www.samajalive.in
Sunday, December 14, 2025
14.1 C
Bhubaneswar

ବିଜେଡି ଚାପରେ ସରକାରଙ୍କୁ ଲିଖିତ ଜଣାଉ ନାହାନ୍ତି ଦୀପାଳି: ପ୍ରଦୀପ

ସମ୍ବଲପୁର: ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ବିଜେଡିର ଚାପରେ ତାଙ୍କ ବାପା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲେଖୁନାହାନ୍ତି ବୋଲି ସ୍ଥାନୀୟ ସାଂସଦ ପ୍ରଦୀପ ପୁରୋହିତ ବୁଧବାର ଅଭିଯୋଗ କରିଛନ୍ତି। ଶ୍ରୀ ପୁରୋହିତ କହିଛନ୍ତି ଯେ, ଗୋପାଳ ଦାସ ନବ ଦାସଙ୍କୁ ମାରିଛି ବୋଲି କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇଛି। କିନ୍ତୁ ବାସ୍ତବ ଚିତ୍ର ତାହା ନୁହେଁ। ପରଦା ପଛର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ନବ ଦାସ ନବୀନ ପଟ୍ଟନାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ହେବା ଆଶାରେ ମହାରାଷ୍ଟ୍ରର ସାଇ ସିଗନାପୁରରେ ଶନି ପୂଜା କରିଥିଲେ ବୋଲି ତାଙ୍କ ଦଳର ମୁଣ୍ଡିଆଳମାନେ ପ୍ରମାଦ ଗଣିଥିଲେ। ସେହିମାନେ ହିଁ ନବ ଦାସ ହତ୍ୟା ପଛର ଅସଲ ଷଡ଼ଯନ୍ତ୍ରକାରୀ। ତେଣୁ ତତ୍କାଳୀନ ସରକାରଙ୍କ ଇଙ୍ଗିତରେ କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ଏକମାତ୍ର ଅଭିଯୁକ୍ତ ସଜାଇ ସେ ସମୟର ଶାସକ ଦଳକୁ ସୁହାଇଲା ଭଳି ରିପୋର୍ଟ ଦେଇଥିଲା। ଦୁଇ ବର୍ଷ ଧରି ଚୁପ ଥିବା ଦୀପାଳି ସବୁ ଆଡ଼ୁ ଚାପ ପଡ଼ିବାରୁ ଘରଲୋକଙ୍କ ସହିତ କଥା ହେଲା ପରେ ସିବିଆଇ ତଦନ୍ତ ପାଇଁ ଲେଖିକି ଦେବି ବୋଲି କହିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଘର ଲୋକଙ୍କ ସହ କଥା ହେବାକୁ ଏତେ ଲମ୍ବା ସମୟ ଲାଗେନାହିଁ। ପ୍ରକୃତ କଥା ହେଲା ତାଙ୍କ ପରିବାର ଉପରେ ବିଜେଡିର ଚାପ ପଡ଼ୁଛି। ତେଣୁ ଦୀପାଳି ମାସେ ହେଲା ଲେଖିବି ଲେଖିବି ବୋଲି ଖାଲି କହୁଛନ୍ତି, କିନ୍ତୁ ଲେଖୁନାହାନ୍ତି। ସିବିଆଇ ତଦନ୍ତ ହେଲେ ତାଙ୍କ ଦଳରେ ଲୁଚିଥିବା ନବ ଦାସ ହତ୍ୟା ଷଡ଼ଯନ୍ତ୍ରକାରୀମାନଙ୍କ ମୁଖା ଖୋଲିଯିବ। ଏହି ଭୟରେ ଦୀପାଳିଙ୍କୁ ସିବିଆଇ ତଦନ୍ତ ପାଇଁ ଚିଠି ନ ଲେଖିବାକୁ ଦଳୀୟ ଚାପ ପଡ଼ୁଛି ବୋଲି ସାଂସଦ ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।
ଏହି ବହୁଚର୍ଚ୍ଚିତ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ପୁଣି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ପାରିବାରିକ ସମ୍ପତ୍ତିର ସୁରକ୍ଷା ପାଇଁ ତାଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଲେଖି ଦେଉନାହାନ୍ତି। ତାଙ୍କୁ ଭୟଭୀତ କରାଯାଉଥିବାରୁ ସେମାନେ ଲେଖୁନଥିବେ। ତେଣୁ ତାଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଲେଖିକି ନ ଦେବା ପର‌୍ୟ୍ୟନ୍ତ ସେ ଆଜିଠାରୁ ନବ ଦାସ ହତ୍ୟା ପ୍ରସଙ୍ଗରେ ଆଉ କୌଣସି ପ୍ରକାର ବିବୃତି ଦେବେ ନାହିଁ। ତାଙ୍କ ପରିବାର ଚୁପ ରହୁଥିବା ବେଳେ ଆମେ ସେଇ ସେଇ କଥା ବାରମ୍ବାର କହି କିଛି ଲାଭନାହିଁ ବୋଲି ଜୟନାରାୟଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ବାବଦରେ ଦୀପାଳିଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କୁ ଫୋନ କରିବାରୁ ସେ ନିରୁତ୍ତର ରହିଥିଲେ।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories