www.samajalive.in
Saturday, December 13, 2025
17.1 C
Bhubaneswar

ଥାନା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦା; ଏତଲା ନ ରଖିଲେ ନିଲମ୍ବନ

ଭୁବନେଶ୍ବର: ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ। ଏତଲା (ଏଫ୍‌ଆଇଆର୍‌) ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା କର, ନଚେତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ପୁଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ରାଜ୍ୟର ୧୪ଟି ଥାନାର ନୂତନ କୋଠା ଶୁଭାରମ୍ଭ କାର‌୍ୟ୍ୟକ୍ରମରେ ନୂଆପଲ୍ଲୀ ଥାନାର ନୂଆ କୋଠା ଉଦ୍‌ଘାଟନ କରିବା ଅବସରରେ ସାଧାରଣ ଲୋକଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୁଲିସକୁ ପରାମର୍ଶ ଦେଇଥିଲେ। ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ସହ ନ୍ୟାୟ ଦିଅ। ଯେଉଁ ଥାନା ଅଧିକାରୀ ଲୋକଙ୍କ କଥା ଶୁଣୁ ନାହାନ୍ତି କାର‌୍ୟ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ବିଧାୟକ ଥିବାବେଳେ ପୁଲିସ ତାଙ୍କ ପ୍ରତି କେମିତି ବ୍ୟବହାର କରିଥିଲା ସେକଥା ମୁଖ୍ୟମନ୍ତ୍ରୀ କହିଥିଲେ। ବିଧାୟକ ଥିବା ବେଳେ ୨୦୧୯ରେ ମତେ କେନ୍ଦୁଝର ଆଇଆଇସି ଦୁର୍ବ୍ୟବହାର କରିଥିଲେ। ଗେଟ୍ ଆଉଟ କହିଥିଲେ। ତେଣୁ ପୁଲିସ ବ୍ୟବହାର ପରିବର୍ତ୍ତନ କରୁ। ସାଧାରଣ ଲୋକଙ୍କୁ ସେବା ଦେଉ। କାହାର ଚାପରେ ପଡ଼ି ପୁଲିସ ବ୍ୟବହାର କରିବା ଅନୁଚିତ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ପାଣି ଚା’ ଦେଇ ସମ୍ମାନ ଦେଇ ଅଭିଯୋଗ ଶୁଣିବା ଦରକାର। ମୁଁ ଭୁକ୍ତଭୋଗୀ ହୋଇଛି, ତେଣୁ ଆଗକୁ ସେମିତି କେବେ ହବନି। ଆଗକୁ ପୁଲିସ ବାହିନୀ ଶକ୍ତିଶାଳୀ ହେବ। ଯେଉଁ ଥାନା ଏଫ୍‌ଆଇଆର୍‌ ‌ନେବ ନାହିଁ ସେଠି ଆଇଆଇସି ନିଲମ୍ବିତ ହେ‌େ‌ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କମିସନରେଟ ପୁଲିସର ନୂଆପଲ୍ଲୀ ଥାନାରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲାରେ ୧୪ଟି ନବନିର୍ମିତ ଥାନା ଗୃହ ଲୋକର୍ପଣ କରିଛନ୍ତି। ନୂଆପଲ୍ଲୀ ଥାନା ସହିତ ଅନୁଗୋଳ ଜିଲାର ସମଲ ଓ ସଦର ଥାନା, ବରଗଡ଼ ଜିଲା ଭେଡେନ, କଳାହାଣ୍ଡି ଜିଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରିର କୋରକୁଣ୍ଡା, କନ୍ଧମାଳ ଜିଲାର ଫିରିଙ୍ଗିଆ, କମିସନରେଟ ପୁଲିସ ଅନ୍ତର୍ଗତ କଟକର ସିଆରଆରଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲାର ପାରାଦ୍ବୀପ ଲକ୍ ଥାନା, ଯାଜପୁରର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ନବନିର୍ମିତ ନୂଆପଲ୍ଲୀ ଥାନାରେ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୪ଟି ଥାନାର ଅଧିକାରୀ ଓ କର୍ମଚାରୀ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ। ଏହି ଥାନା ଦ୍ବାରା ଲୋକେ ଉନ୍ନତମାନର ସେବା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଏହି ନବ ନିର୍ମିତ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରି, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରି, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରି, ଆଧୁନିକ ମାଲଖାନା, ଅଭ୍ୟର୍ଥନା ପ୍ରକୋଷ୍ଠ ଏବଂ ମହିଳା ଓ ଶିଶୁଙ୍କ ପାଇଁ ହେଲ୍ପ ଡେସ୍କ ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ ଶିଶୁସଦନ, ଶିଶୁ ସ୍ତନ୍ୟପାନ କକ୍ଷ, ଯାନବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।
ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଇନଶୃଙ୍ଖଳା ରକ୍ଷା ଦିଗରେ ଥାନାର ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ଆମ ସରକାର ଆସିବା ପରେ ଥାନାଗୁଡ଼ିକୁ ଆଧୁନିକୀକରଣ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। ଥାନାରେ କର୍ତ୍ତବ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଥାନାକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର କରନ୍ତୁ। ସେମାନେ ଅସୁବିଧାରେ ପଡ଼ି ଦୁଃଖରେ ଆପଣଙ୍କ ପାଖକୁ ଆସୁଛନ୍ତି। ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରନ୍ତୁ। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନିରାକରଣ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ପୁଲିସ କର୍ମଚାରୀଙ୍କ କାର‌୍ୟ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମି ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବିଗତ ଦିନରେ ଘଟିଥିବା ଅପରାଧର ଆଉ ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ନିର୍ଦେଶ ଦେବା ସହିତ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଭଲ ବ୍ୟବହାର କରିବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଥିଲେ।
କାର‌୍ୟ୍ୟକ୍ରମରେ ନୂଆପଲ୍ଲୀଠାରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଏକାମ୍ର ବିଧାୟକ ବାବୁ ସିଂ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଏବଂ ଅନ୍ୟ ଜିଲାର ସାଂସଦ, ବିଧାୟକ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ୱାଗତ ଭାଷଣ ଦେଇଥିଲେ। ପୁଲିସ ଆୟୁକ୍ତ ଏସ୍‌. ଦେବଦତ୍ତ ସିଂହ ଧନ୍ୟବାଦ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories