ନୂଆଦିଲ୍ଲୀ : ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଚାରି ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ମାତ୍ର ୬.୫% ରହିଛି। କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (ଏମ୍ଡଏସ୍ପିଆଇ) ଅଧୀନରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ଶୁକ୍ରବାର ଏହି ତଥ୍ୟ ଜାରି କରିଛି। ମୋଟ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପୂର୍ବାନୁମାନ କରିଥିଲା। ତେବେ ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି ହାର ଆଶା ଠାରୁ ଅଧିକ ୭.୪ଧ ହାସଲ କରିଛି, ଯାହା ବର୍ଷରେ ସର୍ବାଧିକ ସ୍ତର।
୨୦୨୫ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ହାର ପୂର୍ବ ବର୍ଷର ଅଭିବୃଦ୍ଧି ତୁଳନାରେ କମ୍ ଏବଂ ସାମଗ୍ରିକ ଅର୍ଥନୈତିକ କାର୍ଯ୍ୟକଳାପରେ ଧିମା ବୃଦ୍ଧିକୁ ଦର୍ଶାଉଛି। ତୁଳନାତ୍ମକ ଭାବରେ, କରୋନା ମହାମାରୀ ପର ବର୍ଷଗୁଡ଼ିକରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିଥିଲା। ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୭% ଥିବାବେଳେ ୨୦୨୨-୨୩ରେ ୭.୬% ଓ ୨୦୨୩-୨୪ରେ ୯.୨% ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି ଗତ ଚାରି ବର୍ଷର ସର୍ବନିମ୍ନ ସ୍ତର ୬.୫ ପ୍ରତିଶତ ରହିଥିବାବେଳେ ନୋମିନାଲ ଜିଡିପି ୯.୮% ଅଭିବୃଦ୍ଧି ହାସଲ କରି ୩୩୦.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସମ୍ପୂର୍ଣ୍ଣ ୨୦୨୫ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ମନ୍ଥର ରହିଥିଲେ ମଧ୍ୟ ଶେଷ ତ୍ରୟମାସରେ ଦ୍ରୁତ ଅଭିବୃଦ୍ଧି ଦେଖାଯାଇଛି। କେବଳ ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସରେ ନୋମିନାଲ ଜିଡିପି ୧୦.୮ଧ ବଢ଼ି ୮୮.୧୮ ଲକ୍ଷ କୋଟି ଟଙ୍କା ହୋଇଛି। ଏହି ଆର୍ଥିକ ଅଭିବୃଦ୍ଧି ସହ ଭାରତ କ୍ରମାଗତ ଭାବେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ରହିଛି। ଇତିମଧ୍ୟରେ ଭାରତ ଆନୁଷ୍ଠାନିକ ଭାବରେ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହୋଇଥିବା ନେଇ କିଛିଦିନ ପୂର୍ବେ ନୀତି ଆୟୋଗ ସିଇଓ ବିଭିଆର୍ ସୁବ୍ରମଣ୍ୟମ ସୂଚନା ଦେଇଥିଲେ।
ତେବେ ଆଗାମୀ ୩ ବର୍ଷ ମଧ୍ୟରେ ତୃତୀୟ ବୃହତ୍ ଅର୍ଥନୀତି ହେବା ପାଇଁ ଭାରତ ଲକ୍ଷ୍ୟ ରଖିଛି। ଏବେ କେବଳ ଆମେରିକା, ଚୀନ୍ ଓ ଜର୍ମାନୀ ଅର୍ଥନୀତିର ଆକାର ଭାରତଠାରୁ ଅଧିକ ରହିଛି। ଘରୋଇ ବ୍ୟବହାର ବାର୍ଷିକ ହାରରେ ୭.୨% ବୃଦ୍ଧି ପାଇଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୫.୬% ଥିଲା। ଏହି ବୃଦ୍ଧିକୁ ଶକ୍ତିଶାଳୀ ଗ୍ରାମାଞ୍ଚଳ ଚାହିଦା ସମର୍ଥନ କରିଥିଲା। ଆର୍ଥିକ ବର୍ଷ ୨୦୨୫ରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ୪.୬% ଅଭିବୃଦ୍ଧି ହାସଲ ହୋଇଛି, ଯାହା ପୂର୍ବ ବର୍ଷ ମାତ୍ର ୨.୭% ଥିଲା। ଚତୁର୍ଥ ତ୍ରୟମାସରେ ଏହି କ୍ଷେତ୍ର ୫.୪% ଅଭିବୃଦ୍ଧି ହାସଲ କରିଛି, ଯାହା ଏକ ବର୍ଷ ପୂର୍ବ ସମାନ ତ୍ରୟମାସରେ ମାତ୍ର ୦.୯ଧ ଥିଲା। ନିର୍ମାଣ ଶିଳ୍ପ ବାର୍ଷିକ ୯.୪% ଅଭିବୃଦ୍ଧି ହାସଲ କରିଛି, ଯାହା ପୂର୍ବ ବର୍ଷ ୧୦.୪% ଠାରୁ ସାମାନ୍ୟ କମ୍। ତେବେ ଉତ୍ପାଦନରେ ମାନ୍ଦାବସ୍ଥା ଦେଖାଦେଇଛି। ୨୦୨୫ ଆର୍ଥିକ ବର୍ଷରେ ଏହି କ୍ଷେତ୍ର ମାତ୍ର ୪.୫% ବୃଦ୍ଧି ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୧୨.୩% ରହିଥିଲା। ଚତୁର୍ଥ ତ୍ରୈମାସିକରେ, ଉତ୍ପାଦନ ୪.୮% ବୃଦ୍ଧି ପାଇଛି, ଯାହା ଗତ ବର୍ଷର ସମାନ ଅବଧିରେ ୧୧.୩% ଥିଲା।



