www.samajalive.in
Tuesday, December 9, 2025
17.1 C
Bhubaneswar

ଆସନ୍ନ ଝାଞ୍ଜିକୁ ହୁସିଆର !

ଭୁବନେଶ୍ଵର:  ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷର ଖରାଦିନ ଅର୍ଥାତ୍‌ ଏପ୍ରିଲରୁ ଜୁନ୍‌ରେ ଦେଶର ସ୍ବାଭାବିକ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ। କେବଳ ପଶ୍ଚିମ ଓ ପୂର୍ବ ଭାରତର କେତେକ ଅଞ୍ଚଳ ଛାଡ଼ିଦେଲେ ଅନ୍ୟତ୍ର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ପ୍ରତିବର୍ଷ ଗ୍ରୀଷ୍ମକାଳରେ ଭାରତରେ ଚାରିରୁ ସାତ ଦିନର ପ୍ରଚଣ୍ଡ ଝାଞ୍ଜି ପ୍ରବାହ ଏପ୍ରିଲରୁ ଜୁନ୍‌ ମଧ୍ୟରେ ହୋଇଥାଏ। ଏହି ଗ୍ରୀଷ୍ମପ୍ରବାହ ଭାରତରେ ସ୍ବାଭାବିକଭାବେ ପରିଗଣିତ ହେଉଥିବାବେଳେ ଏଥର ଏହି ସମୟରେ ୧୦ରୁ ୧୧ ଝାଞ୍ଜି ପ୍ରବାହ ଦିବସ ରହିବା ଘେନି ପାଣିପାଗ ବିଭାଗ କହିଛି। ଝାଞ୍ଜି ବହିବା ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ବିଭିନ୍ନ କାରଣରୁ ଏହାର ତୀବ୍ରତା ବଢ଼ିଥାଏ। ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ ଓଡ଼ିଶା ସମେତ ପୂର୍ବ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମ ବଙ୍ଗ ଭଳି ରାଜ୍ୟରେ ଏଥର ସର୍ବୋଚ୍ଚ ତାପମାତ୍ରା ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅପେକ୍ଷାକୃତ ଅଧିକ ରହିବ। ଏପ୍ରିଲରେ ସ୍ବାଭାବିକ ବର୍ଷା ସତ୍ତ୍ବେ ତାପ ପ୍ରବାହ ଅସହ୍ୟ ହେବ। ଏହି ସୂଚନା ନିଶ୍ଚିତ ଚିନ୍ତାଜନକ; କାରଣ ଇତିମଧ୍ୟରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ମାର୍ଚ୍ଚ ମାସରେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ତେବେ ମାସର ଶେଷଭାଗ ଆଡ଼କୁ କେତେକ ସ୍ଥାନରେ କାଳବୈଶଖୀ ବର୍ଷା ଯୋଗୁଁ ତାତି କମିଥିଲା। ପାଣିପାଗ ବିଭାଗର ଏହି ସୂଚନା ନିଶ୍ଚୟ ଧନ ଜୀବନର ସୁରକ୍ଷା ଏବଂ ଚାଷବାସ ଦୃଷ୍ଟିରୁ ବିଶେଷ ଗୁରୁତ୍ବ ବହନ କରେ। ଅସ୍ବାଭାବିକ ତାପ ପ୍ରବାହ ଅର୍ଥ ଅଂଶୁଘାତ ମୃତ୍ୟୁ ବୃଦ୍ଧି ପାଇବ, ଜଳାଭାବ ସମସ୍ୟା ଉତ୍କଟ ହେବ ଏବଂ ବିଜୁଳି ଚାହିଦା ଅତ୍ୟଧିକ ବଢ଼ିବ। ଜଳଭଣ୍ଡାରଗୁଡ଼ିକ ଶୁଖିଯିବା ଫଳରେ ଖରିଫ ଚାଷ ପାଇଁ ପାଣିର ଅଭାବ ଦେଖାଦେବ। ସର୍ବୋପରି ପ୍ରଚଣ୍ଡ ତାପମାତ୍ରାର ପ୍ରଭାବ ଆମ ଅର୍ଥନୀତି ଓ ସ୍ବାଭାବିକ ଜୀବନଯାତ୍ରାକୁ ପ୍ରଭାବିତ କରିବ। ଉଭୟ ଶିଳ୍ପ ଓ କୃଷି ଉତ୍ପାଦନ କମିବ। ଅତ୍ୟଧିକ ଝାଞ୍ଜି ଯୋଗଁୁ ମଣିଷ ଓ ପଶୁପକ୍ଷୀ ଅଧିକ କଷ୍ଟ ଭୋଗିବା ସହିତ ଲୋକେ ନାନା ପ୍ରକାର ରୋଗରେ ପଡ଼ିବେ। ଏବେ ବୈଜ୍ଞାନିକମାନେ କହିଲେଣି ଯେ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ରୀଷ୍ମପ୍ରବାହ ବୟସ୍କ ବ୍ୟକ୍ତିଙ୍କ ଡିଏନ୍‌ଏକୁ ବଦଳାଇ ପାରେ। ଏହା ଫଳରେ ପଚାଶ ପର ବୟସର ଲୋକଙ୍କ ପାଇଁ ସମସ୍ୟା ଦେଖାଦେବ। ଏହି ଆକଳନ ସରକାରଙ୍କୁ ଆଗୁଆ ପ୍ରସ୍ତୁତ ହେବାକୁ ବିଶେଷ ସହାୟକ ହେବ; କାରଣ ପାନୀୟ ଜଳ, ବିଜୁଳି, ରୋଗର ମୁକାବିଲା ଏବଂ ଖରିଫ୍‌ ଚାଷ ପାଇଁ ସମ୍ଭାବ୍ୟ ପ୍ରତିକାର ବ୍ୟବସ୍ଥା କରିବାକୁ ପଡ଼ିବ। ବିଶେଷକରି ପାନୀୟ ଜଳ ଓ ବିଜୁଳି ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଏବେଠୁ ପ୍ରସ୍ତୁତ ରହିବା ଆବଶ୍ୟକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories