ସିମୁଳିଆ: ଗୁହାଳ ଘର ଧୂଆଁରେ ନିଆଁ ଲାଗି ବିଳମ୍ବିତ ରାତିରେ ଘର ପୋଡ଼ି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଙ୍ଗାଳପୁର ପଞ୍ଚାୟତର ଇଶାଣ ଗ୍ରାମରେ। ଗ୍ରାମର ବିରେନ ମଲ୍ଲିକ ବୁଧବାର ରାତିରେ ଗୋରୁ ଗୁହାଳରେ ମଶା ପାଇଁ ଧୂଆଁଦେଇ ଶୋଇଯାଇଥିଲେ। ବିଳମ୍ବିତ ରାତିରେ ନିଆଁ ଲାଗି ଘର ଜଳିବାକୁ ଲାଗିଥିଲା। ଜୀବନ ବିକଳରେ ପରିବାର ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ଅଳ୍ପକେ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚି ଯାଇଥିଲା। ମାତ୍ର ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ସେଥିରେ ଥିବା ୧୫ବସ୍ତା ଧାନ, ୬ବସ୍ତା ଚାଉଳ, ୨ଟି ସାଇକେଲ ସମେତ ଲୁଗାପଟା ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ବିରେନ ଭୂମିହୀନ ଦିନ ମଜୁରିଆ ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ସହ ଆବାସ ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
Popular Categories



