www.samajalive.in
Monday, December 8, 2025
13.1 C
Bhubaneswar

ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କ କଷଣ

ଭୁବନେଶ୍ବର : ସ୍ମାର୍ଟମିଟର ବସାଇବା ନାଁରେ ଟାଟା ପାୱାର ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଚଳିତ ମାସରେ ବିନା ନୋଟିସ କିମ୍ବା ବିନା ସୂଚନାରେ ପ୍ରାୟ ୩ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ମିଟରକୁ ଖରାପ ଦର୍ଶାଇ ଅକାମୀ କରି ଦିଆଯାଇଥିବା ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉପଭୋକ୍ତାଙ୍କୁ ଆନୁମାନିକ ହିସାବରେ ବିଲ୍‌ ଦେଇ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଟେକ୍ନୋଲୋଜି ସହ ଯୋଡ଼ିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡ଼ିବ। ଏହା ଭାରତ ସରକାରଙ୍କ ମାର୍ଗଦର୍ଶିକା ରହିଛି। ସ୍ମାର୍ଟ ମିଟର ନେଇ ଯାହାର ଅଭିଯୋଗ ଅଛି, ସେମାନେ ଲିଖିତ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଥିବା ଅଭିଯୋଗ ଉପରେ ମନ୍ତ୍ରୀ କହିଛନ୍ତି ଯେ ଏବେ ଯାଏଁ ଲୋକଙ୍କର ସୁଇଚ୍‌ ବନ୍ଦ ନ କରିବାର ଅଭ୍ୟାସ ଯାଇନି। ଆବଶ୍ୟକ ନଥିଲେ ଲୋକେ ସୁଇଚ ବନ୍ଦ କରନ୍ତୁ। ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁନି। ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଶୀତଦିନରେ କମ୍‌ ବିଲ୍ ଆସୁଥିବାରୁ ମିଟରକୁ ଖରାପ ଘୋଷଣା କରି ମନଇଚ୍ଛା ଦେୟ ଧାର୍ଯ୍ୟ କରାଯାଉଥିବା ଉପଭୋକ୍ତା ଅଭିଯୋଗ କରୁଛନ୍ତି। ନୂତନ ମିଟର ବସିଲେ ଖରାଦିନରେ ଅଧିକ ବ୍ୟବହାର ହେବ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିର୍ଦେଶ ମୁତାବକ ୬ ମାସର ଦେୟ ଧାର୍ଯ୍ୟ ହିସାବରେ ପୁନର୍ବାର ଆନୁପାତିକ ବିଜୁଳି ଦେୟ ଧାର୍ଯ୍ୟ କରାଯିବ। ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଟିପିସିଓଡିଏଲ ଏଭଳି ବେନିୟମ କାର୍ଯ୍ୟ କରି ଓଡ଼ିଶାର ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି।
ବିଦ୍ୟୁତ୍ ନିୟାମକ ଆୟୋଗ ତଥା ଓଡ଼ିଶା ସରକାରଙ୍କ ଚୁକ୍ତିନାମା ଆଧାରରେ ୫ ବର୍ଷ ପରେ ୨୦୨୫ ମାର୍ଚ୍ଚରେ କାର୍ଯ୍ୟ ସମ୍ପାଦନ ପ୍ରଣାଳୀର ସମୀକ୍ଷା ତଥା ବିଗତ ପାଞ୍ଚ ବର୍ଷର ବ୍ୟବସାୟିକ ଏବଂ ଯାନ୍ତ୍ରିକ କ୍ଷତି ପରିମାଣର ଲକ୍ଷ୍ୟଧାର୍ଯ୍ୟ ମାନଦଣ୍ଡ ପୂରଣ କରିଥିଲେ ହିଁ ଘରୋଇ ବିଦ୍ୟୁତ୍ ବିତରଣ ସଂସ୍ଥା ଟିପିସିଓଡିଏଲର ଚୁକ୍ତିନାମା ନବୀକରଣ କରାଯିବ, ନଚେତ ରଦ୍ଦ କରାଯିବା ସହ ଜୋରିମାନା ଆଦାୟ କରାଯିବା ବ୍ୟବସ୍ଥା ରହିଛି। ତେଣୁ ଟିପିସିଓଡିଏଲ ଏଥିରୁ ବର୍ତ୍ତିବା ପାଇଁ ଶୀତଦିନରେ ଉପଭୋକ୍ତାଙ୍କ ଚଳନ୍ତି ମିଟରକୁ ଅକାମୀ ଘୋଷଣା କରି ଉପଭୋକ୍ତାଙ୍କ ମୁଣ୍ଡ ଉପରେ କ୍ଷତିର ବୋଝ ଲଦିଦେଇ କ୍ଷତି କମାଇବା ଧାର୍ଯ୍ୟ ମାନଦଣ୍ଡ ପୂରଣ କରିବାର ଯୋଜନା କରିଥିବା ଅଭିଯୋଗ ହୋଇଛି।
ପୁରୁଣା ଭୁବନେଶ୍ବର ଓଟି-୧ରେ ୧୧୦୦ ମିଟର ଅକାମୀ ଦର୍ଶାଯାଇଥିବା ଜଣାପଡ଼ିଛି। ଏସମ୍ପର୍କରେ ଓଟି-୧ର ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବ୍ରତ ପ୍ରଧାନ କହିଛନ୍ତି, ଭିଜନ ଟେକ୍‌ ମିଟର ଉପରେ ଉପଭୋକ୍ତାଙ୍କ ଅଭିଯୋଗ ଆସୁଥିଲା। ମିଟରରେ ୪ ଡିଜିଟ୍‌ ନମ୍ବର ପରେ ମିଟର ଡିଜିଟ୍‌ ଆଗକୁ ନବଢ଼ି ୧ନମ୍ବରକୁ ଆସି ଯାଉଥିଲା। ପୁଣି କେହି କେହି ଉପଭୋକ୍ତା କହୁଥିଲେ ଅଧିକ ବିଲ୍‌ ଆସୁଛି। ଆଉ କେହି କହୁଥିଲେ ମିଟର ରିଡିଂ ଜମ୍ପ କରୁଛି। ଏଭଳି ଅଭିଯୋଗ ବାରମ୍ବାର ଆସୁଥିଲା। ଏପରିକି ଭିଜନଟେକ୍‌ ମିଟର ତ୍ରୁଟି ଯୋଗୁଁ ଉପଭୋକ୍ତାଙ୍କ ଅସନ୍ତୋଷ ବଢ଼ିବା ସହ ସେମାନଙ୍କ ମିଟରକୁ ଯାଞ୍ଚ ପାଇଁ ପଠାଯାଉଥିଲା। ଚଳିତ ମାସରେ ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଭିଜନଟେକ ମିଟରକୁ ଅକାମୀ ଦର୍ଶାଇ ସେମାନଙ୍କ ବିଲ୍‌ରେ ହାରାହାରି ବିଲ୍‌ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ବସିଥିବା ମିଟର ପାଇଁ ମାସିକ ୪୦ ଟଙ୍କା ହିସାବରେ ଉପଭୋକ୍ତା ୨୪ ମାସ ପାଇଁ ମିଟର ଭଡ଼ା ଦେଉଥିଲେ। ଏବେ ନୂତନ ମିଟର ପାଇଁ ମାସିକ ୬୦ଟଙ୍କା ହିସାବରେ ୬୦ ମାସ ଭଡ଼ା ଦେବାକୁ ହେବ। ନୂଆ ପ୍ରିପେଡ ଓ ସ୍ମାର୍ଟ ମିଟର ବସାଇବା ପରେ ସେମାନଙ୍କ ହାରାହାରି ବିଲ୍‌ ଧାର୍ଯ୍ୟ ମାନଦଣ୍ଡ ପୂରଣ କରିବ। ଏ ସମ୍ପର୍କରେ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କମଳ ଲୋଚନ ବେହେରାଙ୍କୁ ପଚାରିବାରେ ସେ ସନ୍ତୋଷ ଜନକ ଉତ୍ତର ନଦେଇ ସବିଶେଷ ତଥ୍ୟ ମୁଖ୍ୟ କାର୍ଯ୍ୟାଳୟର ଗୌରୀ ମହାନ୍ତି କହିପାରିବେ ବୋଲି କହିଥିଲେ। ଏ ସମ୍ପର୍କରେ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ଶ୍ରୀ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ମତାମତ ମିଳି ପାରି ନ ଥିଲା।
ଏନେଇ ଉପଭୋକ୍ତା ଅମରେନ୍ଦ୍ର ଗରାବଡ଼ୁ, ଗୋପାଳ ମକଦ୍ଦମ, ଗୌରୀ ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଟାଟା ପାୱାର ଚଳିତ ମାସରୁ ଉପଭୋକ୍ତାଙ୍କ ଡିଜିଟାଲ ମିଟର ଗୁଡ଼ିକ ଖରାପ ଦର୍ଶାଇ ଉପଭୋକ୍ତାଙ୍କୁ ମନଇଚ୍ଛା ଆନୁମାନିକ ବିଲ୍ ପ୍ରଦାନ କରୁଛି। ପୂର୍ବରୁ ସେସୁ ଭିଜନ୍‌ଟେକ୍‌ ମିଟର ବସାଇବା ଲାଗି କହିବା ସହ ପରୀକ୍ଷା ପାଇଁ ୧୦୦ ଟଙ୍କା ଲେଖାଏଁ ନେଇଥିଲା। ଏବେ ଏହି ଭଲ ଥିବା ମିଟର ଗୁଡିକୁ ମଧ୍ୟ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ବସି ଖରାପ ଦର୍ଶାଇ ସ୍ମାର୍ଟ ମିଟର ବସାଇବା ପାଇଁ ଷଡ଼ଯନ୍ତ୍ର ରଚିଛି। ୧୨ଶହ ଟଙ୍କାର ମିଟରକୁ ମାସିକିଆ କିସ୍ତିରେ ମୋଟ ୫,୭୬୦ ଟଙ୍କା ଦେବା ପାଇଁ କହୁଛି। ଶୀତ ଦିନରେ ମିଟର ଖରାପ ଦର୍ଶାଇ ଆନୁମାନିକ ଦେୟ ଧାର୍ଯ୍ୟ କରିଛି। ମିଟର ବସିବାର ୬ମାସ ପରେ ଖରାଦିନର ବ୍ୟବହାର ଅନୁଯାୟୀ ପୁଣି ସଂଶୋଧିତ ବର୍ଦ୍ଧିତ ଦେୟ ଦେବାକୁ ପଡ଼ିବ ବୋଲି କହିଛନ୍ତି। ଏହା ଦ୍ବାରା ବିଦ୍ୟୁତ ସଂସ୍ଥା ଉପଭୋକ୍ତା ଶୋଷଣ ନୀତି ଆରମ୍ଭ କରିଛି। ଆଗାମୀ ଦିନରେ ଏହାର ଦୃଢ଼ ବିରୋଧ କରାଯିବ ବୋଲି ଉପଭୋକ୍ତାମାନେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories