କଂଗ୍ରେସ କ୍ଷମତାକୁ ଆସିବା ଜରୁରୀ: ନିରଞ୍ଜନ
ରାଉରକେଲା: କଂଗ୍ରେସ ଯାହ ପ୍ରତିଶ୍ରୁତି ଦିଏ. ତା’କୁ ପୂରଣ କରିଥାଏ। ରାଜ୍ୟ ଓ ଦେଶର ସ୍ୱାର୍ଥ ପାଇଁ କଂଗ୍ରେସ କ୍ଷମତାକୁ ଆସିବା ଜରୁରୀ। ଏଥିପାଇଁ ଦଳର କର୍ମୀ ଓ କର୍ମକର୍ତା ମତଭେଦ ଭୁଲି ଏକ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିିଛନ୍ତି। ଫେବୃୟାରୀ ୬ ତାରିଖ ଦିନ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ରାଉରକେଲା ସମାବେଶକୁ ସଫଳ କରିବା ପାଇଁ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ହୋଇଥିବା ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ନିରଞ୍ଜନ।
କଂଗ୍ରେସରୁ ୨ଜଣ ବିଧାୟକ ଯାଇଥିଲେ ବି ଦଳ କେବେ ଦୁର୍ବଳ ନୁହେଁ। ବ୍ୟକ୍ତି ନୁହେଁ ବରଂ ଦଳ ସବୁବେଳେ ବଡ଼। ୨ ସିନା ଗଲେ, ହେଲେ ଆମେ ଜଣେ ଟାଣୁଆ ବିଧାୟକ ପାଇଛୁ। ଜର୍ଜ ତିର୍କୀ ହେଉଛନ୍ତି କଂଗ୍ରେସ ପାଇଁ ‘ଏକା ମାଧିଆ ବାଇଶି ପଣ’ ବୋଲି ସେ କହିଥିଲେ। ରାହୁଳଙ୍କ ପାଖରେ ଜର୍ଜ ସିଧାସଳଖ ଯୋଗଦେଇଛନ୍ତି। ରାଉରକେଲା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜର୍ଜ ପୂର୍ବରୁ ରାହୁଳଙ୍କୁ ନିମନ୍ତ୍ରଣ କରିଥିଲେ। ପରେ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିବା ବେଳେ ରାହୁଳ ତାଙ୍କ ସମାବେଶ ପାଇଁ ରାଉରକେଲାକୁ ବାଛିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପଙ୍କ ଯୋଗଦାନ ଚର୍ଚ୍ଚା ବିଷୟରେ ସେ କହିଲେଯେ ଏନେଇ ସେ କିଛି ଜାଣନାହାନ୍ତି। ଏ ବିଷୟରେ ଦିଲୀପ ହିଁ କହିପାରିବେ। ସେ ପ୍ରସ୍ତାବ ଦେଲା ପରେ ଏକଥା ଦଳ ଚିନ୍ତା କରିବ ବୋଲି ନିରଞ୍ଜନ କହିଥିଲେ। ରାଉରକେଲାକୁ ସ୍ୱତନ୍ତ୍ର ଜିଲା ପାଇଁ ହେଉଥିବା ଦାବିକୁ କଂଗ୍ରେସ ବିଧାୟକ ଜର୍ଜ ତିର୍କୀଙ୍କ ବିରୋଧ ପ୍ରସଙ୍ଗକୁ ସେ ତାଙ୍କର ବ୍ୟକ୍ତିଗତ ନିଷ୍ପତି ବୋଲି କହିଥିଲେ। ତେବେ ରାଉରକେଲାବାସୀଙ୍କ ନିଷ୍ପତ୍ତି ଓ ଇଛାକୁ କଂଗ୍ରେସ ଦଳ ସମ୍ମାନ ଦେବ। ରାଉରକେଲାରେ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ନିରଂଜନ ପୂର୍ବରୁ ଦେଇଥିବା ମନ୍ତବ୍ୟକୁ ଦୋହରାଇଛନ୍ତି। ରାଉରକେଲା ତାଙ୍କର ଦ୍ୱିତୀୟ ଘର ଓ ସେ କ’ଣ ରାଉରକେଲା ପାଇଁ ଯୋଗ୍ୟ ପ୍ରାର୍ଥୀ ନୁହଁନ୍ତିକି ବୋଲି କହିଛନ୍ତି। ବିଗତ ଦିନରେ କେନ୍ଦ୍ରର ମୋଦୀ ସରକାର ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ବିଫଳ ହୋଇଛନ୍ତି। ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ଲୋକଙ୍କ ସହିତ ପ୍ରତାରଣା କରିଛନ୍ତି। କୃଷକଙ୍କ ଉତ୍ପାଦନ କ୍ଷମତାବୃଦ୍ଧି ପାଇଁ ଚିନ୍ତାନକରି କୃଷକଙ୍କୁ ଭଣ୍ଡେଇବା ପାଇଁ ନିର୍ବାଚନ ଭେଳିକି କରୁଛନ୍ତି। ରାଉରକେଲାରେ ରାହୁଳଗାନ୍ଧୀଙ୍କ ସମାବେଶକୁ ସଫଳ କରିବା ପାଇଁ ସମସ୍ତ କର୍ମୀ ଓ କର୍ମକର୍ତା ଆନ୍ତରିକତାର ସହିତ କାର୍ଯ୍ୟକରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ର୍ରମର ସଫଳତା ପାଇଁ ସେ କର୍ମକର୍ତ୍ତାଙ୍କ ସହିତ ପ୍ରତ୍ୟେକ୍ଷ ଭାବ ବିନିମୟ କରିଥିଲେ। ଏଆଇସିସି ସାଧାରଣ ସମ୍ପାଦକ ଓଡ଼ିଶା ସହପ୍ରଭାରୀ ମସ୍ତାନ ୱଲୀ କହିଲେ, ରାହୁଳଙ୍କ ଉପରେ ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢିଛି। ଏତେ କମ ବ୍ୟବଧାନରେ ଆଉ ଏକ ସମାବେଶ ପାଇଁ ସମ୍ମତି ଦେଇ ଓଡ଼ିଶାବାସୀଙ୍କ ପ୍ରତି ରାହୁଳ ତାଙ୍କର ଭଲପାଇବା ଦେଖାଇଛନ୍ତି। ମୋଦୀ-ନବୀନଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏହି ସମାବେଶର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ୱଲୀ କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ କହିଲେ ଯେ ରାଉରକେଲା ତଥା ସୁନ୍ଦରଗଡ଼ ଗସ୍ତରେ ଆସିବା ପାଇଁ ସେ କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାକୁ ରାହୁଳ ଗାନ୍ଧୀ ଗ୍ରହଣ କରିଥିବାରୁ ସେ କୃତଜ୍ଞ। ବିଧାୟକ ଜର୍ଜ ତିର୍କୀ କହିଲେଯେ ଏହି ସମାବେଶର ସଫଳତା ଜରିଆରେ ବିଜେଡି ଓ ବିଜେପି ସରକାର ପାଇଁ ଆହ୍ୱାନ ସୃଷ୍ଟି କରାଯିବ।
ବିଧାୟକ ଡାକ୍ତର ପ୍ରଫୁଲ ମାଝି କହିଲେ ଯେ ରାହୁଳଗାନ୍ଧୀଙ୍କ ସମାବେଶକୁ ସଫଳ କରିବା ମାଧ୍ୟମରେ କଂଗ୍ରେସର ସ୍ଥିତିକୁ ସୁଦୃଢ କରିବାକୁ ପଡ଼ିବ। ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ଏହି ସମାବେଶ ସଫଳତା ପାଇଁ ବିଭିନ୍ନ ଅଞ୍ଚଳର ନେତୃବୃନ୍ଦଙ୍କ ଦାୟିତ୍ୱ ବଣ୍ଟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ୪ଜଣ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଗ୍ରେଗୋରୀ ମିଞ୍ଜ, ରେମିଶ କେରକେଟା, ଜନାର୍ଦ୍ଦନ ଦେହୁରୀ, ପିସିସି ସାଧାରଣ ସମ୍ପାଦକ ରାଜୁ ଷଡ଼ଙ୍ଗୀ, ପିସିସି ସମ୍ପାଦକ ରଶ୍ମିପାଢୀ, ସୁନ୍ଦରଗଡ଼ ଜିଲାକଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ପୂର୍ବତନ ରାଉରକେଲା ଜିଲା କଂଗ୍ରେସ ସଭାପତି ତଥା ପ୍ରଭାରୀ ବିରେନ ସେନାପତି, ପ୍ରଭାରୀ ପ୍ରମୋଦ ପ୍ରଧାନ, ମହିଳାକଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ମିଶ୍ର, ରାଉରକେଲା କାର୍ଯ୍ୟକାରୀ ସଭାପତି ସବିର ହୁସେନ, ସୁଶୀଲ କିଣ୍ଡୋ ପ୍ରମୁଖ ବକ୍ତବ୍ୟ ପ୍ରଦାନ ଏହି ସମାବେଶର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଓ ମତାମତ ପ୍ରଦାନ କରିଥିଲେ। ଜିଲା କଂଗ୍ରେସ ସଭାପତି ରବି ରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମାବେଶକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଶେଷରେ ସୁନ୍ଦରଗଡ଼ କାର୍ଯ୍ୟକାରୀ ସଭାପତି ରାଜନ ଏକ୍କା ଧନ୍ୟବାଦ ଦେଇଥିଲେ।
ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ
ରାଉରକେଲା: ଅନେକ ସମୟରେ କଂଗ୍ରେସର ଗୋଷ୍ଠୀକନ୍ଦଳ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ରାଉରକେଲା ଗସ୍ତରେ ଆସିଥିବା ପିପିସି ସଭାପତି ନିରଂଜନ ପଟ୍ଟନାୟକ ଏହି ପ୍ରସଙ୍ଗକୁ ଏଡ଼ାଇଯାଇଥିଲେ। କିନ୍ତୁ ଖୋଦ୍ ନିରଞ୍ଜନଙ୍କ ସଭାରେ ଆଜି ଦଳର ଗୋଷ୍ଠୀକନ୍ଦଳ ପଦାରେ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆଜି ପାନ୍ଥନିବାସରେ ରାହୁଳଙ୍କ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ସମସ୍ତ ନେତୃବୃନ୍ଦ ଦଳର ଏକତାର କଥା କହିଥିଲେ। କିନ୍ତୁ କିଛି ମୁହୁର୍ତ୍ତ ପାଇଁ ଚିତ୍ର ବଦଳିଯାଇଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। ଦଳର ବରିଷ୍ଠନେତା ବାଦଲ ଶ୍ରୀଚନ୍ଦନ କଥା ପ୍ରସଙ୍ଗରେ ରାହୁଳଙ୍କ ରାଉରକେଲା ସମାବେଶ ପଛରେ ନିରଂଜନଙ୍କ ରାଉରକେଲାକୁ ରାଜନୈତିକ କର୍ମଭୂମି ବାଛିବା ବୋଲି କହିଥିଲେ। ଏହି ପଦେ କଥାରୁ ହିଁ ଆରମ୍ଭ ହେଲା ପ୍ରତିପକ୍ଷ ଗୋଷ୍ଠୀର ଗାଳି। ‘ରାଉରକେଲାରୁ ନିରଂଜନ ପ୍ରାର୍ଥୀ ହେଲେ ତୁମର ଅସୁବିଧା କେଉଁଠି ’ ବୋଲି ପ୍ରଶ୍ନ କରି ପ୍ରତିପକ୍ଷ ଗୋଷ୍ଠୀର ଗାଳି ଆରମ୍ଭ ହୋଇଥିଲା। ତେବେ ଏତିକିରେ କଥା ସରିନଥିଲା। ନିରଂଜନ ଓ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ମାଡ଼ପିଟ ପର୍ଯ୍ୟନ୍ତ କଥା ଯାଉଥିବା ବେଳେ କେତେକ ବରିଷ୍ଠ ନେତୃବୃନ୍ଦ ଉଭୟ ପକ୍ଷକୁ ବୁଝାଶୁଝା କରି ପରସ୍ଥିତିକୁ ଶାନ୍ତ କରିଥିଲେ। ନିରଞ୍ଜନ ସେମାନଙ୍କୁ ତାଗିଦ କରିଥିଲେ। ତେବେ ଏନେଇ ନିରଞ୍ଜନଙ୍କୁ ପଚାରିବାରେ ଏହା ଗୋଷ୍ଠୀକନ୍ଦଳ ନୁହେଁ ବରଂ ଏହା ହେଉଛି ରାହୁଳ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ନେଇ ଦଳର ଉତ୍ସାହ ବୋଲି ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ। ତେବେ, ଏହି ଘଟଣା ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ଉଷ୍ମ କରିବ ବୋଲି ଆଲୋଚନା ହେଉଛି।