ସ୍କୁଲ ଆସୁନାହାନ୍ତି ଶିକ୍ଷକ, ତାଲା ପକାଇଲେ ଅଭିଭାବକ
ଲାଞ୍ଜିଗଡ଼: ବର୍ଷର ଅଧିକାଂଶ ଦିନ ସ୍କୁଲକୁ ଆସୁନାହାନ୍ତି ଶିକ୍ଷକ। ଯେଉଁଥିପାଇଁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏହା ପ୍ରତିବାଦରେ ବୁଧବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେଡାଗାଁ ପଞ୍ଚାୟତ ଅଧୀନ ଡମସୁଲିମ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ। ସୂଚନା ଅନୁସାରେ, ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଥିପାଇଁ ଦୁଇଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଜଣେ ଶିକ୍ଷକ ନିୟମିତ ସ୍କୁଲ ଆସୁଥିବା ବେଳେ ଅନ୍ୟଜଣେ ଶିକ୍ଷକଙ୍କ ପାଦ ପଡ଼ୁନାହିଁ। ସେ ମାସ ମାସ ଧରି ସ୍କୁଲ ଆସୁ ନ ଥିବା ଅଭିଯୋଗ କରିଛନ୍ତି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ। ଏଥିପାଇଁ ସେମାନେ ବୁଧବାର ସକାଳେ ସ୍କୁଲରେ ତାଲା ପକାଇ ପରିସରରେ ଧାରଣା ଦେଇଥିଲେ। ଯେପର୍ଯ୍ୟନ୍ତ ଉକ୍ତ ଶିକ୍ଷକଙ୍କୁ ଅନ୍ୟ ସ୍ଥାନକୁ ବଦଳି କରି ଆଉ ଏକ ନୂତନ ଶିକ୍ଷକ ଦିଆ ନ ଯାଇଛି ସେଯାଏ ସ୍କୁଲରେ ତାଲା ପଡ଼ିରହିବ ବୋଲି ଅଭିଭାବକମାନେ କହିଥିଲେ। ଖବରପାଇ ଧାରଣାର ଦୁଇ ଘଣ୍ଟା ପରେ ଘଟଣା ସ୍ଥଳରେ ଲାଞ୍ଜିଗଡ ଏବିଇଓ ସୁଡ଼ଳଦେବ ମୁଣ୍ଡ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଆସନ୍ତା ଜାନୁଆରୀ ୧୦ ତାରିଖ ଭିତରେ ଏକ ନୂତନ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅଭିଭାବକମାନେ ଧାରଣାରୁ ଓହରିଥିଲେ। ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରତିଶ୍ରୁତି ପୂରଣ ନ ହେଲେ ପୁଣି ଥରେ ସ୍କୁଲରେ ତାଲା ପକାଇ ଧାରଣା ଦେବୁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଲଚମନ ହରପାଳଙ୍କ ସମେତ ସିମାଞ୍ଚଳ ହରପାଳ, ବସନ୍ତ ହରପାଳ, ଲଳିତ ହରପାଳ, ହୃଦାନନ୍ଦ ହରପାଳ, କେଶରୁ ମାଝୀ, ସସ୍ମିତା ମାଝୀ, ମତି ମାଝୀ, ବେଣୁମତି ହରପାଳ,ଲଛମା ହରପାଳ, କୌଶିକ ହରପାଳ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
Comments are closed.