ଟିକମଗଡ : ପିତାଙ୍କ ଅନ୍ତିମ ସଂସ୍କାର ପ୍ରସଙ୍ଗକୁ କେନ୍ଦ୍ର କରି ମଧ୍ୟପ୍ରଦେଶର ଟିକମଗଡ ଜିଲାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଜ୍ୟେଷ୍ଠ ଭାବେ ଦାବି କରି ପିତାଙ୍କ ଶବ ସତ୍କାର କରିବା ଲାଗି ବଡ଼ ଭାଇ ଅଡି ବସିଥିବାବେଳେ ବାପାଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିବାରୁ ଏହି ସୁଯୋଗ ତାକୁ ମିଳୁ ବୋଲି ସାନ ଭାଇ ଯୁକ୍ତି ଦର୍ଶାଇଥିଲା। ବିବାଦ ଏତେ ବଢିଥିଲା ଯେ, ବଡ଼ ଭାଇ ଶେଷରେ ପିତାଙ୍କ ମୃତଦେହକୁ ଦୁଇଖଣ୍ଡ କରି କାଟି ପରସ୍ପର ଭିତରେ ବାଣ୍ଟି ଅନ୍ତେଷ୍ଟ୍ରି କ୍ରିୟା କରିବାକୁ ଅଜବ ପ୍ରସ୍ତାବ ଦେଇଥିଲା। କେବଳ ପ୍ରସ୍ତାବ ନୁହେଁ, ନିଶାସକ୍ତ ଅବସ୍ଥାରେ ଏନେଇ ଅଡି ବସିବାରୁ ଶେଷରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଏଭଳି ପାଗଳାମୀକୁ ଦେଖି ପୁଲିସ ନିଶାଡି ବଡ଼ ଭାଇକୁ ଉତ୍ତମ ମଧ୍ୟମ ଦେବାରୁ ସେ ଘଟଣାସ୍ଥଳରୁ ପଳାୟନ କରିଥିଲା। ଶେଷରେ ଗ୍ରାମବାସୀଙ୍କ ପ୍ରସ୍ତାବ ଓ ପୁଲିସ ସହାୟତାରେ ସାନ ଭାଇ ପିତାଙ୍କ ଶେଷକୃତ୍ୟ ସଂପନ୍ନ କରିଥିବା ଜଣାପଡିଛି। ସୂଚନା ମୁତାବକ ଟିକମଗଡ ଜିଲାର ଲିଢୋରାତାଲ ଗାଁରେ ବାସ କରୁଥିବା ଧ୍ୟାନୀ ସିଂହ ଘୋଷଙ୍କର ରବିବାର ପରଲୋକ ଘଟିଥିଲା। ବଡ ପୁଅ କିଷାନ ବାହାରେ ରହୁଥିବାବେଳେ ସାନ ପୁଅ ଦେଶରାଜ ବାପାଙ୍କ ସହ ଏକାଠି ବାସ କରୁଥିଲେ। ପିତାଙ୍କ ମୃତ୍ୟୁ ପରେ ଦେଶରାଜ ଏହି ଖବର ବଡ଼ ଭାଇ କିଷାନଙ୍କୁ ଜଣାଇଥିଲେ। କିଷାନ ପହଞ୍ଚିବା ପରେ ଅନ୍ତିମ ସଂସ୍କାରକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ବଡ ପୁଅ ହୋଇଥିବାରୁ ଏହି ଅଧିକାର ତାଙ୍କ ନିକଟରେ ସଂରକ୍ଷିତ ବୋଲି କିଷାନ କହିଥିଲେ। ଅପରପକ୍ଷରେ ସାନ ପୁଅ ଶେଷକୃତ୍ୟ ସମ୍ପାଦନ କରିବ ବୋଲି ପିତା କୁଆଡେ ମୃତ୍ୟୁ ସମୟରେ କହିଥିଲେ ବୋଲି ଦେଶରାଜ ଯୁକ୍ତି ଦର୍ଶାଇଥିଲେ। ଦୁଇ ଭାଇଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଥିବା କିଷାନ ପିତାଙ୍କ ମୃତଦେହକୁ ଦୁଇ ଭାଗ କରିବାକୁ ପ୍ରସ୍ତାବ ଦେଇଥିଲେ। ଗ୍ରାମବାସୀ ଏହାର ସମାଧାନ କରି ନ ପାରିବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ସୁଦ୍ଧା କିଷାନ ନିଜ ଜିଦ୍ରେ ଅଟଳ ରହିଥିଲେ। ତେବେ ପୁଲିସ ମାଡ ଖାଇବା ପରେ କିଷାନ ସେଠାରୁ ପଳାଇ ଯାଇଥିଲେ ଏବଂ ଦେଶରାଜ ପିତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣାପଡିଛି।
Popular Categories



