ ଗୋଟିଏ କିରାଣି ଓ ପ୍ରତ୍ୟେକ କିରାଣି ହେଉଛନ୍ତି ଇହୁଦୀ। ଜର୍ମାନର ପରାଜୟକୁ ନେଇ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ – ଜର୍ମାନ ସେନା ଯୁଦ୍ଧ କ୍ଷେତ୍ରରେ ପରାସ୍ତ ହୋଇ ନାହାନ୍ତି; ବରଂ ନିଜ ଦେଶରେ ଥିବା ଦେଶଦ୍ରୋହୀ ଷଡ଼ଯନ୍ତ୍ରକାରୀ ସେମାନଙ୍କ ପିଠିରେ ଛୁରିଭୁସିବା ଯୋଗୁଁ ଜର୍ମାନ ପରାସ୍ତ ହୋଇଛି। ଏ ବିଶ୍ବାସ ଓ ଚିନ୍ତାଧାରାକୁ ନେଇ ସେ ନିଶ୍ଚିତ କଲେ ଯେ, ଜର୍ମାନର କଲ୍ୟାଣ ଦୃଷ୍ଟିରୁ ଗଣତନ୍ତ୍ର ଶାସନର ଅନ୍ତହେବା ଏକାନ୍ତ ଜରୁରୀ। ପ୍ରଥମ ବିଶ୍ବଯୁଦ୍ଧ ପରେ ଜର୍ମାନରେ ଗଣତନ୍ତ୍ର ଶାସନର ପ୍ରଚଳନ, ଅପମାନସୂଚକ ଭର୍ସେଲିସ୍‌ ଚୁକ୍ତିକୁ ନିର୍ଲଜତାର ସହ ସ୍ବୀକାର କରିବା, ପ୍ରଶାସନିକ ଦୁର୍ବଳତା, ସାମରିକ ବିଭାଗର ଆଧିପତ୍ୟ- ଏ ସବୁ ପରିସ୍ଥିତିକୁ ବିଚାରକୁ ନେଇ ସେ ତାଙ୍କର ଲକ୍ଷ୍ୟ ପୂରଣ ପାଇଁ ଯୋଜନାମାନ ପ୍ରସ୍ତୁତ କରି ବସିଲେ।
୧୯୨୩ ମସିହା ନଭେମ୍ବର ୮ ତାରିଖରେ ମ୍ୟୁନିକସ୍ଥିତ ଏକ ବିଅରହଲରେ ହିଟଲର ବନ୍ଧୁକ ମୁନରେ ଗଣତନ୍ତ୍ର ସରକାରକୁ ଗାଦିଚ୍ୟୁତ କରିବା ଉଦ୍ୟମରେ ବନ୍ଦୀ ହୋଇଥିଲେ। ୧୯୨୪ ମସିହା ଏପ୍ରିଲ ୧ ତାରିଖରେ ବିଚାରାଳୟ ତାଙ୍କୁ ୫ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ। ଲ୍ୟାଣ୍ଡସ୍‌ବର୍ଗର ପୁରାତନ ଦୁର୍ଗରେ ତାଙ୍କୁ ବନ୍ଦୀ ଭାବରେ ରଖାଗଲା। ୯ ମାସ ପରେ ଡିସେମ୍ବର ୨୦ ତାରିଖରେ ସେ ପ୍ୟାରୋଲରେ ଜେଲ୍‌ରୁ ବାହାରି ଗଣତନ୍ତ୍ର ଶାସନର ଅନ୍ତ କରିବା ପାଇଁ ତାଙ୍କର ଉଦ୍ୟମ ଜାରି ରଖିଲେ ।
ଜେଲରେ ଥିବା ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର କୋଠରg ଯୋଗାଇ ଦିଆଯାଇଥିଲା। ତାଙ୍କୁ ଏକ ସମ୍ମାନିତ ଅତିଥି ଭାବେ ବ୍ୟବହାର କରାଯାଉଥିଲା। ପୂର୍ବକଳ୍ପିତ ବିଷୟବସ୍ତୁକୁ ଭିତ୍ତିକରି ସେ ଏକ ପୁସ୍ତକ ରଚନା କରିବାକୁ ମନସ୍ଥ କରିଥିଲେ। ଏହି ପୁସ୍ତକର ନାମ ‘ଫୋର ଆଣ୍ଡ ଏ ହାଫ୍‌ ଇଅରସ୍‌ ଅଫ୍‌ ଷ୍ଟ୍ରଗଲ୍‌ ଏଗେନଷ୍ଟ ଲାଇ, କାୱାର୍ଡିସ ଆଣ୍ଡ ଷ୍ଟୁପିଡିଟି’ ରଖିବାକୁ ସ୍ଥିର କରିଥିଲେ। ମାତ୍ର ପ୍ରକାଶନ ସଂସ୍ଥାର ଜଣେ ଦୃଢ଼ମନା ତଥା ବ୍ୟକ୍ତିତ୍ବସଂପନ୍ନ ମ୍ୟାନେଜର ଏପରି ନାମକୁ ବିରୋଧ କରିଥିଲେ। କାରଣ ଏପରି ନାମର ପୁସ୍ତକ ଆଦର ପାଇବନାହିଁ ଓ ଏହାର ବିକ୍ରୟ ମଧ୍ୟ ଆଶାଜନକ ହେବନାହିଁ। ତେଣୁ ସଂକ୍ଷେପରେ ଏହାର ନାମ ରଖାଗଲା ‘ମେଁ କ୍ୟାମ୍‌ଫ’ ବା ‘ମାଇଁ ଷ୍ଟ୍ରଗଲ’। ଏ ପୁସ୍ତକର ବିଷୟବସ୍ତୁ ​‌େ​‌ସତେଟା ଆକର୍ଷଣୀୟ ଓ ସନ୍ତୋଷଜନକ ନଥିଲା। କାରଣ, ଭିଏନା ରହଣି ସମୟର ତିକ୍ତ ଅନୁଭୂତିରୁ ଏକ ବିଶ୍ବବିଖ୍ୟାତ ବ୍ୟକ୍ତିତ୍ବ ହେବାର ପରିକଳ୍ପନା ଏଥିରେ ମୁଖ୍ୟତଃ ସ୍ଥାନ ପାଇଥିଲା। ବାଲ୍ୟ ଜୀବନର ବର୍ଣ୍ଣନା ସ୍ବଳ୍ପ ଓ ସୀମିତ ଥିଲା। କିଛି ଘଟଣା ବହୁଳ ପ୍ରସଙ୍ଗ ସ୍ଥାନ ପାଇଥିଲେ ପୁସ୍ତକଟି ଆକର୍ଷଣୀୟ ହୋଇ ପାରିଥାନ୍ତା; ମାତ୍ର ଅନେକ ଘଟଣାରେ ସେ ବିଫଳ ହୋଇଥିବାରୁ ସେ ସବୁର ବର୍ଣ୍ଣନା କରିବାକୁ ଚାହିଁ ନଥିଲେ। ପ୍ରାୟ ୪ ଶହ ପୃଷ୍ଠା ସମ୍ବଳିତ ପୁସ୍ତକର ପ୍ରଥମ ଖଣ୍ଡ ୧୯୨୫ ମସିହା ଶରତ କାଳରେ ପ୍ରକାଶିତ ହେଲା। ଏହାର ମୂଲ୍ୟ ରଖାଗଲା ୧୨ ମାର୍କ ବା ୩ ଆମେରିକୀୟ ଡଲାର ଯାହା ତତ୍କାଳୀନ ଜର୍ମାନ ପ୍ରକାଶିତ ପୁସ୍ତକର ମୂଲ୍ୟର ଦୁଇଗୁଣ ଥିଲା। ଅଧିକାଂଶ ଲୋକ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ତଥାପି ପ୍ରଥମ ବର୍ଷର ବିକ୍ରୟ ସଂଖ୍ୟା ଥିଲା ୨୩୦୦୦ ଓ ଏହି ସଂଖ୍ୟା କ୍ରମେ ବୃଦ୍ଧି ପାଇଥିଲା।
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରକାଶନ ସଂସ୍ଥା ତରଫରୁ ଆକଳନ କରାଯାଇଥିଲା ଯେ, ଏହି ପୁସ୍ତକର ବିକ୍ରୟ ସଂଖ୍ୟା ଥିଲା ୧୯୨୫ ମସିହାରେ, ୯୪୭୩, ୧୯୨୬ରେ ୬୯୧୩, ୧୯୨୮ରେ ୩୦୧୫ ଓ ୧୯୨୯ରେ ୭୬୬୪। ୧୯୩୦ ମସିହାରେ ନାଜୀଦଳର ଭାଗ୍ୟ ଉଦୟ ହେବାରୁ ଏହାର ବିକ୍ରୟ ସଂଖ୍ୟା ୫୪୮୦୬ରେ ପହଞ୍ଚିଥିଲା। ପୁସ୍ତକର ମୂଲ୍ୟହ୍ରାସ କରାଗଲା। ୧୯୩୨ ମସିହାରେ ସର୍ବକାଳୀନ ବିକ୍ରୟ ରେକର୍ଡ ଥିଲା ୯୦୩୫୧। ପୁସ୍ତକର ଦ୍ବିତୀୟ ଭାଗ ପ୍ରକାଶ ପାଇଲା ୧୯୨୬ ମସିହାରେ ହିଟଲର ଜେଲ୍‌ରୁ ମୁକୁଳିବା ପରେ। ସମୁଦାୟ ପୁସ୍ତକଟି ଥିଲା ୭୮୨ ପୃଷ୍ଠା ସମ୍ବଳିତ। ୧୯୩୩ ମସିହାରେ ସେ ଜର୍ମାନ ଚାନ୍‌ସେଲର ହେବା ପରେ ଏହାର ବିକ୍ରୟ ସଂଖ୍ୟା ୧୦ ଲକ୍ଷ ଟପିଯାଇଥିଲା। ହିଟଲର ତାଙ୍କ ଜୀବନର ପ୍ରଥମ ଥର ପାଇଁ ଲକ୍ଷପତି ହେବାର ସୁଯୋଗ ପାଇଲେ। ଯେଉଁ ପରିବାର ଏହି ପୁସ୍ତକ କିଣୁଥିଲେ ସେ ନିଜକୁ ଏକ ପ୍ରକାର ସୁରକ୍ଷିତ ମନେ କରୁଥିଲେ। ବିବାହ ସମୟରେ ନବ ଦମ୍ପତିଙ୍କ ପାଇଁ ଏହି ପୁସ୍ତକ ସବୁଠାରୁ ଅଧିକ ସମ୍ମାନଜନକ ଉପହାର ଭାବେ ବିବେଚିତ ହେଉଥିଲା। କୌଣସି ଛାତ୍ର ସ୍କୁଲ ପାଠ ସାରି ବିଦା ହେବା ବେଳେ ତାକୁ ଏହି ପୁସ୍ତକ କ୍ରୟ କରିବା ପାଇଁ ବାଧ୍ୟ କରାଯାଉଥିଲା।
ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭରୁ ଏକବର୍ଷ ମଧ୍ୟରେ ଏହି ନାଜୀ ଧର୍ମଗ୍ରନ୍ଥର ବିକ୍ରୟ ସଂଖ୍ୟା ଥିଲା ୬୦ ଲକ୍ଷ। କ୍ଷମତାକୁ ଆସିବା ପୂର୍ବରୁ ହିଟଲରଙ୍କୁ ଏହି ପୁସ୍ତକ ବିକ୍ରୟ ଲବ୍ଧ ଅର୍ଥ ଉପରେ ଆୟକର ଦେବାକୁ ପଡ଼ୁଥିଲା ଯାହା କ୍ଷମତାକୁ ଆସିବା ପରେ ବନ୍ଦ ହୋଇଯାଇଥିଲା। ଚର୍ଚ୍ଚମାନଙ୍କରେ ବାଇବେଲ ଓ କ୍ରୁଶ ଚିହ୍ନ ପରିବର୍ତ୍ତେ ଏହି ନାଜୀ ଧର୍ମଗ୍ରନ୍ଥ ସହିତ ଏକ ତରବାରି ସ୍ଥାନିତ କରାଗଲା। ୧୯୩୯ରୁ ୧୯୪୫ ମଧ୍ୟରେ ନାଜୀ ସାମ୍ରାଜ୍ୟ ଗଠନର ଏକ ରୂପରେଖ ଓ ପରାଜିତ ୟୁରୋପୀୟ ରାଷ୍ଟ୍ରମାନଙ୍କ ଉପରେ କି ପ୍ରକାର ବର୍ବରତା ଆଚରଣ କରାଯିବ ତାହାର ଏକ ବ୍ଲୁପ୍ରିଣ୍ଟ୍‌ ଏହି ପୁସ୍ତକରେ ସ୍ଥାନ ପାଇଥିଲା। ଭିଏନାରୁ ଜର୍ମାନ ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ଉଗ୍ର ଜର୍ମାନ ଜାତୀୟତା ଭାବ ବୃଦ୍ଧି ପାଇଥିଲା ଓ ତତ୍‌ସହିତ ଗଣତନ୍ତ୍ର ନୀତି, ମାର୍କ୍ସବାଦ ଓ ଇହୁଦୀମାନଙ୍କ ପ୍ରତି ଭୀଷଣ ଘୃଣ୍ୟ ମନୋଭାବ ସୃଷ୍ଟି ହୋଇଥିଲା। ତାଙ୍କର ଦୃଢ଼ ମନୋଭାବ ଥିଲା ଭଗବାନ ଜର୍ମାନକୁ ଏକ ଆର୍ଯ୍ୟ, ସଭ୍ୟ ଜାତି ଭାବେ ସୃଷ୍ଟି କରିଛନ୍ତି ଓ ସେ ଏହାକୁ ବିଶ୍ବରେ ଏକ କ୍ଷମତାଶାଳୀ ରାଷ୍ଟ୍ରଭାବେ ଗଢ଼ିବା ପାଇଁ ଇଚ୍ଛା ପୋଷଣ କରିଛନ୍ତି। ଏହି ପୁସ୍ତକରେ ସେ ଏକ ନୂତନ ଜର୍ମାନର ରୂପରେଖ ପ୍ରସ୍ତୁତ କରିଥିଲେ- ପରାଜିତ ହୋଇ ବିକ୍ଷିପ୍ତ ଭାବେ ରହିଥିବା ଜର୍ମାନର ପୁନର୍ଗଠନ, ଜର୍ମାନୀକୁ ବିଶ୍ବର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବା, ଜର୍ମାନ ରାଷ୍ଟ୍ରକୁ ‘ଜାତି’ ଉପରେ ପ୍ରଚିଷ୍ଠା କରିବା; ଅର୍ଥାତ୍‌ ଏହାକୁ ଏକ ଜାତିଭିତ୍ତିକ ସାମ୍ରାଜ୍ୟରେ ପରିଣତ କରିବା, ଜର୍ମାନ ବାହାରେ ବସବାସ କରୁଥିବା ଜର୍ମାନବାସୀଙ୍କୁ ଏଥିରେ ସାମିଲ କରିବା, ନିରଙ୍କୁଶ ଏକଛତ୍ରବାଦର ପ୍ରତିଷ୍ଠା କରିବା, ନିଜେ ଏହାର ସର୍ବୋଚ୍ଚ କର୍ତ୍ତା ହୋଇ ରହିବା ଓ ପରିଶେଷରେ ସମସ୍ତ ବିଶ୍ବର ଏକଛତ୍ର ଶାସକ ହେବା।
ତାଙ୍କର ଏହି ସୁଚିନ୍ତିତ ଯୋଜନା ସମ୍ବଳିତ ପୁସ୍ତକଟି ଜର୍ମାନବାସୀ ସ୍ବାଗତ କରିଥିଲେ। ମାତ୍ର ଜର୍ମାନ ଏକ ଭୟଙ୍କର ଅନ୍ଧକାର ଘଟଣାବହୁଳ ଭବିଷ୍ୟତ ଆଡ଼କୁ ଗତିକରୁଥିବା ସୂଚନା ଏହି ଯୋଜନାରୁ ମିଳିସାରିଥିଲା ଯେଉଁଥିରେ ଲକ୍ଷଲକ୍ଷ ଜର୍ମାନବାସୀଙ୍କର ସର୍ବନାଶ ହେବ। ପୁସ୍ତକର ପ୍ରଥମ ଖଣ୍ଡରେ ଜର୍ମାନ ଶାସନ କ୍ଷମତା ହାସଲ କରିବା ସହ ସମଗ୍ର ବିଶ୍ବକୁ ଅକ୍ତିଆର କରିବାର ଯୋଜନା ଲିପିବଦ୍ଧ ହୋଇଥିବାବେଳେ ଦ୍ବିତୀୟ ଭାଗରେ ଜର୍ମାନର ଚିରଶତ୍ରୁ ଫ୍ରାନସକୁ ପରାସ୍ତକରି ଜର୍ମାନର ସୀମା ସଂପ୍ରସାରଣ କରିବା ଓ ପୂର୍ବଭାଗରେ ରୁଷିଆକୁ ଅକ୍ତିଆର କରି ଜର୍ମାନର ସୀମା ବୃ୍ଦ୍ଧି କରିବା ଯୋଜନା ଲିପିବଦ୍ଧ କରାଯାଇଛି। ଏଥିରେ ସେ ତାଙ୍କର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି- ‘ମାଟି ଉପରେ ସେହି ବ୍ୟକ୍ତିର ଅଧିକାର ଥାଏ ଯେ ବଳପୂର୍ବକ ଏହାକୁ ଦଖଲ କରିଥାଏ। ଯେଉଁ ସମସ୍ୟାର ସମାଧାନ ଆପୋସରେ ସମ୍ଭବ ହୁଏ ନାହିଁ ତାହା କ୍ଷମତା ପ୍ରୟୋଗକରି ସମାଧାନ କରାଯାଇଥାଏ।’ ତାଙ୍କର ନୀତି ଓ ମୂଳଲକ୍ଷ୍ୟ ଥିଲା ନିର୍ବୋଧ ଗଣତନ୍ତ୍ରର ମୂଳୋତ୍ପାଟନ । କାରଣ ବହୁ ମତ ଉପରେ ସିଦ୍ଧାନ୍ତ ଗ୍ରହଣୀୟ ହୋଇପାରେ ନାହିଁ। କେତେକ ମୁଷ୍ଟିମେୟ ଦାୟିତ୍ବବାନ ବ୍ୟକ୍ତିଙ୍କର ମତ ସାବ୍ୟସ୍ତ କରିବାର ଅଧିକାର ରହିବ; ମାତ୍ର ନିଷ୍ପତ୍ତି ଗ୍ରହଣ କରିବା କ୍ଷମତା ତାଙ୍କରିଠାରେ ହିଁ ରହିବ। ପୁସ୍ତକରେ ଏହିପରି ଅନେକ ବିଭ୍ରାନ୍ତିକର ଓ ଦିଗହରା ବିଷୟବସ୍ତୁ ସ୍ଥାନ ପାଇଥିଲା। ରାଜନୈତିକ ଦୃଷ୍ଟିକୋଣରୁ କେତେକ ଆଇନବିରୁଦ୍ଧ, ଆପତ୍ତିଜନକ ଓ କଟୁ ସମାଲୋଚନାମୂଳକ ଲେଖା ସହ ଅନେକ ବ୍ୟାକରଣ ଗତ ତ୍ରୁଟି ମଧ୍ୟ ଥିଲା। ତାଙ୍କ ଦଳର ଏକ ଦୃଢ଼ ବ୍ୟକ୍ତିତ୍ବ ସଂପନ୍ନ ବ୍ୟକ୍ତି ଫାଦର ବର୍ଣ୍ଣାହାର୍ଡ ଷ୍ଟେମ୍‌ ଫ୍ଲେଙ୍କ ପ୍ରଚେଷ୍ଟାରେ ଏ ସବୁର ସଂସ୍କାର କରାଯାଇ ଏକ ବ୍ୟବସ୍ଥିତ ସ୍ତରକୁ ଅଣାଯାଇଥିଲା।
ଜର୍ମାନର ଇତିହାସ ପଠନ, କେତେକ ଦାର୍ଶନିକ ଓ ଅଧ୍ୟାପକମାନଙ୍କର ସମାଲୋଚନାମୂଳକ ଲେଖା ଓ ଉତ୍ତେଜନାପୂର୍ଣ୍ଣ ଭାଷଣ ହିଟଲରଙ୍କ ଖଳ ବିଚକ୍ଷଣ ମସ୍ତିଷ୍କ ଓ ତନ୍ତ୍ରୀରେ ଏକ ନୂତନ ଉଦ୍ଦୀପନା ସୃଷ୍ଟି କରିଥିଲା ଏହି ପୁସ୍ତକ ରଚନା କରିବା ପାଇଁ। ଏ ସମସ୍ତ ଲେଖା ଓ ଭାଷଣ ମଧ୍ୟରେ ସବୁଠାରୁ ଅଧିକ ଆକର୍ଷଣୀୟ ଥିଲା ତାଙ୍କୁ ‘ଲର୍ଡ ଅଫ୍‌ ଦି ଆର୍ଥ’ ଭାବେ ଇଙ୍ଗିତ କରିବା। ଏହି ପରିକଳ୍ପିତ ଯୋଜନାକୁ ବାସ୍ତବ ରୂପଦେବା ପାଇଁ ଉଦ୍ୟମ କରି ସେ ଜର୍ମାନକୁ ଧ୍ବଂସର ଅତଳ ସମୁଦ୍ର ମଧ୍ୟକୁ ନେଇଯାଇଥିଲେ। ତାଙ୍କର ଦୃଢ଼ୋକ୍ତି, ‘ଥାଉଜାଣ୍ଡ ଇଅରସ୍‌ ଅଫ୍‌ ଥାର୍ଡ ରାଇକ୍‌’ ମାତ୍ର ୧୨ ବର୍ଷ ୪ ମାସ ୮ ଦିନରେ ସମାପ୍ତ ହୋଇଯାଇଥିଲା। ହିଟଲରଙ୍କ ଦୟନୀୟ ମୃତ୍ୟୁ ଓ ଜର୍ମାନ ସେନାର ମିତ୍ରଶକ୍ତି ନିକଟରେ ନିଃସର୍ତ୍ତ ଆତ୍ମ ସମର୍ପଣ ସହ ନାଜୀବାଦର ଅବସାନ ହେଲା ଯାହାକୁ ଜର୍ମାନ ଇତିହାସରେ ‘ଅନ୍ଧକାର ଯୁଗ’ ଭାବେ ବର୍ଣ୍ଣନା କରାଯାଇଛି।

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories