ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ । ଠିକାଦାର ସରୋଜ ପାତ୍ରଙ୍କ ଠାରୁ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଥିବା ସୂଚନା ହସ୍ତଗତ ହୋଇଛି । ଭିଜିଲାନ୍ସ ଜାଲରେ ପଡିଥିବା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ ହେଲେ ଡିଭିଜନାଲ ଆକାଉଣ୍ଟାଣ୍ଟ ସୁରଜ୍ ପ୍ରସାଦ ଜୟଶ୍ବାଲ ଓ ବରିଷ୍ଠ ସହାୟକ ନରେଶ ପଟ୍ଟନାୟକ । ନରେଶ ପଟ୍ଟନାୟକ ଓ ସୁରଜ୍ ପ୍ରସାଦ ଜୟଶ୍ବାଲ ଠିକାଦାରଙ୍କ ଠାରୁ କାର୍ଯ୍ୟ ସମ୍ପାଦନ ପାଇଁ ବକେୟା ବିଲ୍ ପାସ୍ କରିବା ବଦଳରେ ୩୦,୦୦୦/- ଟଙ୍କା (ପ୍ରତ୍ୟେକ ଜଣ ୧୫,୦୦୦/- ଟଙ୍କା ନେଉଥିଲେ) ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ। ଠିକାଦାରଙ୍କୁ ପୂର୍ବରୁ ତାଙ୍କ ସମ୍ପର୍କୀୟଙ୍କ ନାମରେ ତିନୋଟି କାର୍ଯ୍ୟାଦେଶ ଏବଂ ଗୋଟିଏ କାର୍ଯ୍ୟାଦେଶ ଦିଆଯାଇଥିଲା । ଯାହାର ପରିମାଣ ୮୬ ଲକ୍ଷ ଟଙ୍କାରୁ ଅଧିକ । ଏହି ସମୟ ମଧ୍ୟରେ ଉକ୍ତ ଠିକାଦାର ୩୨ ଲକ୍ଷ ଟଙ୍କାର ରନିଂ ବିଲ୍ ଦାଖଲ କରିଥିଲେ।

ଅଭିଯୁକ୍ତ ଦ୍ବୟ ୟୁପିଆଇ ଟ୍ରାଞ୍ଜାକ୍ସନ ମାଧ୍ୟମରେ ୩୨ ଲକ୍ଷ ଟଙ୍କାର ବିଲ୍ ପୂର୍ବରୁ କ୍ଲିୟରାନ୍ସ ପାଇଁ ଏବଂ କାମ ଶେଷ ହେବା ପରେ ବାକି ବିଲ୍ ଦାଖଲ କରିବା ପାଇଁ ୩୦,୦୦୦/- ଟଙ୍କା ଲାଞ୍ଚ ଦାବି କରୁଥିଲେ । ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏହା ପରେ, ଭିଜିଲାନ୍ସ ଅଧିକାରୀମାନେ ଆଜି ଅଭିଯୁକ୍ତ ଶ୍ରୀ ଜୟସୱାଲ ଏବଂ ଶ୍ରୀ ପଟ୍ଟନାୟକଙ୍କୁ ୟୁପିଆଇ କାରବାର ମାଧ୍ୟମରେ ପ୍ରତ୍ୟେକେ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛନ୍ତି । ସେମାନଙ୍କ ସ୍ମାର୍ଟ ଫୋନରେ ପୃଥକ ପୃଥକ ଭାବେ ନେଇ ଥିବା ମୋଟ ୩୦,୦୦୦ ଟଙ୍କା ଲାଞ୍ଚ ଟଙ୍କା ମିଳିବା ସ୍ପଷ୍ଟ ହୋଇଥିଲା । ଗଜପତିର ଦୁଇ ଗୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଅନୁସନ୍ଧାନ ଚାଲିଥିବାର ଜଣାପଡିଛି । ଏହି ସମ୍ପର୍କରେ, ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ୍ ନଂ.୫/୨୦୨୫, ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ପଞ୍ଜିକୃତ ହୋଇଥିବା ବେଳେ ଅଭିଯୁକ୍ତ ଶ୍ରୀ ଜୟସୱାଲ ଏବଂ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥିବାର ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।



