ସମାଜ ଡିଜିଟାଲ ଡେସ୍କ: ମୋବାଇଲରେ ଗେମ୍ ଖେଳିବା ଜଣେ ୧୯ବର୍ଷୀୟ ଯୁବକଙ୍କୁ ଭାରି ପଡିଛି । ଗୋଟିଏ କୋଠରୀରେ ନିଜକୁ ଅଲଗାକୁ ରଖି ପ୍ରତିଦିନ ୧୨ଘଣ୍ଟାରୁ ଅଧିକ ସମୟ ଧରି ଯୁବକ ଜଣଙ୍କ ଗେମ୍ ଖେଳୁଥିଲେ । ଫଳରେ ପକ୍ଷାଘାତ ହେବା ସହ ତାଙ୍କର ମେରୁଦଣ୍ଡର ଅସ୍ତ୍ରୋପଚାର କରିବାକୁ ପଡିଛି । ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସି ମୋବାଇଲରେ ଗେମ୍ ଖେଳିବାରୁ ତାଙ୍କୁ ଯକ୍ଷ୍ମା ରୋଗ କାରଣରୁ ମେରୁଦଣ୍ଡ ବଙ୍କା ହୋଇଯିବା ସହ ମୂତ୍ରାଶୟରେ ନିୟନ୍ତ୍ରଣ ହରାଇବାକୁ ଲାଗିଲେ । ଏହି ଘଟଣା ଦିଲ୍ଲୀରେ ସାମ୍ନାକୁ ଆସିଛି ।
ଏକ ବର୍ଷ ହେବ ଯୁବକଙ୍କ ମେରୁଦଣ୍ଡର ଅବସ୍ଥା ଖରାପ ହୋଇଯାଇଥିଲା । ଯେତେବେଳେ ତାଙ୍କୁ ଅତ୍ୟନ୍ତ ଯନ୍ତ୍ରଣା ଅନୁଭୂତ ହେଲା ସେ ମେଡିକାଲରେ ଯାଞ୍ଚ କରାଇଥିଲେ । ସେତେବେଳକୁ ତାଙ୍କୁ ଚାଲିବା ଓ ପରିସ୍ରା କରିବାରେ ମଧ୍ୟ ଅସୁବିଧା ହେଉଥିଲା । ଡାକ୍ତରମାନେ ଯାଞ୍ଚ କରିବା ପରେ ତାଙ୍କ ମେରୁଦଣ୍ଡରେ ଏକ ଗମ୍ଭୀର ବିକୃତି ଲକ୍ଷ୍ୟ କରିଥିଲେ । ଏକ ବିପଦଜନକ ଅବସ୍ଥା ଯାହାକୁ କାଇଫୋ-ସ୍କୋଲିଓସିସ୍ କୁହାଯାଏ । ଯେଉଁଥିରେ ମେରୁଦଣ୍ଡର ଆଗ ଓ ପାଶ୍ୱର୍ ବଙ୍କା ହେବାର ସମ୍ଭାବନା ଅଧିକ । ସ୍କାନିଂରୁ ଜଣାପଡିଥିଲା ଯେ ଯୁବକଙ୍କୁ ଯକ୍ଷ୍ମା ହୋଇ ଦୁଇଟି ମେରୁଦଣ୍ଡର ହାଡକୁ ସଂକ୍ରମିତ କରିଛି । ଯାହା ଫଳରେ ପୂଜ ସୃଷ୍ଟି ହୋଇ ମେରୁଦଣ୍ଡ ଉପରେ ଗଭୀର ପ୍ରଭାବ ପଡିଛି । ଏକକାଳୀନ ମେରୁଦଣ୍ଡ ଯକ୍ଷ୍ମା ଓ ଦୀର୍ଘକାଳୀନ ଗେମିଂ ନିଶାର ପ୍ରଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଡାକ୍ତର କହିଛନ୍ତି । ଯାହାର ଚିକିତ୍ସା କରିବା ଡାକ୍ତରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିଲା । ଏଭଳି ସମସ୍ୟାକୁ ସଠିକ୍ ଭାବେ ଚିକିତ୍ସା କରିବା ପାଇଁ ଡାକ୍ତରୀ ଟିମ୍ ମେରୁଦଣ୍ଡ ନାଭିଗେସନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲେ । ଅସ୍ତ୍ରୋପଚାରର କିଛି ଦିନ ମଧ୍ୟରେ ଯୁବକ ଜଣଙ୍କ ସୁସ୍ଥ ହେବାର ଲକ୍ଷଣ ଦେଖାଯାଇଥିଲା ।



