ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରେ ଚାଲିଥିବା ୨୩ ବର୍ଷରୁ କମ୍ କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍ରେ ଚଣ୍ଡିଗଡ଼ ବିପକ୍ଷରେ ଘରୋଇ ଓଡ଼ିଶା ମଜ୍ଭୁତ ସ୍ଥିତିରେ ପହଞ୍ଚିଛି। ଉଭୟ ଦଳର ଏହା ୭ମ ତଥା ଅନ୍ତିମ ଲିଗ୍ ମ୍ୟାଚ୍। ଗ୍ରୁପ୍ ‘ଏ’ର ଏହି ମ୍ୟାଚ୍ରେ ଚଣ୍ଡିଗଡ଼ ପ୍ରଥମ ଇନିଂସରେ ୧୩୭ ରନ୍କରି ଅଲ୍ଆଉଟ୍ ହେବା ପରେ ଓଡ଼ିଶା ପ୍ରଥମ ଇନିଂସରେ ୨୬୧ ରନ୍କରି ଅଲ୍ଆଉଟ୍ ହୋଇ ୧୨୪ ରନ୍ ଆଗରେ ରହିଥିଲା। ପରେ ୨ୟ ଦିନ ଶେଷରେ ଚଣ୍ଡିଗଡ଼ ୨ୟ ଇନିଂସରେ ୭୭ ରନ୍କରି ୩ଟି ୱିକେଟ୍ ହରାଇଛି। ୭ ୱିକେଟ୍ ବାକିଥାଇ ଚଣ୍ଡିଗଡ଼ ଏବେ ୪୭ ରନ୍ ପଛରେ ରହିଛି।
ପ୍ରଥମ ଦିନ ଶେଷରେ ଓଡ଼ିଶା ୧ ୱିକେଟ୍ରେ ୧୧୯ ରନ୍ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପି. ଶଶାଙ୍କ ଓ ଓମ୍ ଟି. ମୁଣ୍ଡେ ୨ୟ ୱିକେଟ୍ ପାଇଁ ୧୧୪ ରନ୍ ଯୋଡ଼ି ଓଡ଼ିଶାକୁ ମଜ୍ଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଶଶାଙ୍କ ଶତକରୁ ବଞ୍ଚିତ ହେବା ସହ ୧୪ଟି ଚୌକା ସହ ୯୩ ରନ୍କରି ଆଉଟ୍ ହୋଇଥିଲେ। ଓମ୍ ଟି. ମୁଣ୍ଡେ ଗୋଟିଏ ଛକା ଓ ୪ଟି ଚୌକା ସହ ୬୮ ରନ୍କରି ଆଉଟ୍ ହୋଇଥିଲେ। ପରେ ସମ୍ବିତ ବରାଳ ଓ ଅଧିନାୟକ ସାୱନ ପାହାଡ଼ିୟା ୧୬ ରନ୍ ଲେଖାଏଁ କରିଥିବା ବେଳେ ବାଦଲ ବିଶ୍ବାଳ ୨୨ ରନ୍କରି ଅପରାଜିତ ଥିଲେ। ଚଣ୍ଡିଗଡ଼ର ଯଶକିରତ ସିଂହ ମେହେରା ୫ଟି ଓ ଇଭରାଜ ରାନୌତା ୨ଟି ୱିକେଟ୍ ନେଇଥିଲେ। ଚଣ୍ଡିଗଡ଼ର ୨ୟ ଇନିଂସରେ ଦୀପେନ୍ଦର କୁଶ ୩୪, ଦେବାଙ୍ଗ କୌଶିକ ୧୭ ଓ ଅର୍ଣ୍ଣବ ବଂଶଲ ୫ ରନ୍କରି ଆଉଟ୍ ହୋଇଛନ୍ତି। ଓଡ଼ିଶାର ଆଶୁତୋଷ ଛୁରିଆ ୩ଟିଯାକ ୱିକେଟ୍ ନେଇଛନ୍ତି।



