ଭାରତର ବିପଜ୍ଜନକ ଆର୍ଥିକ ଅସମାନତା

0

ଭାଲଚନ୍ଦ୍ର ଷଡ଼ଙ୍ଗୀ

prayash

ବିଶ୍ୱର ଆର୍ଥିକ ବିକାଶ ଉପରେ ଚର୍ଚ୍ଚା କରିବାକୁ ପ୍ରତିବର୍ଷ ଜାନୁଆରୀ ଶେଷ ସପ୍ତାହରେ ସ୍ୱିଜରଲାଣ୍ଡର ଡାଭୋସଠାରେ ‘ବିଶ୍ୱ ଅର୍ଥନୈତିକ ମଞ୍ଚ’ର ବାର୍ଷିକ ଅଧିବେଶନ ଆ​‌େ​‌ୟାଜିତ ହୋଇଥାଏ । ଦୀର୍ଘ ଚାରିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଅଧିବେଶନରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ କିମ୍ବା ପ୍ରତିନିଧିଙ୍କ ସମେତ କର୍ପୋରେଟ୍ ଦୁନିଆର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିଶ୍ୱର ଆର୍ଥିକ ବିକାଶ ନେଇ ମତର ଆଦାନପ୍ରଦାନ କରିଥାନ୍ତି । ପ୍ରତିବର୍ଷ ଏହି ସମାବେଶର ଠିକ୍ ପୂର୍ବରୁ ଏହାର ଦୃଷ୍ଟି ଆକର୍ଷଣ କରିବାକୁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂସ୍ଥା ‘ଅକ୍ସଫାମ୍‌’ ପକ୍ଷରୁ ବିଶ୍ୱର ଆର୍ଥିକ ପରିସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥାଏ । ଗତ କିଛି ବର୍ଷ ଧରି ବିଶ୍ୱରେ ଆୟର ଅସମାନତା ସମ୍ପର୍କରେ ପ୍ରକାଶ ପାଉଥିବା ଏହି ରିପୋର୍ଟସବୁ ଚହଳ ସୃଷ୍ଟି କରିବା ସହିତ ବିଭିନ୍ନ ଦେଶ ଆର୍ଥିକ ବିକାଶ ସମ୍ପର୍କରେ ରହିଥିବା ଗୋଲାପୀ ଚିତ୍ରକୁ ଏକରକମ ପଦାରେ ପକାଇ ଦେଇ ଆସିଛି। ବିଶେଷ କରି ଭାରତ ପରି ଆର୍ଥିକ ଦୃଷ୍ଟିକୋଣରୁ ଏକ ଉଦୀୟମାନ ଶକ୍ତି ଭାବେ ମୁଣ୍ଡ ଟେକୁଥିବା ଦେଶମାନଙ୍କରେ ବୃଦ୍ଧି ପାଉଥିବା ଆର୍ଥିକ ଅସମାନତାକୁ ଚିହ୍ନଟ କରିବାରେ ଏବଂ ତା’ ଉପରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇବାରେ ଏହି ରିପୋର୍ଟ ଏକରକମ ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ଡାଭୋସ୍ ଅଧିବେଶନ ପୂର୍ବରୁ ‘ଅକ୍ସଫାମ୍‌’ ତାର ସଦ୍ୟ ପ୍ରକାଶିତ ଆର୍ଥିକ ଅସମାନତା ରିପୋର୍ଟରେ ଆର୍ଥିକ ଅସମାନତାରେ ବିଶ୍ୱର, ବିଶେଷ କରି ଭାରତର ଏକ ଭୟାନକ ଚିତ୍ର ପ୍ରଦାନ କରିଛି । ଏଥିରେ କୁହାଯାଇଛି ଯେ ୨୦୧୮ ମସିହାରେ ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧାଧିକ, ଅର୍ଥାତ୍ ୩୮୦ କୋଟି ଲୋକଙ୍କ ଆୟ ପୂର୍ବବର୍ଷ ଅପେକ୍ଷା ୧୧% ହ୍ରାସ ପାଇଥିବା ବେଳେ ବିଶ୍ୱର ସର୍ବାଧିକ ଧନୀବ୍ୟକ୍ତିମାନଙ୍କ ସମ୍ପତ୍ତିରେ ଦୈନିକ ୧୨% ହାରରେ, ଅର୍ଥାତ୍ ୨.୫ କୋଟି ଡଲାର ବୃଦ୍ଧି ପାଇଛି। ସେହିପରି ବିଶ୍ୱର ୫୦% ଗରିବ ଲୋକଙ୍କ ସମ୍ପତ୍ତିରେ ୧୧% ହ୍ରାସ ଲକ୍ଷ୍ୟ କରାଯାଇଛି। ନବ ଉଦାରବାଦୀ ଆର୍ଥିକ ନୀତିର ଫଳସ୍ୱରୂପ ଗତ ବର୍ଷ ପ୍ରତି ଦୁଇ ଦିନରେ ଜଣେ ଲେଖାଏଁ କୋଟିପତି (ଶହେ କୋଟିରୁ ଅଧିକ ଟଙ୍କାର ମାଲିକ) ସୃଷ୍ଟି ହୋଇଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଆମାଜନ କମ୍ପାନୀର ମାଲିକ ଜେଫ୍ ବେଜୋସଙ୍କ ସମ୍ପତ୍ତି ବୃଦ୍ଧି ପାଇ ୧୧୨ କୋଟି ଡଲାରରେ ପହଂଚିଛି । ଏଥି ସହିତ ବିଶ୍ୱର ଧନୀ ଓ ଗରିବ ଲୋକଙ୍କ ଭିତରେ ବଢ଼ୁଥିବା ଏହି ବ୍ୟବଧାନ ଫଳରେ ବିଶ୍ୱବ୍ୟାପୀ ଜନଅସନ୍ତୋଷ ବଢ଼ିବା ସହିତ ଅର୍ଥନୀତିକୁ ଧ୍ୱଂସ କରିଦେବାର ବିପଦ ରହିଛି ବୋଲି ରିପୋର୍ଟରେ କହିବା ସହିତ ଏହାକୁ ତୁରନ୍ତ ରୋକିବାକୁ ପଦକ୍ଷେପ ନେବାକୁ ଡାଭୋସଠାରେ ସମବେତ ହେବାକୁ ଥିବା ବିଶ୍ୱର ନୀତି ନିର୍ଦ୍ଧାରକ ଏବଂ କର୍ପୋରେଟ୍ ନେତାଙ୍କୁ ଅନୁରୋଧ କରାଯାଇଛି । ଗତ ବର୍ଷ ସୁଦ୍ଧା ଆମ ଦେଶର ୧% ଧନୀ ଲୋକଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ୫୧.୫୩% ମହଜୁଦ୍ ରହିଥିବାବେଳେ ବଳକା ୯୯% ଲୋକଙ୍କ ପାଖରେ ମାତ୍ର ୪୮.୭୪% ସମ୍ପତ୍ତି ହିଁ ରହିଛି । ସେହିପରି ଜନସଂଖ୍ୟାର ଉପର ୧୦% ଲୋକଙ୍କ ପାଖରେ ଦେଶର ୭୭.୪% ସମ୍ପତ୍ତି ରହିଥିବାବେଳେ ଜନସଂଖ୍ୟାର ତଳପଟୁ ୬୦% ଲୋକଙ୍କ ପାଖରେ ମୋଟ ୪.୮% ସମ୍ପତ୍ତି ହିଁ ରହିଛି। ଦେଶର କେବଳ ନଅ ଜଣ ଧନୀ ଲୋକଙ୍କ ସମ୍ପତ୍ତିର ପରିମାଣ ୫୦% ଗରିବ ଲୋକଙ୍କ ସମ୍ପତ୍ତି ସହ ସମାନ ବୋଲି କୁହାଯାଇଛି । ସେହିଭଳି ସ୍ତ୍ରୀ-ପୁରୁଷ ମଧ୍ୟରେ ସମ୍ପତ୍ତିର ବିଷମତାକୁ ଉଲ୍ଲେଖ କରି କୁହାଯାଇଛି ଯେ ବିଶ୍ୱରେ ପୁରୁଷମାନେ ମହିଳାଙ୍କଠାରୁ ଅଧିକ ୫୦% ସମ୍ପତ୍ତିର ମାଲିକ ହୋଇଥିବାବେଳେ ମହିଳାମାନେ ପୁରୁଷଙ୍କଠାରୁ ୨୩% କମ୍ ଆୟ କରିଥାନ୍ତି। ଭାରତରେ ମହିଳାମାନେ ପୁରୁଷଙ୍କ ତୁଳନାରେ ହାରାହାରି ୩୪% କମ୍ ମଜୁରି ପାଇଥାନ୍ତି ।
‘ଅକ୍ସଫାମ୍’ ରିପୋର୍ଟର ଆକଳନ ଅନୁଯାୟୀ ବିଶ୍ୱରେ କୋଟିପତିଙ୍କ ସଂଖ୍ୟା ୧୫୦୦ ଟପିଛି । ଦେଶର କର୍ପୋରେଟ୍ ସପକ୍ଷବାଦୀ ଆର୍ଥିକ ନୀତିର ପରିଣାମ ସ୍ୱରୂପ ୨୦୦୦ ମସିହାରେ ଭାରତରେ ଯେଉଁଠି ମାତ୍ର ୯ ଜଣ ଅର୍ବୁଦପତି ରହିଥିଲେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଯାଇ ୧୧୯ରେ ପହଂଚିଛି। କେବଳ ଗତ ଏକ ବର୍ଷ ମଧ୍ୟରେ ହିଁ ୧୮ ଜଣ ଅର୍ବୁଦପତି ଭାରତର ଧନୀ ତାଲିକାରେ ନୂଆ କରି ଯୋଡ଼ି ହୋଇଛନ୍ତି । ଦେଶରେ ଆର୍ଥିକ ସଙ୍କଟ କାରଣରୁ ପ୍ରତିବର୍ଷ ୧୨ରୁ ୧୬ ହଜାର କୃଷକ ଆତ୍ମହତ୍ୟା କରୁଥିବାବେଳେ ଏବଂ କୋଟିକୋଟି ଯୁବକଯୁବତୀ ନାମକୁ ମାତ୍ର ବେତନରେ କାମ କରୁଥିବାବେଳେ ଦେଶର କୋଟିପତିମାନଙ୍କ ସମ୍ପତ୍ତି ବର୍ଷ ୨୦୧୭ରେ ୩୨୫.୫ କୋଟି ଡ଼ଲାର ଥିବା ବେଳେ ଗୋଟିଏ ବର୍ଷ ମଧ୍ୟରେ ତାହା ବୃଦ୍ଧି ପାଇ ୪୦୦ କୋଟି ଡ଼ଲାର ବା ପ୍ରାୟ ୨୮ ଲକ୍ଷ କୋଟିରେ ପହଂଚିଛି । ମାତ୍ର ଦେଶର ୬୭ କୋଟି ଲୋକଙ୍କର ସମ୍ପତ୍ତିରେ ମାତ୍ର ୧% ହିଁ ବୃଦ୍ଧି ଘଟିଛି ।
ତେବେ ଭାରତରେ ଆର୍ଥିକ ବୈଷମ୍ୟର ଏହି ଚିତ୍ରଟି ନୂଆ ନୁହେଁ । ଦେଶ ସ୍ୱାଧୀନ ହେବା ସମୟରେ ଦେଶର ୧% ଧନୀ ଲୋକଙ୍କ ପାଖରେ ୨୦% ସମ୍ପତ୍ତି ଥିବା ବେଳେ ତାହା ବୃଦ୍ଧି ପାଇ ଆଜି ଏକ ବିପଜ୍ଜନକ ସ୍ତରରେ ପହଂଚିଛି । ୧୯୮୦ ଦଶକରୁ ଏହି ବିଷମତା ବୃଦ୍ଧି ପାଇବା ସହିତ ୧୯୯୧ ମସିହାରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଲାଗୁ ହେବା ପରେ ଏହା ଅତି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ନବ ଉଦାର ଆର୍ଥିକ ନୀତି ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ବୃଦ୍ଧିର ସବୁଠାରୁ ବଡ଼ କାରଣ ଭାବେ ଦେଖାଦେଇଛି । ଯଦି ୨୦୧୦ ଓ ୨୦୧୭ ମଧ୍ୟରେ ତୁଳନା କରାଯିବ ତା’ହେଲେ ଏହି ସମୟ ମଧ୍ୟରେ ଦେଶର ଧନୀମାନଙ୍କ ସମ୍ପତ୍ତିରେ ୧୩% ବୃଦ୍ଧି ଘଟିଛି । ବର୍ତ୍ତମାନ ଏଭଳି ଅସ୍ୱାଭାବିକ ବୃଦ୍ଧି ପାଇବା ଆମର ଆର୍ଥିକ ନୀତିର ବିଫଳତାକୁ ହିଁ ଦର୍ଶାଉଛି ।
ଦେଶରେ ଧନୀ ଓ ଗରିବଙ୍କ ଆୟ ଓ ସମ୍ପତ୍ତିରେ ଏଭଳି ଦ୍ରୁତ ବୈଷମ୍ୟ ପଛରେ ସାଧାରଣତଃ ପାେଞ୍ଚାଟି କାରଣକୁ ଚିହ୍ନିତ କରାଯାଇପାରେ । ପ୍ରଥମତଃ ଦେଶରେ ସମ୍ବଳର ଅସମାନ ବଣ୍ଟନ ବା ମାଲିକାନା । ଜମି, ଜଙ୍ଗଲ ପରି ଉତ୍ପାଦନର ଉପକରଣ ବା ସମ୍ପତ୍ତି ଉପରେ ଲୋକଙ୍କ ଅଧିକାର ଦେବାକୁ ଅତୀତରେ ଭୂସଂସ୍କାର ଆଇନ ଓ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏସବୁ ଆଇନ ଲୋକଙ୍କୁ ସେହିସବୁ ସମ୍ବଳ ଉପରେ ମାଲିକାନା ଦେବାରେ ବିଫଳ ହୋଇଛି ।
ଦେଶରେ ଆର୍ଥିକ ଅସମାନତାର ଅନ୍ୟତମ କାରଣ ହେଉଛି କୃଷି କ୍ଷେତ୍ରରେ ବୃଦ୍ଧି ପାଉଥିବା ସଙ୍କଟ । ନବ ଉଦାର ଅର୍ଥନୀତିରେ ବୃହତ୍‌ କମ୍ପାନୀଙ୍କ ସ୍ୱାର୍ଥରେ କୃଷି ସମେତ ସବୁ ରକମର ଛୋଟ ଉତ୍ପାଦନ ଉପରେ ଆକ୍ରମଣ ବଢ଼ିଛି । କୃଷି ଓ କୃଷକର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲେ ସେଥିରେ ନିୟୋଜିତ କୃଷି ଶ୍ରମିକମାନେ ଯେ ଉପକୃତ ହେବେ, ତାର କୌଣସି ନିଶ୍ଚିତତା ନାହିଁ, କିନ୍ତୁ କୃଷି ଯଦି ସଙ୍କଟରେ ପଡ଼େ ତା’ହେଲେ ସେଥିରେ ନିୟୋଜିତ କୋଟିକୋଟି କୃଷି ଶ୍ରମିକଙ୍କ ସ୍ଥିତି ଯେ ଖରାପ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସରକାର ଶିଳ୍ପ ପାଇଁ କ୍ରମାଗତ ଭାବେ ବିପୁଳ ପୁଞ୍ଜି ବିନିଯୋଗ କରୁଥିବା ବେଳେ କୃଷିରେ କିନ୍ତୁ ପୁଞ୍ଜିନିବେଶ କ୍ରମାଗତ ହ୍ରାସ କରୁଛନ୍ତି । ଦେଶର ପ୍ରାୟ ୬୦ ଭାଗ ଲୋକ ନିର୍ଭର କରୁଥିବା କୃଷି ପ୍ରତି ସରକାରୀ ଅବହେଳାର ପରିଣାମ ସ୍ୱରୂପ କୃଷିରେ ସଙ୍କଟ ବଢୁଛି । ଫଳସ୍ୱରୂପ ଏଥିରେ ନିୟୋଜିତ ଲୋକଙ୍କ ଆୟ କ୍ରମାଗତ ଭାବେ ହ୍ରାସ ପାଉଛି । କୃଷି ସଙ୍କଟ କାରଣରୁ କୃଷି ମଜୁରିରେ ସ୍ଥାଣୁତା ଆସିବା ଫଳରେ କୃଷିକ୍ଷେତ୍ରରୁ ଅନ୍ୟ କ୍ଷେତ୍ରକୁ ଶ୍ରମିକ ପଳାୟନ ବୃଦ୍ଧି ପାଇଛି ।
ତୃତୀୟତଃ ଦେଶରେ ଦରବୃଦ୍ଧି ତୁଳନାରେ ମଜୁରିର କ୍ରମାଗତ ହ୍ରାସ । ଗତ ଶତାବ୍ଦୀର ୩୦ ଦଶକରେ ବିଶ୍ୱର ଅର୍ଥନୀତିର ମାନ୍ଦାବସ୍ଥା ସମୟରେ ସରକାରମାନେ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସମାଜର ଶ୍ରମିକ ଶ୍ରେଣୀର ମଜୁରି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ । କାରଣ ଏହା ଜରିଆରେ ବଜାରରୁ କମ୍ପାନୀଙ୍କ ଶିଳ୍ପଜାତ ଦ୍ରବ୍ୟ କ୍ରୟ କରିବାକୁ ଲୋକଙ୍କ କ୍ରୟଶକ୍ତିରେ ବୃଦ୍ଧିର ଆବଶ୍ୟକତା ଥିଲା । ଏହି କ୍ରମରେ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରି ଆଇନ ପ୍ରଣୟନ ହୋଇଥିଲା, କିନ୍ତୁ ଜଗତୀକରଣ ପରେ ଭାରତ ସମେତ ଅନେକ ବିକାଶଶୀଳ ଦେଶରେ ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ମଜୁରିକୁ ନ ବଢ଼ାଇ ସ୍ଥିର ରଖାଗଲା । ନିୟମିତ ନିଯୁକ୍ତି ବଦଳରେ ଅଧିକାଂଶ ପଦରେ ଠିକା କିମ୍ବା ଆଉଟସୋରର୍ସିଂ ନିଯୁକ୍ତି ଦିଆଗଲା । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶ୍ରମ ଆଇନ ସଂଶୋଧନର ଉଦ୍ଦେଶ୍ୟଟି ବି ସେଇୟା ଅଟେ ।
ଚତୁର୍ଥତଃ ନବ ଉଦାର ଅର୍ଥନୀତିରେ ସରକାର ପୁଞ୍ଜିର ସ୍ୱାର୍ଥରେ ବିଭିନ୍ନ ସେବାର ଯେଉଁ ଘରୋଇକରଣ କଲେ ତାହା ବି ଆର୍ଥିକ ବିଷମତା ପାଇଁ ଅନେକ ପରିମାଣରେ ଦାୟୀ । ‘ଅକ୍ସଫାମ୍‌’ ରିପୋର୍ଟରେ ବି ସରକାର ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ସାର୍ବଜନୀନ ସେବାମାନଙ୍କରେ ବ୍ୟୟବରାଦ ହ୍ରାସ କରି ଅସମାନତାକୁ ବଢ଼ାଉଥିବା କଥା କୁହାଯାଇଛି । ଉଭୟ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରମାନେ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା ଏବଂ ଜଳ ଯୋଗାଣ ଆଦି ବାବଦରେ ବାର୍ଷିକ ମୋଟ ୨,୦୮,୧୬୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଯାହାକି ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ଅର୍ଥାତ୍ ୨.୮ ଲକ୍ଷ କୋଟି ଠାରୁ ବି କମ୍ ଅଟେ । ଯେଉଁଠି ଗରିବ ଲୋକଟିଏ ଦିନକୁ ଦୁଇଓଳା ରୁଟି ପାଇଁ ଏବଂ ପିଲାର ଔଷଧ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ସେଠାରେ ଧନୀମାନଙ୍କ ସମ୍ପତ୍ତି କ୍ରମାଗତ ବଢ଼ିବାରେ ଲାଗିଛି ।
ଦେଶରେ ଆର୍ଥିକ ବୈଷମ୍ୟର ଆଉ ଏକ କାରଣ ହେଉଛି ସରକାରଙ୍କ ଗରିବ ବିରୋଧୀ ତଥା ଧନୀ ସପକ୍ଷବାଦୀ ଟିକସ ବ୍ୟବସ୍ଥା । ପୃଥିବୀର ଅନ୍ୟ ଉନ୍ନତ ଦେଶମାନଙ୍କ ତୁଳନାରେ ଆମ ଦେଶରେ ଧନୀ ଲୋକଙ୍କ ଉପରେ ଟିକସର ପରିମାଣ ବହୁତ କମ୍ ଅଟେ । ଏଠାରେ ସମ୍ପତ୍ତି ଟିକସର ବ୍ୟବସ୍ଥା ନାହିଁ । ଉନ୍ନତ ଦେଶମାନଙ୍କରେ ପ୍ରତ୍ୟକ୍ଷ କରର ହାର ଅଧିକ ଅପ୍ରତ୍ୟକ୍ଷ କରର ହାର ବହୁତ କମ୍ ଥିବା ବେଳେ ଆମ ଦେଶରେ ଚିତ୍ରଟି ତା’ର ସମ୍ପୂର୍ଣ୍ଣ ଓଲଟା ଅଟେ । ସରକାର ଧନୀଙ୍କ ଉପରେ ପ୍ରତ୍ୟକ୍ଷ ଟିକସର ପରିମାଣକୁ ବଢ଼ାଇ ଗରିବଙ୍କ ଉପରେ ଥିବା ଅପ୍ରତ୍ୟକ୍ଷ ଟିକସକୁ କମାଇବାକୁ ପଦକ୍ଷେପ ନେଇଥିଲେ ସମାଜରେ ଆର୍ଥିକ ଅସମାନତା କମିଯାଇ ପାରନ୍ତା, କିନ୍ତୁ ସରକାର ଏହାର ବିପରୀତ ଧନୀ ଏବଂ କର୍ପୋରେଟମାନଙ୍କ ଟିକସକୁ କ୍ରମାଗତ କମାଇବାରେ କିମ୍ବା ଛାଡ଼ କରିବାରେ ଲାଗିଥିବା ବେଳେ ଗରିବ ଲୋକଙ୍କ ଉପରେ ଅଯଥା ଟିକସ ବୋଝ ଲଦିବା ଦେଖାଯାଇଛି ।
ଆର୍ଥିକ ବୈଷମ୍ୟରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ଚିନ୍ତାଜନକ ଅଟେ । ଭାରତର ଆର୍ଥିକ ବିକାଶର ଲାଭ ସମସ୍ତଙ୍କୁ ମିଳିବା ପରିବର୍ତ୍ତେ ମାତ୍ର କିଛି ହାତ ଗଣତି ଲୋକ ତାର ସୁଫଳ ପାଇବା ଅତ୍ୟନ୍ତ ବିପଜ୍ଜନକ ଅଟେ । ସମାଜରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ଫସଲ ଉତ୍ପାଦନ କରନ୍ତି, ଭିତ୍ତିଭୂମି ନିର୍ମାଣ କରୁଛନ୍ତି ଏବଂ କାରଖାନାରେ କାମ କରୁଛନ୍ତି ସେମାନେ ନିଜର ସର୍ବନିମ୍ନ ଆବଶ୍ୟକତାରୁ ବଂଚିତ ହେବେ ଏବଂ ଆଉ କିଛି ହାତଗଣତି ଲୋକଙ୍କ ସମ୍ପତ୍ତି ଓ ଆୟର ବୃଦ୍ଧି ହେବ, ଏହି ବ୍ୟବସ୍ଥା ଯେ ବେଶୀ ଦିନ ଚାଲିବ ନାହିଁ, ‘ଅକ୍ସଫାମ୍‌’ ରିପୋର୍ଟ ଆମକୁ ଏହି ବାର୍ତ୍ତା ଦେଇଛି ।

kalyan agarbati
Leave A Reply