ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କୁ ପତ୍ର ଲେଖି ପରମାଣୁ ବୁଝାମଣା କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଇରାନ ଏହାକୁ ଅଗ୍ରାହ୍ୟ କରିଦେଇଛି। ଇରାନ ଯଦି ପରମାଣୁ ବୁଝାମଣା ନ କରିବେ ପରିସ୍ଥିତି ଖରାପ ହେବ ବୋଲି ଟ୍ରମ୍ପ ଧମକ ଦେଇଥିଲେ। ଏପରି ଧମକ ସତ୍ତ୍ବେ ଟ୍ରମ୍ପଙ୍କ ପକ୍ଷରୁ ଗୁରୁବାର ଦିଆଯାଇଥିବା ପ୍ରସ୍ତାବକୁ ଶୁକ୍ରବାର ଖାମନେଇ ଅଗ୍ରାହ୍ୟ କରିଦେଇଛନ୍ତି। ଫକ୍ସ ବିଜନେସ୍ ନେଟୱର୍କକୁ ଏକ ସାକ୍ଷାତ୍କାରରେ ଟ୍ରମ୍ପ ଆଶା କରିଥିଲେ ଯେ ଇରାନ ପରମାଣୁ ବୁଝାମଣା ଲାଗି ଆଗ୍ରହ ପ୍ରକାଶ କରିବ। ମାତ୍ର ଟ୍ରମ୍ପଙ୍କ ଏହି ଆଶା ନିରାଶାରେ ପରିଣତ ହୋଇଛି। ପରମାଣୁ ଅସ୍ତ୍ର ବୁଝାମଣାକୁ ନେଇ ୨୦୧୮ରୁ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଲାଗି ରହିଛି।
ଅନ୍ୟପଟେ ରୁଷ୍ ଉପରେ ଟିକସ, ବ୍ୟାଙ୍କ ଓ ଅନ୍ୟାନ୍ୟ କଟକଣା ଲାଗୁ କରିବାକୁ ଟ୍ରମ୍ପ କହିଛନ୍ତି। ୟୁକ୍ରେନ ସହିତ ଶାନ୍ତି ବୁଝାମଣା ହେବା ପର୍ଯ୍ୟନ୍ତ ରୁଷ୍ ଉପରେ କଟକଣା ଲାଗୁ ଜାରି ରହିବ। କିଛି ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ରୁଷ୍ ଉପରେ ଆମେରିକା ଲାଗୁ କରିଥିବା ବିଭିନ୍ନ କଟକଣାକୁ ହଟାଯିବ। ଏପରିକି ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରାଯାଇ ରୁଷ୍ ସହିତ ଆମେରିକା ତାର ସମ୍ପର୍କକୁ ସ୍ବାଭାବିକ କରିବ ବୋଲି ଟ୍ରମ୍ପ ଗତ ମଙ୍ଗଳବାର କହିଥିଲେ। ମାତ୍ର ଶୁକ୍ରବାର ଟ୍ରମ୍ପ ତାଙ୍କ ମତ ବଦଳାଇବା ପୂର୍ବକ ରୁଷ୍ ଉପରେ ଶୁଳ୍କ ଓ ଅନ୍ୟାନ୍ୟ କଟକଣା ଲଗାଇବାକୁ କହିଛନ୍ତି।
ଟ୍ରମ୍ପଙ୍କ ପରମାଣୁ ବୁଝାମଣା ପ୍ରସ୍ତାବକୁ ଇରାନର ଅଗ୍ରାହ୍ୟ
Popular Categories



