ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଧେୟକ ଆଗତ ପାଇଁ ମତଦାନ, ସପକ୍ଷରେ ୨୬୯

ଡେସ୍କ: ମଙ୍ଗଳବାର ଲୋକସଭାରେ ୧୨୯ ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଛି। ଏହି ବିଲ୍ ପାଇଁ ପ୍ରଥମେ ଇଲେକ୍ଟ୍ରୋନିକ୍ ଭୋଟିଂ କରାଯାଇଥିଲା। କିଛି ସାଂସଦଙ୍କ ଆପତ୍ତି ପରେ ଭୋଟ୍ ସଂଶୋଧନ ପାଇଁ ପୁଣି ଥରେ ସ୍ଲିପ୍ ବାଲଟ୍ ମାଧ୍ୟମରେ ଭୋଟ୍ ଅନୁଷ୍ଠିତ ହୋଇଥିଲା।

ବିଲ୍ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡ଼ିଥିଲା। ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଗୃହରେ ଉପସ୍ଥାପନ କରିଥିଲେ। ଗୃହରେ ଆଲୋଚନା ଆରମ୍ଭ କରି ଅମିତ ଶାହା କହିଥିଲେ ଯେ ଯେତେବେଳେ ଏହି ବିଲ୍ କ୍ୟାବିନେଟରେ ଆସିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବା ଉଚିତ। ଆଇନମନ୍ତ୍ରୀ ଏଭଳି ପ୍ରସ୍ତାବ ଦେଇପାରନ୍ତି ବୋଲି ସେ କହିଥିଲେ।

ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ କହିଥିଲେ ଯେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଧେୟକ ହେଉଛି ଦେଶରେ ଏକଛତ୍ରବାଦ ଆଣିବା ପାଇଁ ବିଜେପିର ଏକ ପ୍ରୟାସ।

ମଙ୍ଗଳବାର ଅପରାହ୍ନ ୧୨ଟା ୧୦ରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଧେୟକ ଆଗତ କରିଥିଲେ। ବିରୋଧୀ ସାଂସଦମାନେ ଏହି ବିଧେୟକକୁ ବିରୋଧ କରିବା ପରେ ବାଚସ୍ପତି ଓମ୍ ବିର୍ଲା ଏହି ବିଲ୍ ଆଗତ କରିବା ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ କରିଥିଲେ। ସମୁଦାୟ ୩୬୯ ଜଣ ସଦସ୍ୟ ମତଦାନ କରିଥିଲେ। ବିରୋଧୀ ଦଳରେ ୨୨୦ ଓ ବିପକ୍ଷରେ ୧୪୯ ଭୋଟ୍ ପଡ଼ିଥିଲା। ତେବେ ଏ ନେଇ ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଥିଲେ।

ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଯଦି ତାଙ୍କର ଆପତ୍ତି ଅଛି ତେବେ ସ୍ଲିପ୍ ଦିଆଯାଉ। ଏହାର ଉତ୍ତରରେ ବାଚସ୍ପତି କହିଥିଲେ, ଆମେ ପୂର୍ବରୁ କହିଥିଲୁ ଯେ ଯଦି କୌଣସି ସଦସ୍ୟ ଏହା ଅନୁଭବ କରନ୍ତି, ତେବେ ସେ ସ୍ଲିପ୍ ମାଧ୍ୟମରେ ମଧ୍ୟ ନିଜର ଭୋଟ୍ ସଂଶୋଧନ କରିପାରିବେ। ଏହାପରେ ଅଧିକ ସାଂସଦ ଭୋଟ୍ ଦେଇଥିଲେ। ବିରୋଧୀ ଦଳରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡ଼ିଥିଲା। ଏହାପରେ ଅପରାହ୍ନ ୧ଟା ୧୫ରେ ଆଇନମନ୍ତ୍ରୀ ପୁଣି ବିଲ୍ ଆଗତ କରିଥିଲେ।

ମେଘୱାଲ କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡିତ ତିନୋଟି ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ମଧ୍ୟ ଆଗତ କରିଥିଲେ। ସେଗୁଡ଼ିକ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ ଆଇନ ୧୯୬୩, ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର ୧୯୯୧ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯। ଏହା ଜରିଆରେ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ମଧ୍ୟ ସଂଶୋଧନ କରାଯାଇପାରିବ।

Comments are closed.