ବାଲିଆପାଳ : ‘ସମାଜ’ ପକ୍ଷରୁ ସୁବର୍ଣ୍ଣରେଖା ବନ୍ୟା ବିପନ୍ନଙ୍କୁ ଶନିବାର ରିଲିଫ ବଣ୍ଟନ କରାଯାଇଛି। ବାଲେଶ୍ବର ଜିଲା ବାଲିଆପାଳ ବ୍ଲକର କ୍ଷତିଗ୍ରସ୍ତ ବିଭିନ୍ନ ପଞ୍ଚାୟତରେ ୫୦୦ରୁ ଊର୍ଦ୍ଧ୍ବ ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ଦିଆଯାଇଥିଲା। ବାଲିଆପାଳର ବିଷ୍ଣୁପୁର ପଞ୍ଚାୟତ ରାଉତରାପୁର ଓ ଜାମକୁଣ୍ଡା ପଞ୍ଚାୟତ ବଡ଼ତାଳପଦା ଗ୍ରାମର ଶତାଧିକ ବନ୍ୟା ବିପନ୍ନଙ୍କୁ ‘ସମାଜ’ ପକ୍ଷରୁ ଚୁଡ଼ା, ଚିନି, ବିସ୍କୁଟ, ଅମୁଲ ଆଦି ଶୁଖିଲା ଖାଦ୍ୟ ପୁଡ଼ିଆ, ମହମବତି ଓ ଦିଆସିଲି ଆଦି ବଣ୍ଟନ କରାଯାଇଛି। ‘ସମାଜ’ ବାଲେଶ୍ୱର ସଂସ୍କରଣ ଶାଖା ପରିଚାଳକ ସତ୍ୟବ୍ରତ ଜେନା, ବ୍ୟୁରୋ ମୁଖ୍ୟ ଶଶିରଞ୍ଜନ ମଲ୍ଲିକ, ସହ ସମ୍ପାଦକ ଡ. ଜଗନ୍ନାଥ ଖଟୁଆ, ବାଲିଆପାଳ ‘ସମାଜ’ ପ୍ରତିନିଧି ପ୍ରତାପ କୁମାର ପାତ୍ର, ମୁରଲୀଧର ଦାସ ଓ ଅଜୟ କୁମାର ସାହୁଙ୍କ ସମେତ ସ୍ଥାନୀୟ ୱାର୍ଡର ସ୍ବେଚ୍ଛାସେବୀ ଯୁବକମାନେ ରିଲିଫ ବଣ୍ଟନରେ ସହାୟତା କରିଥିଲେ।
ଏହି ଅବସରରେ ଶାଖା ପରିଚାଳକ ଶ୍ରୀ ଜେନା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଖବର କାଗଜ ଦୀର୍ଘ ୧୦୫ ବର୍ଷ ଧରି ଦୀନ ଦରିଦ୍ରଙ୍କ ସେବା କରିବା ସହିତ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ଦୁର୍ବିପାକରେ ଲୋକଙ୍କ ପାଖରେ ଠିଆ ହୋଇଥାଏ। ଖାଲି ସେତିକି ନୁହେଁ, ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଉଥିବା କହିଥିଲେ। ପର୍ଯ୍ୟାୟ କ୍ରମେ ଅନ୍ୟ ଗ୍ରାମରେ ରିଲିଫ ବଣ୍ଟନ କରାଯାଉଥିବା ନେଇ ବ୍ୟୁରୋ ମୁଖ୍ୟ ଶ୍ରୀ ମଲ୍ଲିକ କହିଥିଲେ।
ସୂଚନାଯୋଗ୍ୟ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଉତ୍ତର ବାଲେଶ୍ବରର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇରେ ବ୍ୟାପକ କ୍ଷତି ଘଟିଛି। ଏକ ସପ୍ତାହ ଭିତରେ ଦୁଇ ଥର ବନ୍ୟା ଆସି ବହୁ ଚାଷ ନଷ୍ଟ ହୋଇଥିବାବେଳେ ଦୁଇଟି ବନ୍ୟାରେ ଉପରୋକ୍ତ ପଞ୍ଚାୟତରେ ୫ ଜଣଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ ଯେ ଲୋକସେବକ ମଣ୍ଡଳର ସଭାପତି ଓ ‘ସମାଜ’ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ରାଜକୁମାରଙ୍କ ନିର୍ଦେଶ କ୍ରମେ ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଶ୍ରୀ ଦୀପକ ମାଲବ୍ୟ ଓ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ଏହି ରିଲିଫ କାର୍ଯ୍ୟ ଚାଲିଛି ।
‘ସମାଜ’ ପକ୍ଷରୁ ସୁବର୍ଣ୍ଣରେଖା ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ
Popular Categories



