ତୁଟୁନି ବିବାଦ : ଆଜି ତୃତୀୟ ଦିନରେ ବି ଖାଡା ଉପାସରେ ଶ୍ରୀଲିଙ୍ଗରାଜ
ଭୁବନେଶ୍ବର : ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ଅପୂଜା ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। କ୍ଷୀର ଆଉଟା ନୀତିକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ କଳିରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପବାସ ରହିଛନ୍ତି। ଆଜି ତୃତୀୟ ଦିନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରୁ ଠାକୁରଙ୍କ ନୀତିକାନ୍ତି ହୋଇପାରୁନି। ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ଦାବି କରିବା ସହ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ବ୍ରାହ୍ମଣ ନିଯୋଗ। ଦିଅଁଙ୍କ ନୀତିବନ୍ଦ ନେଇ ମଙ୍ଗଳବାର ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତି ଜିଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ବୈଠକ ହୋଇଥିଲା। ସହକାରୀ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ସାହୁ ବୈଠକରେ ଉପସ୍ଥିତ ରହିଥିଲେ। ସେବା ଅଧିକାର ବିବାଦକୁ ଟ୍ରଷ୍ଟବୋର୍ଡରେ ଆଲୋଚନା କରି ଆଗାମୀ ୭ ଦିନ ଭିତରେ ସମାଧାନ କରିବାକୁ ମନ୍ଦିର ପ୍ରଶାସନ କହିବା ସହ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ଉଭୟ ନିଯୋଗଙ୍କୁ ଅନୁରୋଧ କରିଥିଲା। ଏଥିରେ ବ୍ରାହ୍ମଣ ନିଯୋଗ ଅରାଜି ହୋଇଥିଲେ। ପୂର୍ବରୁ ଦିଅଁଙ୍କ ପଇତା ରୋପଣ ନୀତିରେ ପଇତା ଲାଗି, ଓଢ଼ଣ ଷଷ୍ଠୀ ଯାତ୍ରାରେ ଅଧିବାସ ପୂଜା ଅଧିକାର ଦର୍ଶାଇ ବଡୁ ନିଯୋଗ ଦୁଇ ଦୁଇଟି ପରମ୍ପରା ଭଙ୍ଗ କରିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଆଖି ଦୃଶିଆ ପଦକ୍ଷେପ ନେଇନାହିଁ ବୋଲି ଅଭିଯୋଗ କରିଥିଲା। ବିଭ୍ରାଟ ସୃଷ୍ଟି କରୁଥିବା ବଡୁ ନିଯୋଗ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ପ୍ରଶାସନ ପାଖେ ସବୁ ପ୍ରମାଣ ଥାଇ ପ୍ରଶାସନ କାହିଁକି ଚୁପ୍ ରହୁଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ପାଲଟା ପ୍ରଶ୍ନ କରିଛନ୍ତି। ଯେପର୍ଯ୍ୟନ୍ତ ମହାସୁଆର ସେବାୟତଙ୍କ ସେବାରୁ ବଞ୍ଚିତ କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ସେପର୍ଯ୍ୟନ୍ତ ଯାଏ ପ୍ରଶାସନକୁ ଅସହଯୋଗ କରିବେ ବୋଲି ସେ କହିଛନ୍ତି। ଦୀର୍ଘ ୪ଘଣ୍ଟା ଧରି ବୈଠକ ବସିଥିଲା। ଉଭୟ ସେବାୟତ ସେମାନଙ୍କ ଜିଦ୍ରେ ଅଡି ବସିଥିଲେ। ମହାସୁଆରଙ୍କ ସହ ପୂଜାପଣ୍ଡା ନିଯୋଗ ସ୍ବର ମିଳାଇଥିଲା। ପ୍ରଥମେ ବିଭ୍ରାଟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ସେମାନେ ସହଯୋଗ କରିବେ ବୋଲି କହିଥିଲେ। ଅନ୍ୟପକ୍ଷରେ ବଡୁ ନିଯୋଗ ସେମାନଙ୍କର ଅଧିକାର ଦର୍ଶାଇ ୧୮୬୩ ମସିହାର ଏକ ଖାତା ମନ୍ଦିର ପ୍ରଶାସନକୁ ଦେଖାଇଥିଲେ। ସେ ଖାତା ବଡୁ ନିଯୋଗ କେଉଁଠୁ ପାଇଲେ, ତାହାର ସତ୍ୟତା ଯାଞ୍ଚ ହେବା ଦରକାର ବୋଲି ମହାସୁଆର ଓ ପୂଜାପଣ୍ଡା ସେବାୟତ ଦାବି କରିଛନ୍ତି। ଏଭଳି ବାଦବିବାଦ ଭିତରେ ମନ୍ଦିର ପ୍ରଶାସନ ସେବାୟତଙ୍କୁ ମନାଇ ପାରି ନଥିଲା। ଅନ୍ୟପକ୍ଷରେ ଟ୍ରଷ୍ଟବୋର୍ଡର ସଭାପତି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା ଦିଅଁଙ୍କ ନୀତିକାନ୍ତି ବିଭ୍ରାଟରେ ନିରବ ରହିବା ଘଟଣାକୁ ନେଇ ମଧ୍ୟ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ବଢ଼ିବାରେ ଲାଗିଛି।
ଏହି ବୈଠକରେ ଅତିରିକ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧା ସଙ୍ଗୀତା, ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା, ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ବ୍ରହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ଯୁଗ୍ମ ସମ୍ପାଦକ ମହେଶ୍ବର ପଣ୍ଡା, ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ, ସଭାପତି ଅଞ୍ଚଳ ବଡୁ, ଏସିପି କୃଷ୍ଣଚନ୍ଦ୍ର ପଲାଇ, ମନ୍ଦିର ଚର୍ଚ୍ଚିତ, ଚପରାସି, ପର୍ବଜାତ ବିଶୋଇ ଓ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.