ଏପ୍ରିଲ ୩୦ ତାରିଖରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜନସୁମାରି ସମୟରେ ଜାତି ଜନଗଣନା ଅନ୍ତର୍ଭୁକ୍ତ ହେବା ନେଇ ସୂଚନା ଦେବାପରେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ମହଲରେ ବିତର୍କ ଚାଲିଛି। ବିରୋଧୀ କଂଗ୍ରେସ ଦଳ ଯୁକ୍ତି ଦର୍ଶାଇଛନ୍ତି ଯେ ସେମାନେ ଅନେକ ଦିନ ହେଲା ଜାତି ଜନଗଣନା ପାଇଁ ଦାବି କରୁଥିଲେ, ଆଉ ଏବେ ତାଙ୍କ ଦାବିପୂରଣ ହୋଇଛି। ରାଜନୈତିକ ବାଦବିବାଦ ମଧ୍ୟରେ ଅଚାନକ ଏନ୍ଡିଏ ସରକାରର ଏହି ନୀତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆମେ ଯଦି ଭାରତୀୟ ସାମାଜିକ ବ୍ୟବସ୍ଥାକୁ ଦେଖିବା ଭାରତର ଜାତିଗତ ଭେଦଭାବ ଜାତିଭିତ୍ତିକ ଜନଗଣନା ନ ହେଲେ ମଧ୍ୟ ପ୍ରଚଳିତ ଅଛି; ଅର୍ଥାତ୍ ଯେଉଁମାନେ ଜାତିଗତ ଜନଗଣନା ଦ୍ବାରା ବିଭେଦ ବଢ଼ିବ ବୋଲି ଆଶଙ୍କା କରୁଛନ୍ତି ତାହା ସେତେଟା ଯୁକ୍ତିଯୁକ୍ତ ପ୍ରତୀୟମାନ ହେଉନାହିଁ; ବରଂ ଭାରତ ଭଳି ସମାଜ ଯେଉଁଠାରେ ଜାତିଗତ ବୈଷମ୍ୟ ଓ ତଦ୍ଜନିତ ସମସ୍ୟା ସମାଜରେ ଏକ ବ୍ୟାଧି ଭଳି ବ୍ୟାପି ରହିଛି ସେଠି ସାମାଜିକ ଅସମାନତାର ଦୂରୀକରଣ ଏବଂ ସମାନତାମୂଳକ ସମାଜ ଗଠନ ପାଇଁ ଜାତି ଜନଗଣନା ଗୋଟେ ରୋଗର ପରୀକ୍ଷଣ ଭଳି କାର୍ଯ୍ୟ କରିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଉଭୟ ନୀତି ଏବଂ ରାଜନୀତିରେ ଏକ ଅଭିନବ ପନ୍ଥା ଅବଲମ୍ବନ କରିବା ସହ ଶାସନ ପରିଚାଳନାରେ ମଧ୍ୟ ସରକାରଙ୍କୁ ସ୍ବାଭାବିକ ଭାବରେ ସହାୟକ ହେବ।
ଏଠି ପ୍ରଶ୍ନଉଠୁଛି ଯେ, କୌଣସି ରାଷ୍ଟ୍ରରେ ଜନଗଣନା କାହିଁକି କରାଯାଏ? ସଂଖ୍ୟା ହେଉଛି ଗୋଟିଏ ଶାସନର ଆଧାର; ଏହା ବିନା, ସରକାର ସୁଶାସନ କରିବାରେ ଆତ୍ମ ବିଶ୍ୱାସ ହରାଇଥାଏ। ଆମେ ଦେଖିବା ଯେ, କୌଣସି ବି ସରକାରୀ କାର୍ଯ୍ୟାଳୟରେ ପ୍ରତ୍ୟେକ ଜିନିଷର ପରିମାଣ ସହ ବ୍ୟବସ୍ଥିତ କରାଯାଇଥାଏ, ଯାହା ପ୍ରଶାସନିକ ରେକର୍ଡର ମୂଳଦୁଆ ଗଠନ କରେ। ସେହିପରି ସରକାର ସମସ୍ତ ଜିନିଷକୁ ବର୍ଗୀକରଣ ଏବଂ ପରିମାଣିକ କରନ୍ତି।
ଭାରତରେ ଆଧୁନିକ ରାଷ୍ଟ୍ରର ଅଭ୍ୟୁଦୟ ପରଠାରୁ ଜନସଂଖ୍ୟା ଗଣନା କରାଯାଇଛି। ୧୮୭୨ ମସିହାରେ ବ୍ରିଟିଶ ଶାସନକାଳରେ ପ୍ରଥମ ଔପନିବେଶିକ ଜନଗଣନା ଏକ ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଦେଇଥିଲା, ଯାହା ବ୍ରିଟିଶମାନଙ୍କୁ ଭାରତକୁ ନିୟନ୍ତ୍ରଣ କରିବା ସହ ଭାରତୀୟଙ୍କ ଜୀବନ ଶୈଳୀର ପ୍ରତ୍ୟେକ ଦିଗକୁ ନିରୀକ୍ଷଣ ଓ ଶାସନ କରିବାରେ ସାହାଯ୍ୟ କରିଥିଲା; କିନ୍ତୁ ୧୯୩୧ରେ ପ୍ରଥମଥର ପାଇଁ ଏକ ବ୍ୟାପକ ଜାତିଗଣନା ଅନେକ ରାଜନୈତିକ ଏବଂ ସାମାଜିକ ବାସ୍ତବତାକୁ ପୁନଃନିର୍ମାଣ କରିବାର ଆଧାର ହେଲା। ଜନଗଣନାକୁ ଏକ ପ୍ରଶାସନିକ ଗଣନା ଭାବରେ ପରିଗଣିତ କରାଯାଇଥିଲା ଓ ଗୋଷ୍ଠୀଗୁଡ଼ିକର ପୁନଃଗଠନର ଏକ ରାଜନୈତିକ କାର୍ଯ୍ୟ ଅପେକ୍ଷା ଏକ ପରିସଂଖ୍ୟାନ କାର୍ଯ୍ୟକଳାପ ଥିଲା। ଏଚ.ଏଚ ରିଜଲେଙ୍କ ଦ୍ୱାରା ଜାତି ଜନଗଣନାର ପ୍ରଚଳନ ଏହାକୁ ଏକ ରାଜନୈତିକ ଉପକରଣରେ ପ୍ରଥମେ ପରିଣତ କରିଥିଲା, ଯାହା ପୂର୍ବରୁ କେବେ ବ୍ୟବହୃତ ହୋଇନଥିଲା। ଜାତି ସଂଗଠନର ଉତ୍ଥାନ ଏବଂ ସମଗ୍ର ଉପମହାଦେଶରୁ ଜାତିପ୍ରଥା ବିଷୟରେ ଅଧ୍ୟୟନ ସାହିତ୍ୟରେ ରିଜ୍ଲେଙ୍କର ଏକ ନାଟକୀୟ ପ୍ରଭାବ ଥିଲା।
ଊନବିଂଶ ଶତାବ୍ଦୀର ଶେଷ ଭାଗରେ, ଉଚ୍ଚ ଜାତିର ଭାରତୀୟ ସମ୍ଭ୍ରାନ୍ତମାନେ ବ୍ରିଟିଶଙ୍କଠାରୁ ରାଜନୈତିକ ସଂସ୍କାର ଏବଂ ପ୍ରତିନିଧିତ୍ୱ ଚାହୁଁଥିଲେ। ଜନଗଣନାର ସଂଖ୍ୟା ଉପନିବେଶବାଦୀ-ସରକାରକୁ ରାଜସ୍ୱ କର, ଶିକ୍ଷା ଏବଂ ବିଶ୍ୱବିଦ୍ୟାଳୟ, ସାଧାରଣ ସେବା ଏବଂ ବୈଧାନିକ ସଭାରେ ସୃଷ୍ଟି ହୋଇଥିବା ନୂତନ ସୁଯୋଗ ମାଧ୍ୟମରେ ଭାରତର ଜଟିଳ ସାମାଜିକ ଏବଂ ସାଂସ୍କୃତିକ ଗଠନକୁ ପୁନଃ ଆକାର ଦେବାରେ ସକ୍ଷମ କରିଥିଲା। ଏହା ଶେଷରେ ବ୍ରିଟିଶଙ୍କ ପାଇଁ ଉଚ୍ଚ ଜାତି ଭାରତୀୟ ସମ୍ଭ୍ରାନ୍ତଙ୍କ ମଧ୍ୟରେ ଏକ ସମର୍ଥକ ଭିତ୍ତିଭୂମି ସୃଷ୍ଟି କରିଥିଲା।
ଠିକ୍ ସେହିପରି, ସମୟକ୍ରମରେ ତଳସ୍ତରର ସମ୍ପ୍ରଦାୟଗୁଡ଼ିକ ମଧ୍ୟ ଶିକ୍ଷା ଏବଂ ରାଜନୈତିକ ପ୍ରତିନିଧିତ୍ୱ ପାଇବାକୁ ପ୍ରଚେଷ୍ଟା କରିବା ଆରମ୍ଭ କରିଥିଲେ। ୧୯୩୦ ଦଶକ ପରେ ଡକ୍ଟର ବି.ଆର.ଆମ୍ବେଦକରଙ୍କର ଜନ୍ମିତ କ୍ଷେତ୍ରରେ ଆବିର୍ଭାବ ଫଳରେ ଉଚ୍ଚଜାତି ଆଧିପତ୍ୟକୁ ଆହ୍ବାନ କରିଥିଲା। ଫଳରେ ଦଳିତ କିମ୍ବା ପଛୁଆ ବର୍ଗଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଭାରତ ସରକାର ଆଇନ, ୧୯୩୫ ଏବଂ ଭାରତୀୟ ସମ୍ବିଧାନ ଦଳିତ ଏବଂ ଆଦିବାସୀଙ୍କ ପାଇଁ ମର୍ଯ୍ୟାଦା ଏବଂ ସମାନତା ଆଣିଥିଲେ; କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓ.ବି.ସି) ସମ୍ବିଧାନ ସଭା ଦ୍ୱାରା ଉପେକ୍ଷିତ ହୋଇଥିଲା।
ଭାରତର ସ୍ୱାଧୀନତା ପରବର୍ତ୍ତୀ ସମୟରେ, ୧୯୫୩ ମସିହାରେ, କାକା କଲାଲକର କମିସନ ପଛୁଆ ବର୍ଗର ସମ୍ପ୍ରଦାୟଗୁଡ଼ିକୁ ଚିହ୍ନଟ କରିବା ଏବଂ କଲ୍ୟାଣମୂଳକ ପଦକ୍ଷେପ ପ୍ରସ୍ତାବ ଦେବାପାଇଁ ପ୍ରତିଷ୍ଠିତ ହୋଇଥିଲା। ୧୯୫୫ ମସିହାର ରିପୋର୍ଟରେ, କମିସନ ପ୍ରାୟ ୨୩୦୦ ସମ୍ପ୍ରଦାୟକୁ ପଛୁଆ ବର୍ଗ ଭାବରେ ଚିହ୍ନଟ କରିଥିଲା। ତଥାପି ଅସ୍ପଷ୍ଟ ମାନଦଣ୍ଡ ଏବଂ ରାଜନୈତିକ ସମ୍ମତି ଅଭାବରୁ ଉକ୍ତ ରିପୋର୍ଟ କାର୍ଯ୍ୟକାରୀ ହୋଇନଥିଲା। ବାସ୍ତବରେ, ରିପୋର୍ଟଟି ତତ୍କାଳୀନ କଂଗ୍ରେସ ଗୃହମନ୍ତ୍ରୀ ଜି.ବି. ପନ୍ତଙ୍କଠାରୁ ନକାରାତ୍ମକ ପ୍ରତିକ୍ରିୟା ପାଇଥିଲା, ଯିଏ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଜାତି ଉପରେ ଗୁରୁତ୍ୱ ‘ବିଚ୍ଛିନ୍ନତାବାଦର ବିପଦ’ ପ୍ରଦର୍ଶନ ଏବଂ ‘ଏକ ସମାନତାବାଦୀ ସମାଜ ଆଡ଼କୁ ଆମର ପ୍ରଗତି ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ’ ହୋଇପାରେ। ଏହି ସମୟ ମଧ୍ୟରେ, ଡକ୍ଟର ରାମ ମନୋହର ଲୋହିଆ ଏକ ବିପରୀତ କିନ୍ତୁ ପରିବର୍ତ୍ତନକାରୀ ଦୃଷ୍ଟିକୋଣ ପ୍ରକାଶ କରିଥିଲେ – “ଆମକୁ ଏକ ନୂତନ ନୀତି ଅନୁସରଣ କରିବା ଉଚିତ ଯେ ଯୋଗ୍ୟତା ବା ମେଧା ସୁଯୋଗରୁ ଆସିଥାଏ। ଦେଶର ଷାଠିଏ ପ୍ରତିଶତ ଉଚ୍ଚ ସୁଯୋଗ ଭାରତର ୯୦% ଜନସଂଖ୍ୟା ଯଥା: ଶୂଦ୍ର, ଦଳିତ, ଧାର୍ମିକ ସଂଖ୍ୟାଲଘୁ, ପଛୁଆ ଜାତି, ମହିଳା ଏବଂ ଆଦିବାସୀଙ୍କ ପାଖକୁ ଯିବା ଉଚିତ।” ଏହି ନୀତିକୁ ସର୍ବାଧିକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରୟୋଗ କରାଯିବା ଉଚିତ ଏବଂ ମୁଁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରୁଛି, ଯାହା ମେଧା ଏବଂ ଯୋଗ୍ୟତାର ପ୍ରତାରଣା ମୂଳକ ଭିତ୍ତିଭୂମି ଉପରେ ନିର୍ଭର କରେ।’’
ଲୋହିଆଙ୍କ ହସ୍ତକ୍ଷେପରେ, ମଣ୍ଡଳ କମିସନ ତାଙ୍କ ୧୯୮୦ ରିପୋର୍ଟରେ କେନ୍ଦ୍ର ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପଛୁଆବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ସୁପାରିସ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ୧୯୩୧ ଜାତି ଜନଗଣନା ତଥ୍ୟ ଆଧାରରେ ଓବିସିମାନେ ଭାରତର ଜନମିଶନ ରିପୋର୍ଟର ଆଂଶିକ କାର୍ଯ୍ୟାନ୍ୱୟନକୁ ଅନୁମତି ଦେଇଥିଲେ, ଯାହା ସାରାଦେଶରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଥିଲା। ତଥାପି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ସମ୍ପର୍କରେ ପରବର୍ତ୍ତୀ ବିତର୍କ ମଧ୍ୟ ଅଧିକ ଠିକ ନୀତି ନିର୍ଦ୍ଧାରଣ ପାଇଁ ନୂତନ ଏବଂ ଅଧିକ ପ୍ରାସଙ୍ଗିକ ତଥ୍ୟର ଅଭାବର ପ୍ରସଙ୍ଗ ଉଠାଇଥିଲା, ଯାହା ଏହି ସମୟଠାରୁ ଜାତି ଜନଗଣନା ଦାବିକୁ ଗତି ଦେଇଥିଲା।
ଏ ହେଉଛି ଜାତି ଜନଗଣନା ଦାବିର ଏକ ଐତିହାସିକ ପୃଷ୍ଠଭୂମି। ଏଠି ପ୍ରଶ୍ନ ଉଠୁଛି ଯେ ସମ୍ପ୍ରତି କାହିଁକି ଜାତି ଜନଗଣନା ପାଇଁ ସରକାର ଅଣ୍ଟା ଭିଡିଛନ୍ତି। ଯଦି ଆମେ ଗତ ସାଧାରଣ ନିର୍ବାଚନକୁ ଦେଖିବା ତା’ହେଲେ ବିରୋଧୀ ଦଳଗୁଡିକ ତାଙ୍କର ରାଜନୈତିକ ଘୋଷଣାପତ୍ରରେ ଏବଂ ପ୍ରଚାରରେ ବାରମ୍ବାର ଜାତି ଜନଗଣନା ଓ ପଛୁଆ ବର୍ଗର ଅଧିକ ପ୍ରତିନିଧିତ୍ବ ପାଇଁ ଯୁକ୍ତି ବାଢ଼ୁଥିଲେ ଆଉ ନିଜକୁ ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରମୁଖ ବୋଲି ପ୍ରଦର୍ଶନ କରାଇଥିଲେ। ସେଥିପାଇଁ ଭାରତୀୟ ଜନତା ପାର୍ଟି ସରକାର ବିରୋଧୀଙ୍କ ଏହି ରାଜନୈତିକ ପ୍ରସଙ୍ଗକୁ ଦବାଇବା ପାଇଁ ଏହା ହୁଏତ ଏକ ସ୍ବାଭାବିକ ପଦକ୍ଷେପ ହୋଇପାରେ।
ଜାତି ଜନଗଣନା ଦ୍ବାରା ବାସ୍ତବରେ ସାମାଜିକ ନ୍ୟାୟ ସ୍ଥାପନ ଦିଗରେ କେମିତି ସହାୟ ହେବ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ଆମକୁ ପ୍ରଥମେ ସାମାଜିକ ନ୍ୟାୟର ଅର୍ଥ ଜାଣିବାକୁ ହେବ। ଯଦି ଏକ ସମାଜରେ ଧନ, ସମ୍ପତ୍ତି ଓ ସମ୍ମାନ ସହିତ ଉପଭୋଗ କରୁଥିବା ବ୍ୟକ୍ତି ସମୂହ ଯାହାଙ୍କ ହାତରେ ଏସବୁର ମାଲିକାନା ମଧ୍ୟ ଥିବ ଏବଂ ଅପରପକ୍ଷରେ ଅନ୍ୟ ବ୍ୟକ୍ତି ସମୂହ ଯେଉଁମାନେ ଏହି ସବୁରୁ ବାଦ୍ ପଡ଼ିଛନ୍ତି କିମ୍ବା ବଞ୍ଚିତ ହୋଇଛନ୍ତି ଏହି ମାନଙ୍କ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ଭାବେ ତାରତମ୍ୟ ରହେ, ଆମେ କହିବା ଯେ ସେଠାରେ ସାମାଜିକ ନ୍ୟାୟର ଅଭାବ ଅଛି। ସାମାଜିକ ନ୍ୟାୟ ସମ୍ପୂର୍ଣ୍ଣ ସମାନତା କିମ୍ବା ସମୃଦ୍ଧି ଆବଶ୍ୟକ କରେନାହିଁ; କିନ୍ତୁ ଗୋଟିଏ ସମାଜରେ ଯେତେବେଳେ ଅସମାନତାର ପାର୍ଥକ୍ୟ ବିଶେଷ ଭାବରେ ବଢିଯାଏ ଓ ଗୋଟିଏ ସମୂହ ଅନ୍ୟ ଗୋଟିଏ ସମୂହ ସହ ସମନ୍ବୟ କରିବାର ସୁଯୋଗ ବି ହରାଇବାର ହୃଦବୋଧ କରେ ଆମେ କହିପାରିବା, ସେ ସମାଜ ଗୋଟିଏ ନ୍ୟାୟିକ ସମାଜ ନୁହଁ। ଭାରତରେ ଏହି ସାମାଜିକ ତାରତମ୍ୟ ବିଶେଷ ଭାବରେ ରହିଛି।
ଆମେରିକାର ଦାର୍ଶନିକ ଜନରଲ୍ସଙ୍କ ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମାନ ମୌଳିକ ସ୍ବାଧୀନତା ପ୍ରଣାଳୀ ସହିତ ସୁସଙ୍ଗତ ସମାନ ମୌଳିକ ସ୍ବାଧୀନତାର ବ୍ୟାପକ ବିସ୍ତୃତ ବ୍ୟବସ୍ଥା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ସମାନ ଅଧିକାର ରହିବା ଉଚିତ। ତାଙ୍କର ନ୍ୟାୟିକ ସିଦ୍ଧାନ୍ତ ‘ଗଣତାନ୍ତ୍ରିକ ସମାନତା’ରେ ସେ ଉଲ୍ଲେଖ କରିଛନ୍ତି ଯେ, କୌଣସି ବ୍ୟକ୍ତି ଜନ୍ମରୁ କିମ୍ବା ସମାଜରେ ବ୍ୟବସ୍ଥିତ ସୁବିଧାବାଦୀ ବ୍ୟକ୍ତି ସମୂହଙ୍କ ବ୍ୟବସ୍ଥାରୁ ବଞ୍ଚିତ ସେହି ବ୍ୟକ୍ତିକୁ ଭିନ୍ନ ପ୍ରଣାଳୀ ଅନୁସାରେ ଏକ ସମାନ ସୁଯୋଗ ଦେବା ଉଚିତ; ଯାହାକି ଆମେ ଆମ ଏହି ସମ୍ବିଧାନିକ ଜାତିଗତ ସଂରକ୍ଷଣ ବ୍ୟବସ୍ଥାରେ ଏହାକୁ ଦେଖିବାକୁ ପାଉ। କିନ୍ତୁ ଆମ ସମାଜରେ ଏହି ସଂରକ୍ଷଣ ବ୍ୟବସ୍ଥା ସତ୍ତ୍ବେ ଏବେ ବି ଅନେକ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଭିତରେ ବହୁତ ଅନୁଷ୍ଠାନରେ ସମ୍ପୂର୍ଣ୍ଣ ଭାବରେ ତାଙ୍କର ପ୍ରତିନିଧିତ୍ବ ହୋଇପାରି ନାହିଁ ଏବଂ ଅନୁସୂଚିତ ଜାତି ଓ ଜନଜାତି ଭିତରେ ହିଁ କିଛି ଜାତିର ଲୋକ ଆଦୌ ପ୍ରତିନିଧତ୍ବ ପାଇବାରୁ ବଞ୍ଚିତ। ସେଥିପାଇଁ ଜାତି ଜନଗଣନା ଦ୍ବାରା ସଂରକ୍ଷଣ ବ୍ୟବସ୍ଥାରେ ଏକ ନୂତନ ଉପବର୍ଗୀକରଣ ବ୍ୟବସ୍ଥା ଆଣି ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ଭିତରେ ହିଁ ଥିବା ଅସମାନତାକୁ ଦୂର କରିହେବ; ଯାହାକୁ ବି.ଆର୍ ଆମ୍ବେଦକର “କ୍ରମିକ ଅସମାନତା” (ଗ୍ରେଡେଡ୍ ଇନ୍-ଇକ୍ବାଲିଟି) ବୋଲି କହୁଥିଲେ। ଜାତିଗଣନା ଦ୍ବାରା ଆମେ ବିସ୍ତୃତ ଓ ବ୍ୟାପକ ଭାବରେ କ୍ରମିକ ଅସମାନତାକୁ ଚିହ୍ନଟ କରିପାରିବା ଓ ଉପବର୍ଗ ବା ଉପଜାତି ଭିତ୍ତିକ ବ୍ୟବସ୍ଥାରେ ସମସ୍ତ ଗୋଷ୍ଠୀର ପ୍ରତିନିଧିତ୍ବ ଓ ସାମାଜିକ ସ୍ଥାନକୁ ଜାଣିବା ସହ ସେହି ଅନୁସାରେ ନୂତନ ନୀତି ଓ ଖସଡ଼ାମାନ ପ୍ରସ୍ତୁତ କରିବା।
ରାଷ୍ଟ୍ରୀୟ ଆଇନ ବିଶ୍ବବିଦ୍ୟାଳୟ, ବେଙ୍ଗାଲୁରୁ



