ଭୁବନେଶ୍ଵର: ଅନେକ ଦିନ ପରେ ଗୁରୁ-ଶିଷ୍ୟଙ୍କର ଭେଟ ହେଲା। ଭେଟିବା ମାତ୍ରେ ଶିଷ୍ୟ ପଚାରିଲେ ଗୁରୁଙ୍କୁ, ‘ଆପଣ ନିଜେ ପଢ଼଼ିଲେ ଓ ଆମକୁ ପଢ଼େଇଲେ ରାଜନୀତିର ଯେଉଁ ବିଜ୍ଞାନ ଓ ବ୍ୟାକରଣ, ତା’ର ସାମାନ୍ୟ କୌଣସି ଲକ୍ଷଣ ତ ଦେଖିବାକୁ ମିଳୁନାହିଁ, ଆମର ରାଜନୀତି, ଯାହାକୁ ଆମେ ନିତି ପ୍ରତିଦିନ ଭୋଗୁଛୁ। ରାଜନୀତି ଓ ରାଜନୀତି ବିଜ୍ଞାନ ମଧ୍ୟରେ ଏ ପ୍ରକାର ବୈଷମ୍ୟ କାହିଁକି?’ ଅବଶ୍ୟ ଶିଷ୍ୟଜଣକ ଦୋଷାରୋପ କରିନଥିଲେ ଗୁରୁଙ୍କ ଉପରେ ଯେ, କାହିଁକି ସେ ଅବାସ୍ତବ ପାଠଗୁଡ଼ିଏ ପଢ଼େଇଥିଲେ। ଗୁରୁ କିନ୍ତୁ ବୁଝିଗଲେ ଶିଷ୍ୟଙ୍କ ପ୍ରଶ୍ନର ଇଙ୍ଗିତ। ସହାସ୍ୟ ବଦନରେ ଗୁରୁ କହିଲେ, ଆମେ ପଢ଼଼ିଥିବା ରାଜନୀତି ବିଜ୍ଞାନ ହେଉଛି ପଠନଯୋଗ୍ୟ ପାଠ। ରାଜନୀତିର ବିଧିସମ୍ମତ ଶାସ୍ତ୍ର। ମାତ୍ର ବାସ୍ତବ ରାଜନୀତି ହେଉଛି, ଏଥିରେ ସମ୍ପୃକ୍ତ ବ୍ୟକ୍ତିଟିର ପାଳନ ପୋଷଣର ବ୍ୟବସ୍ଥା ଓ ବାଟ। ରାଜନୀତି ବିଜ୍ଞାନର ବର୍ଣ୍ଣବୋଧ ସହିତ ଆଦୌ ପରିଚୟ ନ ଥିବା ଲୋକଟି ମଧ୍ୟ ରାଜନୀତିରେ ନିଜକୁ ଜଣେ ବର୍ଣ୍ଣାଢ୍ୟ ବ୍ୟକ୍ତିର ପରିଚୟରେ ପରିଚିତ ଓ ପ୍ରତିଷ୍ଠିତ କରିବାର ସୁଯୋଗ ହାସଲ କରିପାରେ। ଏବେ ତାହା ହିଁ ଘଟୁଛି। ରାଜନୀତିର ବିଜ୍ଞାନ ତା’ ବାଟରେ। ଶାସ୍ତ୍ର, ସଂହିତାର ଚର୍ଚ୍ଚା ଓ ଚିନ୍ତନରେ। ରାଜନୀତିର କଳା କୌଶଳ କିନ୍ତୁ ବ୍ୟକ୍ତିବିଶେଷକୁ କ୍ଷମତାସିକ୍ତ କରିବାର ଲକ୍ଷ୍ୟ ଓ ଲାଳସାରେ।
ରାଜନୀତି ଓ ରାଜନୀତି ବିଜ୍ଞାନ, କେହି କାହାର ଏବେ ପରିପୂରକ ନୁହନ୍ତି। ଉଭୟେ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ମାର୍ଗରେ। ଏହା କେତେଦୂର ସ୍ପୃହଣୀୟ ବୋଲି ଶିଷ୍ୟ ବୋଧେ ପଚାରିବାକୁ ଚାହୁଁଥିଲେ ଗୁରୁଙ୍କୁ। ନ ପଚାରିଲେ ମଧ୍ୟ ଗୁରୁ ବୁଝିପାରୁଥିଲେ ଶିଷ୍ୟଙ୍କ ମନକଥା, ମନୋବ୍ୟଥା। ସେ ନିଜେ ମଧ୍ୟ କମ ବିବ୍ରତ ବୋଧ କରୁନଥିଲେ। ଭାବୁଥିଲେ, ଜୀବନସାରା ସେ ବୋଧହୁଏ ଗୁଡ଼ିଏ ଭୁଲ୍ ପାଠ ପଢ଼େଇ ଆସିଲେ। ଗଣତନ୍ତ୍ରର ଗୁଣ-ଗରିମା ବୁଝେଇବାରେ ଶ୍ରେଣୀଗୃହରେ ସେ ଗଳଦ୍ଘର୍ମ ହୋଇ ପଡୁଥିଲେ। ଆମର ଗଣତନ୍ତ୍ର ବୃହତ୍ତମ, ଆମର ସମ୍ବିଧାନ ବୃହତ୍ତମ ବୋଲି ଘୋଷଣା କଲାବେଳେ ତାଙ୍କର ଛାତି ଗର୍ବରେ ଫୁଲି ଉଠୁଥିଲା। ଏବେ ମଧ୍ୟ ସଭା-ସମାବେଶରେ ସେଇ ପୁରୁଣା ପାଠକୁ ଦୋହରାଇବାରେ ସେ କ୍ଲାନ୍ତି ଅନୁଭବ କରନ୍ତି ନାହିଁ। ମାତ୍ର ବହିପାଠ ଓ ବକ୍ତବ୍ୟରେ ବିରାମ ଦେଇ ସେ ଯେତେବେଳେ ଚୁପ୍ଚାପ୍ ବସିପଡ଼ନ୍ତି, ସେତେବେଳେ ନିଜର ଚାରିପଟେ ପ୍ରତିଭାତ ବିପରୀତ ଦୃଶ୍ୟ ଓ ଘଟଣାସବୁ ତାଙ୍କୁ ବ୍ୟସ୍ତ, ବିବ୍ରତ କରିଦିଏ ଏବଂ ସେ ଇଚ୍ଛା କରନ୍ତି, ଘରସାରା ଖେଳେଇ ହୋଇ ପଡ଼ିଥିବା ବହିସବୁ ସହସା ‘ବୋମା’ରେ ରୂପାନ୍ତରିତ ହୋଇଯାଆନ୍ତେ କି! ମାତ୍ର ପର ମୁହୂର୍ତ୍ତରେ ସେ ସଚେତନ ହୋଇଯାଆନ୍ତି ଯେ ‘ବୋମା’ କୌଣସି ସମସ୍ୟାର ସମାଧାନ ନୁହେଁ। ବିଳମ୍ବରେ ହେଲେ ବି ବହି ହିଁ ବାଟ ଦେଖେଇ ପାରିବ। ଭିନ୍ନ ରାସ୍ତାରେ ଯାଉଥିବା ରାଜନୀତିକୁ ବାଟକୁ ଆଣିପାରିବ। ନୀତିବର୍ଜିତ ରାଜନୀତିକୁ ନୀତିଯୁକ୍ତ କରିପାରିବ। ଗଣତନ୍ତ୍ରକୁ ମୁଣ୍ଡ ଗଣତିର ଗଣିତରେ ସୀମିତ ନ ରଖି ତା’କୁ ଗୁଣାଢ଼୍ୟ କରିପାରିବ।
ମାତ୍ର ଏଥିପାଇଁ ଲୋଡ଼ା ନିରନ୍ତର ଚର୍ଚ୍ଚା। ନିର୍ଭୟ ଚାହାଣି। ରାଜନୀତି ଓ ରାଜନୀତି ବିଜ୍ଞାନର ସମାନ୍ତରାଳ ଗତିପଥକୁ ନେଇ ବିତର୍କ, ବିଚାର ତଥା ବ୍ୟବସ୍ଥା-ଅବ୍ୟବସ୍ଥାର ବ୍ୟବଚ୍ଛେଦ ଓ ବିଶ୍ଲେଷଣ। ଏଥିପାଇଁ ତ ଗଢ଼ା ହେଲା ବିଧାନ ଓ ବ୍ୟବସ୍ଥାପକ ସଭା। ରାଜନୀତିର ବିଜ୍ଞାନ ଓ ସମ୍ବିଧାନ କହିଲା, ଏହା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ପବିତ୍ର ସ୍ଥଳ। କେହିକେହି ଅତି ଉତ୍ସାହରେ କହି ପକାଇଲେ ‘ମନ୍ଦିର’। ତେଣୁ ମନ୍ଦିରରେ ଚାଲିଲା ଘଣ୍ଟପିଟା, ଭେରୀ, ତୂରୀ, କାହାଳୀ ବାଦନ। ବିଧାନସଭାର ନୀତି, ନିୟମ, ଆଚାର-ସଂହିତା ସବୁ କିଛି ପରିଣତ ହେଲା ଯାତ୍ରାଭିନୟ ଓ ପ୍ରହସନରେ। ସରକାର ହୋଇଗଲେ ସମ୍ପୂର୍ଣ୍ଣ ଦଳୀୟ ଏବଂ ବିରୋଧୀ ହୋଇଗଲେ ହାସ୍ୟ ଉଦ୍ରେକକାରୀ କଳାକାର। ରାଜନୀତିର ବିଜ୍ଞାନ ଦୃଷ୍ଟିରୁ ସମସ୍ତେ ନିନ୍ଦିତ ହେଲେ ହେଁ, ରାଜନୀତିରେ ହେଲେ ଅଭିନନ୍ଦିତ ଓ ମାନ୍ୟବର।
ରାଜନୀତିର ପାଠ କହିଲା, ଆଇନ ଦୃଷ୍ଟିରେ ସମସ୍ତେ ସମାନ। ଆଇନ ତା’ ବାଟରେ ଯିବ। ମାତ୍ର ରାଜନୀତି କହିଲା ଏବଂ ବାରମ୍ବାର କରି ଦେଖେଇଦେଲା ଯେ, ବାଟ ବଦଳି ଯାଇପାରେ। ବାଟକୁ ଅବାଟ ଏବଂ ଅବାଟକୁ ମଧ୍ୟ ବାଟ କରିଦିଆଯାଇପାରେ। ବିନା ବିଚାରରେ ଜଣେ ନିର୍ଦୋଷ ବର୍ଷ ବର୍ଷ ଧରି କାରାବାସରେ ରହିପାରେ ଏବଂ ଗୁରୁତର ଅପରାଧରେ ଅଭିଯୁକ୍ତ ଏବଂ ଦୋଷୀ ସାବ୍ୟସ୍ତଙ୍କୁ ନିୟମିତ ବ୍ୟବଧାନରେ ନିଜ ଗୃହବାସର ଦୀର୍ଘକାଳୀନ ସୁଯୋଗ ମଧ୍ୟ ମିଳିପାରେ। ଜଣେ ବିତ୍ତଶାଳୀ ଏବଂ କ୍ଷମତାଯୁକ୍ତ ପାଇଁ ନିଶାର୍ଦ୍ଧରେ ନ୍ୟାୟାଳୟର ଦ୍ୱାର ଖୋଲାଯାଇ ତୁରନ୍ତ ନ୍ୟାୟ-ନିଷ୍ପତ୍ତି ମିଳିପାରେ, ମାତ୍ର ବିଶେଷ ପ୍ରଭା ଓ ପ୍ରଭାବ ନ ଥିବା ସାଧାରଣ ବ୍ୟକ୍ତିର ଭାଗ୍ୟଲେଖାରେ ଥାଏ ‘ବିଳମ୍ବିତ ନ୍ୟାୟ, ବିଡ଼ମ୍ବିତ ନ୍ୟାୟ’ର ପରିଭାଷା। ରାଜନୀତି ବିଜ୍ଞାନର ଭାଷା ବଦଳିଯାଏ ରାଜନୀତିରେ। ରାଜନୀତିର ବିଜ୍ଞାନ ଏବଂ ସମ୍ବିଧାନ ଘୋଷଣା କରେ ବ୍ୟକ୍ତିର ବକ୍ତବ୍ୟରେ ସ୍ୱାଧୀନତା। ନିୟନ୍ତ୍ରଣ ଅବଶ୍ୟ ରହିଛି ଓ ରହିବ, ଦେଶ, ଧର୍ମ, ସାମାଜିକ ସମ୍ପର୍କ ଦୃଷ୍ଟିରୁ। ମାତ୍ର କୌଣସି ରାଜନେତା ପ୍ରତି ଲଘୁ ଓ ଚଟୁଳ ମନ୍ତବ୍ୟ, ବ୍ୟଙ୍ଗଚିତ୍ର ଓ କଥା ଆଦୌ ସହ୍ୟ କରାଯିବ ନାହିଁ। କ୍ଷମତାଧିଷ୍ଠ ବ୍ୟକ୍ତିବିଶେଷ ହୋଇଯାଏ ଦେଶର ପ୍ରତିରୂପ। ବ୍ୟକ୍ତିଦ୍ରୋହ ବଦଳିଯାଇପାରେ ଦେଶଦ୍ରୋହରେ।
ବିନା ବିଚାରରେ, ନ୍ୟାୟାଳୟର ନିଷ୍ପତ୍ତି ବିନା କୌଣସି ଅଭିଯୁକ୍ତକୁ ଦଣ୍ଡିତ କରାଯାଇପାରିବ ନାହିଁ। ଏ କଥା କହୁଛି ପାଠ। ମାତ୍ର ଅଲଗା ହେଉଛି ରାଜନୀତିର ବାଟ। ନିଜେ ଅଭିଯୋଗକାରୀ ହିଁ ବିଚାରକର ଭୂମିକାରେ ରହି ନ୍ୟାୟାଳୟର ନିଷ୍ପତ୍ତି ପୂର୍ବରୁ ଧୂଳିସାତ୍ କରିଦେଉଛି ଅଭିଯୁକ୍ତର ଆଶ୍ରୟସ୍ଥଳ। କ୍ଷମତାର ପୃଥିକୀକରଣ ଏବଂ ପାରସ୍ପରିକ ନିୟନ୍ତ୍ରଣ ଓ ଶାସନର ସନ୍ତୁଳନର ରାଜନୀତିର ପୋଥିପାଠ, ବଦଳିଯାଉଛି କ୍ଷମତାପ୍ରମତ୍ତ ରାଜନେତାର ଚଲାବାଟରେ। ବୁଲ୍ଡୋଜର୍ ଆଗରେ ବଳି ପଡ଼ିଯାଉଛି ବିନା ଦୋଷୀ ସାବ୍ୟସ୍ତରେ ଗୋଟିଏ ପରିବାରର ଅର୍ଥ-ଶ୍ରମ-ସ୍ୱପ୍ନ ବିଜଡ଼ିତ ତା’ର ଘର ସଂସାର।
ସାମାଜିକ, ଅର୍ଥନୈତିକ ସମତାର ଶାସ୍ତ୍ରୀୟ ଭାଷା ବଦଳିଯାଉଛି ବାସ୍ତବ ରାଜନୀତିର ଭାବଭଙ୍ଗୀରେ। ଅସମାନତାର ମାଟି ଦବିବାରେ ଲାଗିଛି ତଳକୁ ତଳକୁ। ସମାନତାର ଆକାଶ ଘୁଞ୍ଚିଘୁଞ୍ଚି ଯାଉଛି ଦୂରରୁ ଦୂରକୁ। ‘ମୈତ୍ରୀ’ ହେଉଛି ରାଜନୀତିର ଶାସ୍ତ୍ରୀୟ ଦୃଷ୍ଟିକୋଣ। ବାସ୍ତବ ରାଜନୀତିରେ ଚାଲିଛି ବିଭାଜନ ଓ ସାମ୍ପ୍ରଦାୟିକତାର ବିଷବୀଜ ବପନ। ‘ଜନପଥ’ ବଦଳି ଯାଉଛି ‘ରାଜପଥ’ରେ। ଲୋକସେବକମାନେ ଆସୁଛନ୍ତି ରାଜକୀୟ ଆଡ଼ମ୍ବର, ଉପଚାରରେ ସମଗ୍ର ଜନପଥକୁ ଦୀଘର୍କାଳ ଅବରୋଧ କରି। ହସ୍ପିଟାଲକୁ ଯାଉଥିବା ରୋଗୀ, ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ, ସାଧାରଣ ଯାତ୍ରୀ ଅଟକି ରହୁଛନ୍ତି ରାଜ-ପଟୁଆର ପଥ ଅତିକ୍ରମ କରିବା ଯାଏ। ରାଜନୀତିର ସାମ୍ବିଧାନିକ ଭାଷାରେ ପ୍ରତ୍ୟେକ ବ୍ୟକ୍ତିର ସମାନ ପଦମର୍ଯ୍ୟାଦା, ସମାନ ସ୍ଥିତି ଓ ସମାନ ସୁଯୋଗ। ମାତ୍ର ରାଜନୀତିର ବ୍ୟାବହାରିକ ଚାହାଣି ଓ ଚଳଣିରେ ଆମେ ଦେଖୁଛୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ। ଏହିଭଳି ଅସରନ୍ତି ଉଦାହରଣ। ରାଜନୀତିର ପାଠ ଓ ବାଟ ସମାନ ହୋଇପାରୁନାହିଁ କାହିଁକି?
ଏହିଭଳି ଚର୍ଚ୍ଚା ଓ ଚିନ୍ତନ, ପ୍ରଶ୍ନ ଓ ପ୍ରତିପ୍ରଶ୍ନ, ବିଚାରବିମର୍ଶରେ ବ୍ୟସ୍ତ ଥିଲେ ରାଜନୀତି ବିଜ୍ଞାନ ପଢ଼େଇଥିବା ଓ ପଢ଼଼ିଥିବା ଗୁରୁଶିଷ୍ୟ। ଉଭୟଙ୍କ ଭୂମିକାରେ ରହି ଏହି ଲେଖକଟି ନିଜର ଭୂମି ଅଣ୍ଡାଳୁଥିଲା। ଦେଖିବାକୁ ଚାହୁଁଥିଲା ରାଜନୀତିର ପାଠ ଓ ବାଟ ଭିତରେ ଦୂରତା ନୁହେଁ, ସମାନତା।
ରାଜନୀତିର ପାଠ ଓ ଚଲା ବାଟ
Popular Categories



