www.samajalive.in
Saturday, December 6, 2025
26.1 C
Bhubaneswar

ବିଚାରପତିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ସମସ୍ତ ବିଚାରପତି ତାଙ୍କର ସମ୍ପତ୍ତି ତାଲିକାକୁ ସାର୍ବଜନୀନ ଭାବେ ଘୋଷଣା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ଓ ମହତ୍ତ୍ବପୂର୍ଣ୍ଣ; କାରଣ ଏହା ବିଚାର ବିଭାଗୀୟ ସ୍ବଚ୍ଛତା ଓ ସ୍ବାଧୀନତା ନିମନ୍ତେ ଅତ୍ୟନ୍ତ ଜରୁରୀ। ନ୍ୟାୟମୂର୍ତ୍ତି ଯଶୱନ୍ତ ବର୍ମାଙ୍କ ବାସଭବନରୁ ନଗଦ ନୋଟ୍‌ଗଦା ଆବିଷ୍କାର ହେବାର କିଛି ସପ୍ତାହ ପରେ ଅଦାଲତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ବର୍ତ୍ତମାନର ସମସ୍ତ ବିଚାରପତି ନିଜନିଜ ସମ୍ପତ୍ତିକୁ ସାର୍ବଜନିକ ଭାବେ ଘୋଷଣା କରିବାକୁ ଏବଂ ଅଦାଲତର ୱେବସାଇଟରେ ତା’ର ବିବରଣୀ ପ୍ରକାଶ କରିବା ନିମନ୍ତେ ସମ୍ମତ ହୋଇଛନ୍ତି। ସମ୍ପ୍ରତି ବିଚାରପତିଙ୍କ ସମ୍ପତ୍ତି ବିବରଣୀ ଦାଖଲ କରିବା ଏକ ସ୍ୱେଚ୍ଛାକୃତ କାର୍ଯ୍ୟ ହୋଇଥିବାବେଳେ ଏହାକୁ ବାଧ୍ୟତାମୂଳକ କରିବା ସମୟର ଆବଶ୍ୟକତା, କାରଣ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ବିଚାରପତିମାନଙ୍କ ବିବେକ ଉପରେ ଛାଡ଼ିଦେବା ଅନୁଚିତ।
ଉଲ୍ଲେଖଯୋଗ୍ୟ ଯେ ବିଚାରପତିମାନଙ୍କ ଦ୍ୱାରା ସମ୍ପତ୍ତି ବିବରଣୀ ପ୍ରକାଶନ ଏକ ବିବାଦୀୟ ବିଷୟ ହୋଇ ରହିଆସିଛି। ୧୯୯୭ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ, ଯେଉଁଥିରେ ସମସ୍ତ ବିଚାରପତିଙ୍କୁ ସେମାନଙ୍କ ସମ୍ପତ୍ତି ଏବଂ ଦାୟିତ୍ୱ ଭାରତର ପ୍ରଧାନ ବିଚାରପତି ଘୋଷଣା କରିବା ନେଇ ଉଲ୍ଲେଖ ରହିଥିଲା। ହାଇକୋର୍ଟ ବିଚାରପତିମାନେ ଏହି ବିବରଣୀ ମୁଖ୍ୟ ବିଚାରପତିଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଥିଲା। ତେବେ ଏହି ପ୍ରସ୍ତାବରେ ଏକ ସର୍ତ୍ତ ଥିଲା ଯେ ଘୋଷଣାଗୁଡ଼ିକ ‘ସ୍ୱେଚ୍ଛାକୃତ’ ଏବଂ ‘ଗୋପନୀୟ’ ହେବ। କହିବା ବାହୁଲ୍ୟ ଯେ ଏଭଳି ଘୋଷଣା ସମ୍ପୂର୍ଣ୍ଣ ସ୍ବଚ୍ଛତାକୁ ପ୍ରତିଫଳିତ କରେ ନାହିଁ। ଏହା ଜନସାଧାରଣଙ୍କ ପାଇଁ ମଧ୍ୟ ଯଥେଷ୍ଟ ନଥିଲା, କାରଣ ସେମାନଙ୍କୁ ଅନ୍ଧାରରେ ରଖାଯାଇଥିଲା। ୨୦୦୫ ମସିହାରେ ସୂଚନା ଅଧିକାର ଆଇନର ପ୍ରଣୟନ ଆଶାର କିରଣ ଭାବେ ଦେଖାଯାଇଥିଲା, କିନ୍ତୁ ଏହାର ଏକ ବିଧାନ ବ୍ୟକ୍ତିଗତ ସୂଚନା ପ୍ରକାଶନକୁ ନିଷେଧ କରିଥାଏ ଯଦି ତାହା ‘ବୃହତ୍ତର ସାଧାରଣ ସ୍ୱାର୍ଥ’ ସମ୍ବଳିତ ନ ହୁଏ। ଏହା ବିଚାରପତିଙ୍କ ସମ୍ପତ୍ତି ବିବରଣୀ ହାସଲ କରିବାରେ ଆବେଦନକାରୀଙ୍କ ପାଇଁ ଏକ ପ୍ରତିବନ୍ଧକ ସାବ୍ୟସ୍ତ ହୋଇଛି।
ଅବଶ୍ୟ ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ଏକ ରାୟରେ ସୂଚନା ଅଧିକାର ଆଇନ ଅଧୀନରେ ବିଚାରପତିଙ୍କ ସମ୍ପତ୍ତି ବିବରଣୀ ପ୍ରକାଶନକୁ ସମର୍ଥନ କରି କହିଥିଲେ ଯେ, “ଆଧୁନିକ ସମ୍ବିଧାନରେ ସମସ୍ତ କ୍ଷମତା, ଏପରିକି ନ୍ୟାୟିକ କ୍ଷମତା ମଧ୍ୟ ବ୍ୟତିକ୍ରମ ନୁହେଁ ଏବଂ ତା’ର ଉତ୍ତରଦାୟିତ୍ବ ରହିଛି। କ୍ଷମତାଧାରୀଙ୍କୁ ମଧ୍ୟ ସେମାନେ ନିର୍ଦ୍ଧାରଣ, ବ୍ୟାଖ୍ୟା କିମ୍ବା ପ୍ରୟୋଗ କରୁଥିବା ମାନଦଣ୍ଡ ଅନୁସାରେ ଜୀବନଯାପନ କରିବା ଆଶା କରାଯାଏ, ଅନ୍ତତଃ ସେମାନେ ଯେ ପର୍ଯ୍ୟନ୍ତ ପଦାସୀନ ଅଛନ୍ତି। ସୁତରାଂ ସମସ୍ତଙ୍କ ପାଇଁ ସମାନ ବିଧାନ ବାଧ୍ୟତାମୂଳକ।” ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସଞ୍ଜୀବ ଖାନ୍ନାଙ୍କ ନିଷ୍ପତ୍ତି ଏକ ଗୁରୁତ୍ବପୂର୍ଣ୍ଣ ସଙ୍କେତ ଦେଇଛି ଯେ ବିଚାର ବିଭାଗ ନିଜ ଅଭ୍ୟନ୍ତରକୁ ଦେଖୁଛି ଏବଂ ଉତ୍ତରଦାୟିତ୍ବର ଏକ ଆନୁଷ୍ଠାନିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଚାହୁଁଛି। ଏହା ନିଶ୍ଚିତ ଭାବେ ଗୋଟିଏ ପଟେ ନ୍ୟାୟାଳୟର ସ୍ବାଧୀନତା ସଂରକ୍ଷଣ ପାଇଁ ଜରୁରୀ ହୋଇଥିବାବେଳେ ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ବିଶ୍ବାସକୁ ସୁଦୃଢ଼ କରିବ। ଏଥିରୁ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ ଯେ ବିଚାର ବିଭାଗରେ ଆହୁରି ସଂସ୍କାର ଲୋଡ଼ା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories