ବାରମ୍ବାର ଘଟୁଛି ଦୁର୍ଘଟଣା, ସୁରକ୍ଷା ଦାବିରେ ରାସ୍ତାରୋକ

ଆଠଗଡ : ଆଠଗଡ-ମୁଣ୍ଡଳୀ ଭାୟା କନ୍ଦରପୁର ରାସ୍ତା ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଗତ ୪ ତାରିଖରେ ଉକ୍ତ ମୁଖ୍ୟ ରାସ୍ତା କଡରେ କଣ୍ଟେଇ କୋଳି ଖାଉଥିବା ଦୁଇ ନାବାଳକ କଲେଜ ଛାତ୍ରଙ୍କୁ ଏକ ପିକଅପ୍ ଭ୍ୟାନ ବୁଲାଣି ରାସ୍ତାରେ ଭାରସାମ୍ଯ ହରାଇ ଧକ୍କା ଦେବାରୁ ଉଭୟ  ମୃତ୍ଯୁବରଣ କରିଥିଲେ । ଏହାକୁ ନେଇ କନ୍ଦରପୁର ପଞ୍ଚାୟତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଘଟଣାକୁ ନେଇ କନ୍ଦରପୁର ଗ୍ରାମବାସୀ ୮ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ଦେଇଥିଲେ । ୭ଦିନ ମଧ୍ଯରେ ଦାବି ପୂରଣ ନହେଲେ ରାସ୍ତାରୋକ କରାଯିବ ବୋଲି ସେମାନେ ଚେତାଇ ଦେଇଥିଲେ । ତେବେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏବଂ ଆଠଗଡ ପ୍ରଶାସନ ଦାବିଗୁଡିକ ପୂରଣ ଦିଗରେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନନେବାରୁ ମଙ୍ଗଳବାର ସକାଳେ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ମୁଖ୍ଯ ରାସ୍ତା ଅବରୋଧ ହେବାରୁ ରାସ୍ତାରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

କନ୍ଦରପୁର, ନଣ୍ଡାଇଲୋ ଓ ରାଉତରାପୁର ଗ୍ରାମର ଶତାଧିକ ଗ୍ରାମବାସୀ ଏହି ରାସ୍ତା ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ୩ ଘଣ୍ଟା ରାସ୍ତା ଅବରୋଧ ହେବା ଦ୍ଵାରା ଶହ ଶହ ଯାନ ବାହାନ ଉଭୟ ମଣ୍ଡଳୀ ଓ ଆଠଗଡ଼ ପଟେ ଅଟକି ରହିଥିଲା। ପ୍ରଶାସନ ତରଫରୁ ଆଠଗଡ଼ ତହସିଲଦାର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ପୂର୍ତ୍ତ ବିଭାଗ ତରଫରୁ ଆଠଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ପଞ୍ଚାୟତବାସୀଙ୍କ ଦାବି ଉପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ଦାବି ଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା। ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ସାହୁ, ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ସେଠୀ, ଗ୍ରାମର ମୂରବୀ ନିମାଇଁ ଚରଣ ଖଟୁଆ, ଜୟନ୍ତ ପ୍ରଧାନ, ବିଶ୍ବରଂଜନ ମଲ୍ଲିକ, ପବିତ୍ର ମୋହନ ଦଳାଇ, ଧଡ଼ି ସାହୁ, ନିତ୍ୟାନନ୍ଦ ସାହୁ, ପ୍ରମୋଦ ବେହେରା, ଅରୁଣ କୁମାର ସେଠୀ, ଦୀପ୍ତି ରଞ୍ଜନ ମଲ୍ଲିକ, ପ୍ରକାଶ ଚନ୍ଦ୍ର ଦଳାଇ, ତପନ କୁମାର ସାହୁ, ଭାସ୍କର ଚନ୍ଦ୍ର ବେହେରା, ପ୍ରିୟବ୍ରତ ଦାସ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ଥିଲେ ।

Comments are closed.