ମାଲକାନଗିରି : ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଏହି ପ୍ରକଳ୍ପକୁ ବିରୋଧ କରି ଗତ କିଛିବର୍ଷ ଧରି ଜିଲାର ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ ଧାରଣା, ଆନ୍ଦୋଳନ ଏବଂ ଜଳ ସତ୍ୟାଗ୍ରହ କରିଛନ୍ତି। ଏହା ସତ୍ତ୍ବେ କେନ୍ଦ୍ର ସରକାର ଧ୍ୟାନ ଦେଇନାହାନ୍ତି। ବରଂ ଆନ୍ଧ୍ରକୁ ଅନୁକମ୍ପା ସହ ଅଜସ୍ର ଅର୍ଥ ଦେଇ ଚାଲିଛନ୍ତି। ପୋଲାଭରମ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଓଡ଼ିଶା ସରକାରଙ୍କ ସହ କେନ୍ଦ୍ର ସରକାର ସମୀକ୍ଷା କରିବାକୁ ବିଚାର କରୁଥିବା ଜଣାପଡ଼ିବା ପରେ ସ୍ଥାନୀୟ କଂଗ୍ରେସ ଓ ବିଜେଡି ଏହାର ସମାଲୋଚନା କରିଛି। ପୋଲାଭରମ୍ ପ୍ରକଳ୍ପ ହେଲେ ମାଲକାନଗିରି ଜିଲାର ମୋଟୁ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ିଯିବ। ପ୍ରକଳ୍ପ ସରିବା ପରେ ସମୀକ୍ଷା କରିବା ଅର୍ଥହୀନ ହେବ ବୋଲି ବିଜେଡି ଓ କଂଗ୍ରେସ ଯୁକ୍ତି ବାଢ଼ିଛନ୍ତି। ଉକ୍ତ ପ୍ରକଳ୍ପର କାର୍ୟ୍ୟ ପ୍ରାୟତଃ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଆସନ୍ତା ୨୦୨୭ ସୁଦ୍ଧା ପ୍ରକଳ୍ପର ଉଦ୍ଘାଟନ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ପ୍ରକଳ୍ପ ନିମନ୍ତେ ଏପର୍ୟ୍ୟନ୍ତ କୌଣସି ଗ୍ରାମସଭା କରାଯାଇନି। ଉଭୟ ସରକାରଙ୍କ ପାଖରେ ପ୍ରକଳ୍ପ ସମ୍ବନ୍ଧରେ କୌଣସି ସଠିକ୍ ତଥ୍ୟ ନାହିଁ। ତଥାପି କିପରି ଆନ୍ଧ୍ର ସରକାର ଏହି ପ୍ରକଳ୍ପ କ୍ରମାଗତ ଭାବେ କରି ଚାଲିଛି, ତାକୁ ନେଇ ପ୍ରଶ୍ନ ଉଠିଛି।
ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲାର ଆଦିବାସୀଙ୍କ ଘର, ଜଙ୍ଗଲ, ଜଳ ଓ ଜମି କ୍ଷତିଗ୍ରସ୍ତ ହେବ। ଏହାର ଭରଣା କିପରି କରାଯିବ ଏବଂ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ କିପରି ଥଇଥାନ କରାଯିବ, ସେ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାର ଯତ୍ନବାନ ହେବା ଜରୁରୀ ବୋଲି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କହିଛନ୍ତି। ରାଜ୍ୟ ସରକାର ଜିଲାବାସୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ବିଜେଡି ଜିଲା ସଭାପତି ମାନସ ମାଡକାମି ଦାବି କରିଛନ୍ତି। ଚଳିତ ମାସ ୨୮ ତାରିଖରେ ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପୋଲାଭରମ୍ ସମ୍ପର୍କରେ ସମୀକ୍ଷା କରାଯିବାର କାର୍ୟ୍ୟକ୍ରମ ରହିଥିଲା। କିନ୍ତୁ ଏ ସମ୍ପର୍କରେ ତଥ୍ୟ ଅସ୍ପଷ୍ଟ ରହିଛି। ତତ୍କାଳୀନ ବିଜେଡି ସରକାର ସୁପ୍ରିମକୋର୍ଟରେ ପୋଲାଭରମ୍ ସମସ୍ୟା ସମ୍ବନ୍ଧରେ ମାମଲା ଦାୟର କରିଥିଲେ। ଗତବର୍ଷ ମେ’ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ସିଡବ୍ଲ୍ୟୁସି ସଦସ୍ୟ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କ୍ଷତି ହେବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଆନ୍ଧ୍ର ସରକାର ୧୯୭୮ ମସିହାରେ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ତଃରାଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହା ମଧ୍ୟରେ କେତେ ମୁଖ୍ୟମନ୍ତ୍ରୀ ଗଲେଣି, କିନ୍ତୁ କେହି ବି ଏହି ପ୍ରକଳ୍ପ ବିରୋଧରେ ସିଧା ସ୍ବର ଉଠାଇବାକୁ ଇଚ୍ଛା ପ୍ରକାଶ କରିନଥିଲା ଭଳି ମନେ ହୋଇଛି। ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ବିରୋଧରେ ସେ ସମୟରେ ରାଜ୍ୟ ସରକାର କୌଣସି ପ୍ରସ୍ତାବ ନ ରଖିବାରୁ କେନ୍ଦ୍ର ସରକାର ପ୍ରକଳ୍ପ ନିର୍ମାଣ ପାଇଁ ସ୍ୱୀକୃତି ଦେବା ପରିସ୍ଥିତି ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣ ଶେଷ ହେଲେ ଜଳଭଣ୍ଡାରଟି ଓଡ଼ିଶାରେ ରହିବ ଏବଂ ଡ୍ୟାମ୍ ଆନ୍ଧ୍ରେର ରହିବ। ଏଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ବେଳାଭୂମି ପାର୍କିଂ ଟେଣ୍ଡରକୁ ନେଇ ଥମୁନି ବିବାଦ, ଧାରଣା ଦେଲେ ଆବେଦନକାରୀ



