ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଭାରତ ପାକିସ୍ତାନ ସୀମାରେ ଉତ୍ତେଜନା ଲାଗିରହିଥିବାବେଳେ ପାକିସ୍ତାନକୁ ଭାରତର ଆକ୍ରମଣ ଭୟ ଘାରିଛି। ଆରବ ସାଗରରେ ଭାରତୀୟ ଯୁଦ୍ଧ ଜାହଜ ଆଇଏନଏସ ବିକ୍ରାନ୍ତ ଯୁଦ୍ଧାଭ୍ୟାସ ଚଳାଇଥିବାବେଳେ ଶୁକ୍ରବାର ବାୟୁସେନା ଏହାର ସମରାଭ୍ୟାସ କରିଛି। ବାୟୁସେନାର ପ୍ରମୁଖ ଲଢ଼ୁଆ ବିମାନ ମିରାଜ, ରାଫେଲ, ସୁଖୋଇ ଏବଂ ଜାଗୁଆର ନିଜର ଦମ୍ ଦେଖାଇଛନ୍ତି। ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ତିଆରି ହୋଇଥିବା ବିମାନ ଘାଟିରେ ଯୁଦ୍ଧ ବିମାନ ଅବତରଣ କରିବାର ଅଭ୍ୟାସ କରିଛନ୍ତି। ଯୁଦ୍ଧ ବିମାନଗୁଡ଼ିକ ସୀମାରେ ପଇଁତରା ମାରିବା ପରେ ସେଠାରୁ ଫେରି ୩.୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଗଙ୍ଗା ଏକ୍ସପ୍ରେସୱେରେ ଅବତରଣ କରିବା ସହିତ ଉଡ଼ାଣ କରିବାର ଅଭ୍ୟାସ କରିଥିଲେ। ଆରବ ସାଗରରେ ଭାରତୀୟ ନୌସେନା ଏବଂ ସୀମାନ୍ତରେ ବାୟୁସେନାର ଅଭ୍ୟାସ ପାକିସ୍ତାନକୁ ଛାନିଆ କରିଛି।
ସୂଚନାଯୋଗ୍ୟ, ଗଙ୍ଗା ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ୪ର୍ଥ ଏକ୍ସପ୍ରେସୱେ ଯେଉଁଠାରେ ବିମାନ ଘାଟି ରହିଛି। ରାତିରେ ବିମାନ ଅବତରଣ କରିବାର କ୍ଷମତା ଥିବା ଏହା ଦେଶର ପ୍ରଥମ ଏକ୍ସପ୍ରେସୱେ।



