ଭୁବନେଶ୍ବର : ଜୀବନ ଓ ସୁରକ୍ଷାର ତାଡ଼ନା ଆଗରେ ବେଳେବେଳେ ସ୍ବାଧୀନତା ଅର୍ଥହୀନ ହୋଇପଡ଼େ। ଦେଶ ମାତୃକାର ସ୍ବାଧୀନତା ଅପେକ୍ଷା ନିଜର ଓ ପରିବାରର ସୁରକ୍ଷା ଏବଂ ଶାନ୍ତି ଅଗ୍ରାଧିକାର ପାଏ। ଯୁଦ୍ଧ ବିଧ୍ବସ୍ତ ଗାଜାର ଉତ୍ତରାଞ୍ଚଳରେ ବସବାସ କରୁଥିବା ପାଲେଷ୍ଟିନୀୟଙ୍କ ମଧ୍ୟରୁ ଅନେକ ଲୋକ ଶେଷରେ ଶାସକ ହମାସ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଗାଜାରେ ଏହା ଏହି ଧରଣର ପ୍ରଥମ ଯୁଦ୍ଧ ବିରୋଧୀ ପ୍ରତିବାଦ ଯେଉଁଥିରେ ଶାସକଗୋଷ୍ଠୀକୁ ଲୋକେ ଯୁଦ୍ଧଖୋର, ଉଗ୍ରବାଦୀ ଓ ଜନବିରୋଧୀ କହି ସ୍ଲୋଗାନମାନ ଦେଇଛନ୍ତି। ‘ତୁରନ୍ତ ଯୁଦ୍ଧ ବନ୍ଦକର, ଆମେ ମରିବାକୁ ଚାହୁଁନା, ଆମ ପିଲାମାନଙ୍କର ରକ୍ତ ଶସ୍ତା ନୁହେଁ, ହମାସ କ୍ଷମତା ଛାଡ଼’ ଭଳି ସ୍ଲୋଗାନରୁ ସୂଚନା ମିଳୁଛି ଯେ ଏହି ଯୁଦ୍ଧ ବିଧ୍ବସ୍ତ ଲୋକମାନେ ବେଶ୍ ଅତିଷ୍ଠ ଓ ବିବ୍ରତ।
ଏହି ପ୍ରତିବାଦର ବାସ୍ତବତା ବିଚାର ସାପେକ୍ଷ। ବିଗତ ୧୭ମାସର ଯୁଦ୍ଧରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ସମଗ୍ର ଗାଜା ପଟ୍ଟି ଧ୍ବସ୍ତବିଧ୍ବସ୍ତ ହୋଇଛି। ଏବେ ମଧ୍ୟ ହମାସର ଅଧିକ ପ୍ରଭାବଥିବା କେତେକ ଅଞ୍ଚଳ ଉପରେ ଇସ୍ରାଏଲର ବୋମାମାଡ଼ ଜାରି ରହିଛି। ସହିବାର ଏକ ସୀମା ଅଛି। ତେଣୁ ବିଶେଷ କ୍ଷତିଗ୍ରସ୍ତ ବେଟ୍ ଲହିୟା, ସିଜାୟା ଭଳି ଛୋଟଛୋଟ ସହରାଞ୍ଚଳରେ ଶାସକ ହମାସ ବିରୋଧରେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଆରମ୍ଭ ହୋଇଛି। ପେଟର ଜ୍ବାଳା, ଦୈନିକ ମୃତ୍ୟୁର ଭୟ, ଅନିଶ୍ଚିତ ଜୀବନ ଭିତରେ ଏଭଳି ପ୍ରତିବାଦ ଗାଜାରେ ବିରଳ, ବିପଜ୍ଜନକ ହେଲେ ମଧ୍ୟ ଏକ ବାସ୍ତବତା।
ଏହି ପ୍ରତିବାଦ ପଛରେ ରାଜନୀତି ଅପେକ୍ଷା ଲୋକଙ୍କ ଜୀବନର ସୁରକ୍ଷା ବିଚାର ଅଧିକ ରହିଛି। ତେବେ ରଣନୀତି ଦୃଷ୍ଟିରୁ ଏହା ଇସ୍ରାଏଲର ଯେ ଏକ ଚାପ ପ୍ରୟୋଗକାରୀ ପ୍ରସ୍ତାବ ଏହାକୁ ଅସ୍ବୀକାର କରିହେବନାହିଁ। ଯୁଦ୍ଧରେ ହମାସ୍ ସଂପୂର୍ଣ୍ଣ ପରାଜିତ ହୋଇଥିଲେ ମଧ୍ୟ ଗାଜାର କ୍ଷମତା ଛାଡ଼ୁନାହିଁ ଓ ଲୁଚିଛପି ଏହାର ଗରିଲାବାହିନୀ ଇସ୍ରାଏଲର ମୁକାବିଲା କରୁଛି। ତେଣୁ ଗଣ ପ୍ରତିବାଦ ଜରିଆରେ ହମାସକୁ କ୍ଷମତାଚ୍ୟୁତ କରିବାକୁ ଚାପ ପକାଇବା ଉଦ୍ଦେଶ୍ୟରେ ଇସ୍ରାଏଲ ହଠାତ୍ ଯୁଦ୍ଧ ବିରତି ଭାଙ୍ଗି ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି।
ପାଶ୍ଚାତ୍ୟ ଓ ଆରବରାଷ୍ଟ୍ରମାନେ ଏହି ଲଢ଼େଇରେ ଗାଜାବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଏକଦା ଯେଉଁ ହମାସ ସଂଗଠନକୁ ଗାଜାବାସୀ ଭୋଟଦେଇ ଶାସନକୁ ଆଣିଥିଲେ ତାହା ଲୋକଙ୍କ ଧନଜୀବନ ସୁରକ୍ଷାରେ ବିଫଳ ହୋଇଛି। ଉଗ୍ରବାଦୀ ନୀତି ଓ ଯୁଦ୍ଧ ବଳରେ ସ୍ବାଧୀନତା ଛଡ଼ାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ହମାସ ଏବେ ସବୁଠୁ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି। ଗାଜାବାସୀ ଭଲଭାବେ ଜାଣି ସାରିଲେଣି ଯେ, ଯେପର୍ୟ୍ୟନ୍ତ ହମାସ କ୍ଷମତାରେ ଥିବ ସେ ଯାଏ ଯୁଦ୍ଧ ବନ୍ଦ ହେବନାହିଁ। ଗାଜାବାସୀ ଏବେ ଯୁଦ୍ଧଠାରୁ ଜୀବନକୁ ଅଧିକ ଗୁରୁତ୍ବ ଦେବା ସେଠା ବାସ୍ତବତାକୁ ସୂଚାଉଛି। ତେଣୁ ହମାସ ବିରୋଧରେ ପ୍ରତିବାଦର ପ୍ରଥମ ସ୍ବର ଉଠିଛି। ଏହା କେତେ ବଳ ଗୋଟାଉଛି ଓ କେତେ ଶୀଘ୍ର ସଂପ୍ରସାରିତ ହେଉଛି ତାହା ଦେଖିବାକୁ ବାକି ରହିଲା।



