www.samajalive.in
Monday, December 8, 2025
14.1 C
Bhubaneswar

ପିପିଲିରେ ବଢ଼ିଚାଲିଛି ସରକାରୀ ଜମି ଜବରଦଖଲ

ପିପିଲି: ପିପିଲି ତହସିଲ ଅଞ୍ଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ଘଟଣା ବଢ଼ିଚାଲିଛି। ଖାଲି ପଡ଼ିଥିବା ସରକାରୀ ଜମିକୁ ଯିଏ ଯେଉଁଠି ପାଉଛି ଜବରଦଖଲ କରୁଛି। ବିଲ୍ଡର ଓ ଜମି ଦଲାଲମାନେ ମଧ୍ୟ ସରକାରୀ ଜମିକୁ ଅକ୍ତିଆର କରି ନିଜର ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଛି। ନଦୀ ପଠା ଓ ଗୋଚର ଜମିରୁ କେତେକ ମାଫିଆ ବେଆଇନ ଭାବେ ମାଟି ଖୋଳି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ରାସ୍ତା ପାର୍ଶ୍ବରେ ଜଳ ନିଷ୍କାସନ ପାଇଁ ଥିବା ସଫେଇନାଳ ଓ ନୟନଯୋରୀକୁ ଅନେକ ସ୍ଥାନରେ ପୋତାଯାଇ ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ(ପକ୍କାଘର) ନିର୍ମାଣ କରାଯାଇଥିବା ଯୋଗୁଁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁଁ ସ୍ଥାନୀୟ ଅଧିବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି।

ପିପିଲି ଅଞ୍ଚଳ ଏବେ ବିଲ୍ଡର ଓ ଜମି ଦଲାଲଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଗରୀବ ଚାଷୀଙ୍କୁ ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଦଲାଲଙ୍କ ଜରିଆରେ ବିଲ୍ଡରମାନେ ଅତି ଶସ୍ତାରେ ଚାଷଜମି କ୍ରୟ କରୁଛନ୍ତି। ଏହି ଜମିରେ ବିଲ୍ଡରମାନେ ସେମାନଙ୍କର ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ଜମି ସଂଲଗ୍ନ ସରକାରୀ ଜମି ଓ ସଫେଇନାଳ ଆଦିକୁ ଜବରଦଖଲ କରୁଥିବା ଅଭିଯୋଗ ହୋଇଛି। ଏଥିସହ ମୋଟା ଅଙ୍କର ଅର୍ଥ କାରବାର କରି ଗ୍ରୀନଲ୍ୟାଣ୍ଡ ଚକ ଜମିକୁ ଅତି ସହଜରେ କିସମ ପରିବର୍ତ୍ତନ କରାଯାଇ ଘରବାରି ଜମିରେ ପରିଣତ କରାଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ୱ ମୌଜାରେ ଥିବା ଅନେକ ଚକଯୋଗ୍ୟ ଓ ଚକଅଯୋଗ୍ୟ ଜମିକୁ ଚାଷୀଙ୍କଠାରୁ ଅତି ଶସ୍ତାରେ ବିଲ୍‌ଡରମାନେ କ୍ରୟ କରି ଏହି ଜମି ପାର୍ଶ୍ବରେ ଥିବା ସରକାରୀ, ଗୋଚର, ଅନାବାଦି, ଚକନାଳି, ଚକରାସ୍ତା ଆଦି ଜମିକୁ ଜବରଦଖଲ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଚାଷୀଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ବହୁ ଚକରାସ୍ତା ଓ ଚକନାଳି ଏବେ ବିଲଡରଙ୍କ କବ୍‌‌ଜାରେ ରହିଥିବା ଜଣାଯାଇଛି। ଫଳରେ ଗାଈଗୋରୁଙ୍କ ଚରିବା ପାଇଁ ଚାରଣ ଭୂମିର ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ବଜାରଠାରୁ ସାତଶଙ୍ଖ ମଧ୍ୟରେ ଏବଂ ପିପିଲି-ଜଟଣୀ ରାସ୍ତାର ଉଭୟ ପାର୍ଶ୍ବ ଓ ପିପିଲି ପୌରାଞ୍ଚଳର ମୁଖ୍ୟରାସ୍ତାର ଉଭୟ ପାର୍ଶ୍ବରେ ଥିବା ସରକାରୀ ଜମି, ନୟନଜୋରୀ ଓ ସଫେଇନାଳୀ ଆଦିକୁ ବିଭିନ୍ନ ସ୍ଥାନରେ କେତେକ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ପୋତି ତା’ଉପରେ ନିଜର ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରିବା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। କେତେକ ସ୍ଥାନରେ ସଫେଇନାଳୀ ଉପରେ ଛାତ ପକାଯାଇ ଦୋକାନ ଘର ନିର୍ମାଣ କରାଯାଇଥିବା ମଧ୍ୟ ପରିଲକ୍ଷିତ ହୋଇଛି। ସରକାରୀ ସମ୍ପତ୍ତିର ଉଦ୍ଧାର ଓ ସୁରକ୍ଷା ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି କରାଯାଇଛି। ତେବେ ଏ ସଂପର୍କରେ ପିପିଲି ତହସିଲଦାର ଦିଲିପ କୁମାର ମାଝୀଙ୍କୁ ପଚାରିବାରେ ସରକାରୀ ଜମି ଜବରଦଖଲ ସଂପର୍କରେ ନିର୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ସରକାରୀ ଜମି ଜବରଦଖଲ ସଂପର୍କିତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲ ଅଞ୍ଚଳର ସମସ୍ତ ରାଜସ୍ୱ ନିରୀକ୍ଷକ(ଆରଆଇ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ସରକାରୀ ଜମି ଜବରଦଖଲ ସଂପର୍କିତ ରିପୋର୍ଟ ଆରଆଇଙ୍କଠାରୁ ମିଳିବା ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଦିଲିପ ମାଝୀ ପ୍ରକାଶ କରିଛନ୍ତି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories