ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ନୂତନ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ମିଳିଥିବା ଜଣାପଡିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟ ନୂତନ ବିମାନବନ୍ଦର ପ୍ରତିଷ୍ଠା ଲାଗି ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ଦେଇସାରିଛି । ୨୦୨୩ ସେପ୍ଟେମ୍ବରରେ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ଦେଇଥିଲା ।
ଓଡ଼ିଶା ସରକାର ପ୍ରକଳ୍ପର ଅଗ୍ରଗତି ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିଥିଲେ । ଏହି ବିମାନବନ୍ଦର ନିମନ୍ତେ ଜମି ଅଧିଗ୍ରହଣ, ରାଜ୍ୟର ଭାଗ ସମେତ ପ୍ରକଳ୍ପର ଆନୁସଙ୍ଗିକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ସମ୍ମତି ଜଣାଇଥିଲେ । ତେବେ ଏହି ନୂତନ ବିମାନବନ୍ଦର ଭାରତୀୟ ବିମାନ ନିୟାମକ ପ୍ରାଧିକରଣ କିମ୍ବା ପିପିପି ମୋଡରେ ହେବ ତାହା ଏଯାବତ୍ ସ୍ଥିର ହୋଇନାହିଁ ।
ସୂଚନାଯୋଗ୍ୟ ରାଜସ୍ଥାନ କୋଟାରେ ମଧ୍ୟ ନୂତନ ବିମାନବନ୍ଦର ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି ।



