www.samajalive.in
Sunday, December 14, 2025
26.1 C
Bhubaneswar

ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବିଦେଶରେ ଉଚ୍ଚ ଦରମାରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।

ଡିଜିପିଙ୍କ ସୂଚନା ମୁତାବକ, ଅଭିଯୁକ୍ତ ବିଷ୍ଣୁ ଗୁଣୁପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଦେଶରେ ଉଚ୍ଚ ଦରମାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଥିଲେ। ବ୍ରିଟିଶ ଏୟାରୱେଜ୍ ଏବଂ ଲୁଫ୍‌ଥାନ୍‌ସା ଏୟାରୱେଜ୍‌ ଭଳି କମ୍ପାନୀରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହାସହ ସେ ତାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ନିଯୁକ୍ତି ପତ୍ରଟି ସମ୍ପୂର୍ଣ୍ଣ ଜାଲ୍ ବୋଲି ବ୍ୟକ୍ତି ଜଣକ ଜାଣିବା ପରେ ଗୁଣୁପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।

- Advertisement -

ସେହିପରି ଅନ୍ୟ ଏକ ମାମଲାରେ ଅଭିଯୁକ୍ତ ବିଷ୍ଣୁ ଅନ୍ୟଜଣେ ବ୍ୟକ୍ତିଙ୍କ ପୁଅକୁ ବିଦେଶରେ ଏକ ଲାଭଜନକ ଚାକିରି ଯୋଗାଇ ଦେବା ବାହାନାରେ ୧୫ ଲକ୍ଷ ଟଙ୍କା ଠକି ନେଇଥିଲେ। ଉଭୟ ମାମଲା ଗୁଣୁପୁର ଥାନାରେ ପଞ୍ଜିକୃତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦୁଇ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ଅଭିଯୁକ୍ତ ବିଷ୍ଣୁ ବିଭିନ୍ନ ସମୟରେ ନିଜକୁ ଡାକ୍ତର, ପ୍ରଫେସର, ଇଞ୍ଜିନିୟର ପରିଚୟ ଦେବାସହ ନିଜର ଠିକଣା ପ୍ରମାଣ, ଡ୍ରାଇଭିଂ ଲାଇସେନ୍ସର ଜାଲ କାଗଜ ପତ୍ର ପ୍ରସ୍ତୁତ କରିଥିଲେ। ଏତଦବ୍ୟତୀତ ଅଭିଯୁକ୍ତ HR Maxons ଏବଂ Lufthansa Technik ଭଳି ଅନ୍ତର୍ଜାତୀୟ ପରାମର୍ଶଦାତା କମ୍ପାନୀ ନାମରେ ନକଲି ପ୍ରସ୍ତାବ ଏବଂ ନିଯୁକ୍ତି ପତ୍ର ପ୍ରସ୍ତୁତ କରୁଥିଲେ ବୋଲି ତଦନ୍ତବେଳେ କ୍ରାଇମବ୍ରାଞ୍ଚ ପୁଲିସ ଜାଣିବାକୁ ପାଇଥିଲା।

ଏଥିସହ ତଦନ୍ତ ଚାଲିଥିବା ସମୟରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତ ବିଷ୍ଣୁ କାମ୍ବୋଡିଆ ପଳାଇ ଯାଇଥିଲେ ଏବଂ ନିଜର ପରିଚୟ ଲୁଚାଇବା ପାଇଁ ଦ୍ୱିତୀୟ ପାସପୋର୍ଟ ମଧ୍ୟ ତିଆରି କରିଥିଲେ। ବିଷ୍ଣୁଙ୍କ ବିରୁଦ୍ଧରେ ୨୦୧୯ରେ ପୁଲିସ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା।

ବିଷ୍ଣୁ ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ୱର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଚାକିରି ଯୋଗାଇବା ବାହାନାରେ ଲୋକଙ୍କୁ ଟଙ୍କା ଠକେଇ କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ତାଙ୍କୁ ରାୟଗଡ଼ା ଜିଲା ଗୁଣୁପୁରର ଏସଡିଜେଏମଙ୍କ ସମ୍ମୁଖରେ ହାଜର କରାଯାଇଥିବାବେଳେ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କ୍ରାଇମବ୍ରାଞ୍ଚ ବି. ଗଙ୍ଗାଧର ମଧ୍ୟ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories