www.samajalive.in
Wednesday, December 10, 2025
26.1 C
Bhubaneswar

ଦୁର୍ନୀତି ପଦାରେ ପଡ଼ିବା ଭୟ, ତଥ୍ୟ ଲୁଚାଉଛି ବନ ବିଭାଗ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ବେହେରା ସେକ୍ସନ ଅଞ୍ଚଳର ସାହଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦୀର୍ଘ ବର୍ଷ ଧରି ଚାଲିଛି। ହେଲେ ବନ ବିଭାଗ ନିଜ ଇଚ୍ଛା ମୁତାବକ କାମ କରି ବ୍ୟାପକ ମାତ୍ରାରେ ଅର୍ଥ ହେରଫେର କରିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରି ଆସୁଛନ୍ତି। ଫଳରେ ସୂଚନା ଅଧିକାର ଆଇନ ବଳରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ମାଗିଲେ ମଧ୍ୟ ବନ ବିଭାଗ ନିଜ ଦୁର୍ନୀତି ପଦାରେ ପଡ଼ିବା ଭୟରେ ତଥ୍ୟ ଦେଉ ନଥିବା ସୂଚନା ମିଳିଛି।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନତୀକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି। ବନ ବିଭାଗ ଦ୍ଵାରା ଏହି କାର୍ଯ୍ୟ ସମ୍ପାଦିତ ହେଉଥିଲେ ହେଁ ନିମ୍ନମାନର କାର୍ଯ୍ୟ ସହ ଅନେକ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଗୁଡ଼ହାଣ୍ଡି ଡୋକରିଚଞ୍ଚରା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପରାମର୍ଶ ନ ନେଇ ନିଜ ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି। ତତ୍କାଳୀନ ଜିଲ୍ଲାପାଳ ପି .ଅନ୍ୱେଷା ରେଡ୍ଡୀଙ୍କ ବାରମ୍ବାର ତାଗିଦ୍ ପରେ ମଧ୍ୟ ବନ ବିଭାଗ ଅଧିକାରୀ ମାନେ କୌଣସି କାର୍ଯ୍ୟର ଡି.ପି.ଆର୍ ଦେଖାଉ ନାହାନ୍ତି। ଏପରିକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ ତଥ୍ୟ ଦେଉନାହାନ୍ତି। କୋକସରା ଅଞ୍ଚଳର ଜନୈକ ସଚେତନ ଯୁବକ ଗୁଡହାଣ୍ଡି ଡୋକରିଚଞ୍ଚରା ଠାରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ସମସ୍ତ ତଥ୍ୟ ଦେବାସହ ଏହାର ଡି.ପି.ଆର୍ ଦେବାପାଇଁ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟରେ ଦରଖାସ୍ତ କରିଥଲେ। ସମସ୍ତ ତଥ୍ୟ ଯୋଗାଇ ଦେବାକୁ ଦକ୍ଷିଣ ବନଖଣ୍ଡ ଜନ ସୂଚନା ଅଧିକାରୀ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉରଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ। ହେଲେ ସମ୍ପୃକ୍ତ ବନାଞ୍ଚଳ ଅଧିକାରୀ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟମୂଳକ କାର୍ଯ୍ୟର ତାଲିକା ଦେଇ କୌଣସି ଗୋଟିଏ କାର୍ଯ୍ୟର ଡି.ପି.ଆର୍ ଦେଇନଥିଲେ। ଫଳରେ ଏଠାରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ବିଭିନ୍ନ ସମୟରେ ଗୁଡହାଣ୍ଡି ଉନ୍ନତୀକରଣରେ ହେଉଥିବା ଅନିୟମିତତାକୁ ଖଳିଗଡ ସମେତ ଦୁଡୁକାଠେଙ୍ଗା ପଞ୍ଚାୟତର ଇକୋ ତୁରିଜମ ଗ୍ରୁପର କିଛି ସଦସ୍ୟ ବାରଣ କରି ଆସୁଥିଲେ ହେଁ ବିଭାଗୀୟ କର୍ମଚାରୀ ନାଲି ଆଖି ଦେଖାଉଥିବା ଓ ଜଙ୍ଗଲ କାଟୁଥିବା ଅଭିଯୋଗରେ ଫସେଇ ଦେବୁ ବୋଲି କହୁଥିବା ଅଭିଯୋଗ କରିଛନ୍ତି। ତେବେ ନିଜ ନାମ ଗୋପନ ରଖି ଦୁଡୁକାଠେଙ୍ଗା ପଞ୍ଚାୟତର ଇକୋ ତୁରିଜମ ଗ୍ରୁପର କିଛି ସଦସ୍ୟ ଧର୍ମଗଡ଼ ବନାଞ୍ଚଳ ଅଧିନରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ଅର୍ଥ ହେରଫେର ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବିଭାଗୀୟ ଅଧିକାରୀଙ୍କ ଅସଲ ମୁଖା ଖୋଲିବ ବୋଲି ଦାବି କରିଛନ୍ତି।ସମ୍ପୃକ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ କାଉରଙ୍କ ପ୍ରତିକ୍ରିୟା ନେବାରୁ ସେ ନିମ୍ନମାନର କାମ ହେଉଥିବା ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନେ ଆମକୁ ଭେଟିବା କଥା ଓ ଭେଟିଲେ ସାମ୍ନାସାମ୍ନି କଥା ହେବା ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories