www.samajalive.in
Monday, December 8, 2025
13.1 C
Bhubaneswar

୨୩୧ କୋଟି ବ୍ୟାଙ୍କ ଋଣ ଅନିୟମିତତା ପ୍ରସଙ୍ଗ; ‘ବିଶ୍ବ’କୁ ୩୦୦ ପୃଷ୍ଠାର ଇଡି ନୋଟିସ

ସମ୍ବଲପୁର: ୨୩୧ କୋଟି ଟଙ୍କା ବ୍ୟାଙ୍କ ଋଣ ଅନିୟମିତତା ଅଭିଯୋଗରେ ଛନ୍ଦି ହୋଇଥିବା ସମ୍ବଲପୁରର ବେସରକାରୀ ସଙ୍ଗଠନ ‘ବିଶ୍ବ’କୁ ପ୍ରବର୍ତ୍ତନ ନିର୍ଦେଶାଳୟ ୩୦୦ ପୃଷ୍ଠାର ନୋଟିସ ଜାରି କରିଛି। ‘ବିଶ୍ବ’ ବିରୋଧରେ ଥିବା ୨୮ଟି ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାର ସମୁଦାୟ ୨୩୧ କୋଟି ଟଙ୍କା ଅନିୟମିତତା ଅଭିଯୋଗ ବାବଦରେ ମାର୍ଚ୍ଚ ୮ ତାରିଖ ସୁଦ୍ଧା ନିଜ ପକ୍ଷ ଲିଖିତ ଭାବେ ରଖି ପ୍ରମାଣ ସ୍ବରୂପ ଦଲିଲ ଦସ୍ତାବିଜ ଉପସ୍ଥାପନ କରିବାକୁ ନିର୍ଦେଶ ଦିଆଯାଇଛି। ‘ବିଶ୍ବ’ର ଅଧ୍ୟକ୍ଷ କ୍ଷୀରୋଦ ମଲ୍ଲିକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ଏକମାତ୍ର ପୁଅ ଦେବବ୍ରତ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଏହି ନୋଟିସ ଜାରି କରିଛି। ଭୁବନେଶ୍ବର ଇଡି କାର୍ଯ୍ୟାଳୟର ଜଣେ ଅଧିକାରୀ ସମ୍ବଲପୁରକୁ ଆସି ଦେବବ୍ରତଙ୍କୁ ବ୍ୟକ୍ତିଗତ ଭାବେ ଏହି ନୋଟିସ ହସ୍ତାନ୍ତର କରିଛନ୍ତି। ‘ବିଶ୍ବ’ ୨୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପାଖାପାଖି ୧୫ ବର୍ଷ ତଳେ ଉଠାଇଥିବା କିଛି ହଜାର କୋଟି ଋଣ ଟଙ୍କାରୁ ପରିଶୋଧ ହୋଇନଥିବା ୨୩୧ କୋଟି ଟଙ୍କା ଏବେ ‘ବିଶ୍ବ ’ପାଇଁ ଗଳାର ଫାଶ ଭଳି ହୋଇଛି।
‘ବିଶ୍ବ’ ମୁଖ୍ୟଙ୍କ ଅବର୍ତ୍ତମାନରେ ଅସୁବିଧାରେ ପଡ଼ିଛନ୍ତି ତାଙ୍କ ପୁଅ ଦେବବ୍ରତ। ଏହା ପୂର୍ବରୁ ଗତ ଡିସେମ୍ବର ୧୯ ଓ ୨୦ ତାରିଖରେ ସମ୍ବଲପୁର ଦାନୀପାଲିସ୍ଥିତ ‘ବିଶ୍ବ’ ମୁଖ୍ୟାଳୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦେବବ୍ରତଙ୍କୁ ୪୮ ଘଣ୍ଟା ଅଟକ ରଖି ଛାନବିନ କରିଥିଲା। ତତ୍କାଳୀନ ସଂପାଦକ ପୀତବାସ ସେଠୀ ଓ ଅଡିଟର କେ. ସି. ସାମଲଙ୍କ ଘର ଏବଂ ଦିଲ୍ଲୀରେ ଥିବା ଶାଖା କାର୍ଯ୍ୟାଳୟରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଏକକାଳୀନ ଚଢ଼ଉ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଜାନୁଆରୀ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ ଦେବବ୍ରତ, ପୀତବାସ ସେଠୀ ଓ ଅଡିଟର କେ. ସି. ସାମଲ ହାଜର ହୋଇ ନିଜ ନିଜ ପକ୍ଷ ରଖିଥିଲେ। ତାଙ୍କ ବାପାଙ୍କ ଅମଳରେ ‘ବିଶ୍ବ’ର କୌଣସି ଆର୍ଥିକ କାରବାର​ରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ଦେବବ୍ରତ ‘ଇଡି’କୁ କହିଥିଲେ। ଯଦିଓ ସେ କ୍ଷୀରୋଦ ମଲ୍ଲିକଙ୍କ ଏକମାତ୍ର ପୁଅ, ତଥାପି ବାପା ତାଙ୍କ ନାମରେ ‘ବିଶ୍ବ’ର କୌଣସି ଜମି ବାଡ଼ି କରି ଯାଇନାହାନ୍ତି କି ପୁଅ ନାମରେ ଋଣ ଉଠାଇ ନାହାନ୍ତି। କେବଳ ସମ୍ବଲପୁର ଦାନିପାଲିରେ ଥିବା ‘ବିଶ୍ବ’ ମୁଖ୍ୟାଳୟର ପାଞ୍ଚ ମହଲା କୋଠାକୁ ବାପା ତାଙ୍କୁ ଉପହାର ସ୍ବରୂପ ଦେଇଥିବାରୁ ସେ ସେହି କୋଠାରେ ଏବେ ରହୁଛନ୍ତି। କିନ୍ତୁ ଦେବବ୍ରତ ବାରମ୍ବାର ପେଶ କରି ଆସୁଥିବା ସଫେଇ ଇଡିକୁ ସନ୍ତୁଷ୍ଟ କରିପାରି ନାହିଁ। ଯଦି ଶହ ଶହ କୋଟି ଟଙ୍କାର ଋଣ ଦୁର୍ନୀତିରେ ଫଶିଥିବା ସଂସ୍ଥାର ଏହି କୋଠା ତାଙ୍କ ନାମରେ ନାହିଁ ସେ ଏଠାରେ କିପରି ରହୁଛନ୍ତି, ଏଠାରେ ଜିମ୍ ଖୋଲିଛନ୍ତି, ଭଡ଼ା ଲଗାଇଛନ୍ତି ତା’ର ଲିଖିତ ଉତ୍ତର ଦେବାକୁ ଇଡି ନିର୍ଦେଶ ଦେଇଛି। ‘ବିଶ୍ବ’ର ଅଧ୍ୟକ୍ଷ ତଥା ତାଙ୍କ ବାପା କ୍ଷୀରୋଦ ମଲ୍ଲିକ ଜୀବିତାବସ୍ଥାରେ ବିଭିନ୍ନ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାରୁ ମାଇକ୍ରୋଫାଇନାନ୍ସ ନାମରେ ହଜାର ହଜାର କୋଟି ଟଙ୍କା ପ୍ରକୃତରେ କାହିଁକି ଉଠାଇଥିଲେ, ଋଣ ଟଙ୍କା କେଉଁଠି ଖର୍ଚ୍ଚ କଲେ, କେଉଁ କେଉଁଠି ​​କେଉଁ ବାବଦରେ କେତେ ଟଙ୍କା ବିନିଯୋଗ କରିଥିଲେ, ବାକି ଟଙ୍କା ପ୍ରକୃତରେ କୁଆଡ଼େ ଗଲା, କାହା ନାମରେ ଜମା କରାଯାଇଛି କି, ଋଣ ଟଙ୍କାରେ ଜମିବାଡ଼ି କିଣି ସଂପର୍କୀୟମାନଙ୍କ ନାମରେ କରାଯାଇଛି କି, କୌଣସି ସ୍ଥାନରେ ଲୁକ୍କାୟିତ ସମ୍ପତ୍ତି ଅଛି କି ଆଦି ବାବଦରେ ଦେବବ୍ରତଙ୍କୁ ସପ୍ରମାଣ ତଥ୍ୟ ମାଗିଛି ପ୍ରବର୍ତ୍ତନ ନିର୍ଦେଶାଳୟ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories