ଭୁବନେଶ୍ଵର: ଆର୍ଥିକ ସଂକଟରୁ ପାକିସ୍ତାନକୁ ମୁକୁଳାଇବା ଆଳରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସମ୍ପ୍ରତି ଯେଉଁ ୧୦୦କୋଟି ଡଲାର ସହାୟତା ଘୋଷଣା କରିଛି ସେଥିନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରଶ୍ନବାଚୀର କାରଣ ହେଉଛି, ସହାୟତା ଘୋଷଣାର ସମୟ ଓ ଭାରତ ଏହାକୁ ଅଟକାଇ ନ ପାରିବା। ଭାରତ ଓ ପାକିସ୍ତାନ ମଧ୍ୟରେ ଆତଙ୍କବାଦକୁ ନେଇ ଯୁଦ୍ଧ ପରିସ୍ଥିତି ଜାରି ରହିଥିବାବେଳେ ଆଇଏମ୍ଏଫ୍ ଏହି ନିଃସର୍ତ୍ତ ସହାୟତା ମଞ୍ଜୁର କରିଥିଲା। ଭାରତ ଏହାକୁ ବିରୋଧ କରିଥିଲେ ମଧ୍ୟ ଆଇଏମ୍ଏଫ୍ର ନୀତିନିୟମ ଦୃଷ୍ଟିରୁ ଅଟକାଇବାରେ ବିଫଳ ହୋଇଥିଲା। ପରେ ଅବଶ୍ୟ କୂଟନୈତିକ ଖେଳ ଖେଳି ପାକିସ୍ତାନ ପ୍ରତି ଆଇଏମ୍ଏଫ୍ର ଆଭିମୁଖ୍ୟକୁ କଠୋର କରିବାରେ ଭାରତ ସଫଳ ହୋଇଥିବା କୁହାଯାଉଛି; ଅର୍ଥାତ୍ ୧୮ତାରିଖରେ ଆଇଏମ୍ଏଫ୍ ଉକ୍ତ ୧୦୦ କୋଟି ଡଲାରର ବିନିଯୋଗ ନେଇ ୧୧ଟି ସର୍ତ୍ତ ଆରୋପ କରିଛି। ଉଲ୍ଲେଖଯୋଗ୍ୟ ଯେ ଆଇଏମ୍ଏଫ୍ ପାକିସ୍ତାନ ପାଇଁ ଅନୁମୋଦନ କରିଥିବା ୭୦୦ କୋଟି ଡଲାର ସହାୟତାର ଏହା ଦ୍ବିତୀୟ ଦଫା। ପୂର୍ବରୁ ମଧ୍ୟ ଆଇଏମ୍ଏଫ୍ ସହାୟତା ପ୍ରଦାନ ପରିପ୍ରେକ୍ଷୀରେ କେତେକ ସର୍ତ୍ତ ଆରୋପ କରିଥିଲା। ଏବେ ମୋଟ ସର୍ତ୍ତ ପରିମାଣ ୫୦କୁ ଛୁଇଁଛି। ଅନ୍ୟପକ୍ଷେ ୧୯୫୮ରୁ ଅଦ୍ୟାବଧି ପାକିସ୍ତାନକୁ ଆଇଏମ୍ଏଫ୍ ମୋଟ ୨୪ଥର ଆର୍ଥିକ ସହାୟତା ମଞ୍ଜୁର କଲାଣି। ବାରମ୍ବାର ସହାୟତା ପ୍ରଦାନ ସମୟରେ ଆଇଏମ୍ଏଫ୍ ଏହାର ବିନିଯୋଗ କିଭଳି ହେଉଛି ଏବଂ ଏଥିରୁ କିଛି ସୁଫଳ ମିଳୁଛି କି ନାହିଁ ତାହା ଯାଞ୍ଚ କରିବାର ନିୟମ ରହିଛି; କିନ୍ତୁ ଦେବାଳିଆ ପାକିସ୍ତାନ ବୈଶ୍ବିକ ଆହ୍ବାନପୂର୍ଣ୍ଣ ପରିବେଶରେ ଆର୍ଥିକ ସଂସ୍କାର କ୍ଷେତ୍ରରେ ଉନ୍ନତି ସହ ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିଥିବା ଦାବି କରୁଛି ଏବଂ ଏହାର ସୁନ୍ଦର ବର୍ଣ୍ଣନାକୁ ଆଇଏମ୍ଏଫ୍ ପରିଚାଳନା ପରିଷଦ ଗ୍ରହଣ କରିଯାଉଛି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଏହି ଅର୍ଥ ବିନିଯୋଗ କରୁଥିବାର ପ୍ରମାଣ ରହିଥିଲେ ମଧ୍ୟ ଆଇଏମ୍ଏଫ୍ କିଭଳି ସେଥିପ୍ରତି ଆଖି ବୁଜି ଦେଉଛି ଏବଂ କଠୋରତା ଅବଲମ୍ବନ କରୁନାହିଁ ତାହା ବିସ୍ମୟ ସୃଷ୍ଟି କରିଛି।
ଏହାର ଅର୍ଥ ଉକ୍ତ ବିଶ୍ବସ୍ତରୀୟ ଆର୍ଥିକ ସଂଗଠନ ପାକିସ୍ତାନର ଦୀର୍ଘ ୭୭ ବର୍ଷ ଧରି ଅପରିବର୍ତ୍ତିତ ଥିବା ସୈତାନ ଚେହେରା ପ୍ରତି ଆଖି ବୁଜି ଦେଉଛି। ଆଇଏମ୍ଏଫ୍ର ମୁଖ୍ୟ ପୃଷ୍ଠପୋଷକ ଆମେରିକା ମହାଭାରତର ଧୃତରାଷ୍ଟ୍ରଙ୍କ ପରି ଅନ୍ଧ ପାଲଟି ଯାଇଥିବାବେଳେ ପାକିସ୍ତାନର ସର୍ବକାଳୀନ ବନ୍ଧୁ ଚୀନ୍ ଗାନ୍ଧାରୀଙ୍କ ପରି ଆଖିରେ ଅନ୍ଧପୁଟୁଳି ବାନ୍ଧିରଖିଛି। ସେ ଦୃଷ୍ଟିରୁ ୧୦୦କୋଟି ଡଲାର ସହାୟତା ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ପାକିସ୍ତାନକୁ ବିଶ୍ବର ବଡ଼ ପୁରସ୍କାର ବୋଲି କୁହାଯାଇପାରେ। ଅର୍ଥାତ୍ ପାକିସ୍ତାନର ଅସଲ ଚେହେରା ଦେଖିବାକୁ ମନା କରୁଥିବା ରାଷ୍ଟ୍ର ବା ସଂଗଠନଙ୍କୁ ଆଖି ଥାଇ ଅନ୍ଧ ଏବଂ ଆତଙ୍କବାଦର ଭୟାନକ ଶବ୍ଦ ଶୁଣି ମଧ୍ୟ ନଶୁଣିଲା ପରି ଅଭିନୟ କରୁଥିବା ରାଷ୍ଟ୍ର ବା ସଂଗଠନଙ୍କୁ କାନ ଥାଇ କାଲ କୁହାଯିବ ନାହିଁ; ଯେହେତୁ ସେମାନଙ୍କ ଭବିଷ୍ୟତ ପାଇଁ କି ପରିଣାମ ମହଜୁଦ ରହୁଛି ତାହା ସେମାନେ ଜାଣି ମଧ୍ୟ ଅଜଣା। ବିଶ୍ବର ତଥାକଥିତ ନେତାମାନେ ଏଭଳି ଜାଣି ଅଜଣା ହେଉଥିଲେ ଈଶ୍ବର ମଧ୍ୟ ସେମାନଙ୍କୁ ଆତଙ୍କବାଦରୁ ବଞ୍ଚାଇପାରିବେ ନାହିଁ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଆତଙ୍କରୁ ପାକିସ୍ତାନର ଜନ୍ମ। ଧର୍ମାନ୍ଧତା ଏହାର ପରିଚୟ। ଏହା ଏକ ବିଫଳ ରାଷ୍ଟ୍ର। ଜନ୍ମଗତ ପରିଚୟରୁ ପାକିସ୍ତାନ କିସ୍ମିନ୍କାଳେ ପରିବର୍ତ୍ତନର ସଂକେତ ଦିଶୁ ନାହିଁ। ଭାରତର ବାରମ୍ବାର ସତର୍କତା ସତ୍ତ୍ବେ ବିଶ୍ବ ସମୁଦାୟଙ୍କର ଏଥିପ୍ରତି ଧ୍ୟାନ ନାହିଁ। ଆଇଏମ୍ଏଫ୍ର ତଥାକଥିତ କଠୋର ସର୍ତ୍ତର ଯେ କିଛି ଅର୍ଥ ନାହିଁ ଏବଂ ଏହା କେବଳ ଧର୍ମକୁ ଆଖିଠାର ଏହା କେହି ନହେଲେ ମଧ୍ୟ ଭାରତବାସୀ ବୁଝୁଛନ୍ତି। ଅତଏବ ପାକିସ୍ତାନ ପ୍ରତି ବିଶ୍ବର ପ୍ରତିଟି କ୍ଷେତ୍ରରୁ ଯେ ପର୍ଯ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରାନଯାଇଛି; ବିଶେଷ କରି ଆର୍ଥିକ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦର ବିସ୍ତାର କରିଚାଲିଥିବ। ବିଭିନ୍ନ ରାଷ୍ଟ୍ର ଓ ଆନ୍ତର୍ଜାତିକ ଆର୍ଥିକ ସଂଗଠନ ଦେଉଥିବା ସହାୟତାକୁ ପାକିସ୍ତାନ କିପରି ବିନିଯୋଗ କରୁଛି ତାହାର କଡ଼ାଗଣ୍ଡା ଯାଞ୍ଚ ହେବା ଆବଶ୍ୟକ। ସମୟ ଆସିଛି, ପାକିସ୍ତାନକୁ ଜବତ କରିବା ପାଇଁ ସମସ୍ତେ ଆଖିରୁ ଅନ୍ଧପୁଟୁଳି ଖୋଲିବା ଆବଶ୍ୟକ।
ବିଫଳ ରାଷ୍ଟ୍ରକୁ ଅନୁକମ୍ପା
Popular Categories



