ସ୍ୱାଭିମାନୀ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

0

ଅଜିତ୍‌ କୁମାର ଜେନା

prayash

“ପରାର୍ଥକର୍ମଣା ପ୍ରା​‌େ​‌ଜ୍ଞ ଯଶୋଦେହେନ ଜୀବତି”; ଅର୍ଥାତ୍ ଲୋକସେବା ଦ୍ୱାରା ବିଜ୍ଞ ଲୋକ ଯଶୋଦେହେ ବଞ୍ଚି ରହେ।
ଭାରତବର୍ଷର ଇତିହାସ ପୃଷ୍ଠାରେ ଯେଉଁ କେତେକ ବିପ୍ଳବୀ, ବୀର, ସଂଗ୍ରାମୀ, ଯୁଗଜନ୍ମା ପୁରୁଷ ନିଜ ଜନ୍ମଭୂମିର ସୁରକ୍ଷା ପାଇଁ ସମସ୍ତ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇ ଦୁଃଖକଷ୍ଟ ଓ ନିର୍ଯାତନା ବରଣ କରି ଯୁଦ୍ଧରେ ଆତ୍ମବଳି ଦେଇଥିଲେ ସେମାନଙ୍କ ମଧ୍ୟରେ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ସର୍ବାଗ୍ରେ ସ୍ମରଣୀୟ।
ମଣିଷ ମାତ୍ରେ ହିଁ ଚାହେଁ ସ୍ୱାଧୀନ ଜୀବନଯାପନ, କିନ୍ତୁ ଯେତେବେଳେ ଏହା ମିଳେ ନାହିଁ, ସେତେବେଳେ ସେ ହୋଇଯାଏ ସଂଗ୍ରାମୀ ଓ ବିପ୍ଳବୀ। ସଂଗ୍ରାମ ଓ ବିପ୍ଳବ କରି ସ୍ୱାଧୀନତା ପାଇବା ପାଇଁ ଚେଷ୍ଟା କରେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ବାସ୍ତବିକ ବିପ୍ଳବ କରି ପ୍ରାଣବଳି ଦେଇଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ବୀର ସୁରେନ୍ଦ୍ର ସାଏ। ସେ ଏଭଳି ଜଣେ ବିପ୍ଳବୀ ଥିଲେ ଯିଏକି ବ୍ରିଟିଶ ସରକାରଙ୍କର ଅନ୍ୟାୟ, ଅତ୍ୟାଚାର ଓ ଅନୀତି ଆଗରେ ମୁଣ୍ଡ ନ ନୁଆଁଇ ଜୀବନସାରା ସଂଗ୍ରାମ କରିଥିଲେ। ବୀର ସୁରେନ୍ଦ୍ର ସାଏ ଝାରସୁଗୁଡ଼ାର ଚୌହାନ ରାଜପରିବାରରେ ‘ଖିଣ୍ଡା’ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ୧୮୦୯ ଜାନୁଆରୀ ୨୩ରେ। ତାଙ୍କ ପିତାଙ୍କ ନାମ ଥିଲା ଧରମ ସିଂ। ସୁରେନ୍ଦ୍ର, ଉଦନ୍ତ, ଧ୍ରୁବ, ଉଜ୍ଜ୍ୱଳ, ଛବିଳ, ଯାଜିଲ ଓ ମେଦିନୀ ଥିଲେ ତାଙ୍କର ସାତ ପୁଅ ଏବଂ ଏକମାତ୍ର କନ୍ୟା ଥିଲେ ଅଞ୍ଜନା। ସୁରେନ୍ଦ୍ର ଥିଲେ ଧରମ ସିଂଙ୍କର ବଡ଼ପୁଅ । ପିଲାଟି ଦିନରୁ ସୁରେନ୍ଦ୍ରଙ୍କଠାରେ ଦେଖିବାକୁ ମିଳିଥିଲା ଅପୂର୍ବ ସାହସିକତା ଓ ବୀରତ୍ୱଭାବ। ବାଲ୍ୟକାଳରେ ସେ ଫିଙ୍ଗିଥିବା ଇଟାଦ୍ୱାରା କିମ୍ବା ତୀର ଦ୍ୱାରା ଉଡୁଥିବା ଚଢ଼େଇମାନଙ୍କୁ ଓ ଗଛରୁ ଫଳଗୁଡ଼ିକୁ ତଳେ ପକେଇ ଦେଉଥିଲେ। ୧୮୨୭ ମସିହାରେ ମାତ୍ର ୧୮ ବର୍ଷ ବୟସରେ ଆରମ୍ଭ କରିଥିଲେ ବ୍ରିଟିଶ ବିରୋଧରେ ଆନ୍ଦୋଳନ। ୧୮୨୭ରୁ ୧୮୩୩ ପର୍ଯ୍ୟନ୍ତ ସେ ପ୍ରତ୍ୟକ୍ଷ ଆନ୍ଦୋଳନରେ ସାମିଲ ନ ହୋଇ ନିଜର ସଂଗଠନକୁ କିପରି ସୁଦୃଢ଼ ହେବ ସେ ଚେଷ୍ଟା କରିଥିଲେ। ବିଦେଶୀ ଶାସକଙ୍କୁ ବାହାର କରିବାକୁ ସେ ପ୍ରଜାମେଳି କରି ବିଦ୍ରୋହ ରଚନା କରିଥିଲେ ଏବଂ ପ୍ରତ୍ୟକ୍ଷ ଭାବରେ ନେତୃତ୍ୱ ନେଇ ଆନ୍ଦୋଳନକୁ ତୀବ୍ରତର କଲେ। ପ୍ରତ୍ୟକ୍ଷ ଯୁଦ୍ଧରେ ସର୍ବଦା ପରାଜିତ ଇଂରେଜ ଶାସକ କୌଶଳ କରି ସୁରେନ୍ଦ୍ର, ଉଦନ୍ତ ଓ ତାଙ୍କର କକା ବଳରାମ ସିଂଙ୍କୁ ବନ୍ଦୀ କଲେ। ୧୮୪୦ ମସିହାରେ ନରହତ୍ୟା ଅପରାଧରେ ହଜାରିବାଗ କାରାଗାରରେ ବନ୍ଦୀ ହୋଇ ରହିଲେ। ଏହାପରେ ଦେଶର ସବୁଆଡ଼େ ୧୮୫୭ ମସିହା ଜୁଲାଇ ୩୦ରେ ସଂଘଟିତ ସିପାହି ବିଦ୍ରୋହର ସଂଗ୍ରାମୀମାନେ ହଜାରିବାଗ କାରାଗାର ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ସେତେବେଳେ ୧୮୫୭ ଜୁଲାଇ ୩୧ରେ ବୀର ସୁରେନ୍ଦ୍ର ସାଏ ମୁକ୍ତହୋଇ କେନ୍ଦୁଝର ଜଙ୍ଗଲ ପଥ ଦେଇ ସମ୍ବଲପୁର ଆସି ପ୍ରଜାମାନଙ୍କୁ ପୁଣି ମିଳିତ କରି ଦ୍ୱିତୀୟବାର ବିଦ୍ରୋହର ବହ୍ନି ପ୍ରଜ୍ଜ୍ୱଳିତ କଲେ। ସୁରେନ୍ଦ୍ର ସାଏଙ୍କର ଏହି ବିପ୍ଳବରେ ଭୟଭୀତ ହୋଇ ଇଂରେଜ କ୍ୟାପ୍ଟେନ୍ ତାଙ୍କୁ ଗୃହବନ୍ଦୀ କଲେ। ସେ କିନ୍ତୁ ସେଠାରୁ ଖସିଯାଇ ପୁଣି ବିପ୍ଳବ ଚଳାଇଥିଲେ। ଡିସେମ୍ବର ମାସ ବେଳକୁ ବିଦ୍ରୋହ ଅଧିକ ଭୟାନକ ଓ ରୋମାଞ୍ଚକର ହେଲା। ସୁରେନ୍ଦ୍ର ସାଏଙ୍କର ସାମରିକ କୌଶଳ, ବୁଦ୍ଧି, ଅଧ୍ୟବସାୟ ତଥା ଅଶ୍ୱଚାଳନା କୌଶଳରେ ସ୍ୱତନ୍ତ୍ରତା ଥିଲା। ୧୮୫୭-୫୮ ମସିହା ସମ୍ବଲପୁର ବିଦ୍ରୋହରେ ସୁରେନ୍ଦ୍ର ଓ ତାଙ୍କ ପରିବାର ଘେଁସ ଜମିଦାର ମାଧୋ ସିଂ ଓ ତାଙ୍କ ପରିବାର ଏବଂ ଅନ୍ୟାନ୍ୟ ବହୁ ବିଦ୍ରୋହୀ ସାମିଲ ହୋଇ ବୀରତ୍ୱ ଓ ଦେଶପ୍ରେମର ପରିଚୟ ଦେଇଥିଲେ। ପରବର୍ତ୍ତୀ ସମୟରେ ୧୮୬୧ ମସିହାରେ ଡେପୁଟି କମିସନର ରୂପେ ମେଜର ଇମ୍ଫେଙ୍କ କୂଟନୀତି, କମ୍ବର ଲେଜର ସନ୍ଦେହ ଏବଂ ମୋହନ ସିଂ ଦୟାନିଧି ମେହେର ଓ ଭୁବନ ଗୌନ୍ତିଆଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ନିଶାଦ୍ରବ୍ୟଯୁକ୍ତ ଖାଦ୍ୟ ଖୁଆଇ ସୁପ୍ତ ଅବସ୍ଥାରେ ୧୮୬୪ ମସିହାରେ ଜାନୁଆରୀ ୨୩ ପୁଷ ପୂନେଇଁ ତାଙ୍କ ଜୟନ୍ତୀ ତିଥିରେ ଗିରଫ କରାଗଲା। ପୁନଶ୍ଚ ଅପରାଧ ଆରୋପ ପୂର୍ବକ ତାଙ୍କୁ ଆଜୀବନ କାରାଦଣ୍ଡର ଆଦେଶ ଦେଇ ସୁଦୂର ମହାରାଷ୍ଟ୍ରର ଅସୁରଗଡ଼ କାରାଗାରରେ ରଖାଗଲା। ସେହିଠା​‌େ​‌ର ହିଁ ଦୀର୍ଘଦିନ ଯନ୍ତ୍ରଣାଦାୟକ ବନ୍ଦୀ ଜୀବନ ଅତିବାହିତ କରି ସେ ଦୃଷ୍ଟିଶକ୍ତି ହରାଇଥିଲେ। ୧୮୮୪ ମସିହା ଫେବୃଆରୀ ୨୮ ତାରିଖ ଅପରାହ୍ଣ ଗୋଟେବେଳେ ୭୫ ବର୍ଷ ବୟସରେ ଜନନାୟକ ବୀର ସୁରେନ୍ଦ୍ର ସାଏଙ୍କର ଜୀବନପ୍ରଦୀପ ନିର୍ବାପିତ ହେଲା।
ସେ ହେଉଛନ୍ତି ପୃଥିବୀର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଯିିଏକି ଦୁଇ ଦଫାରେ ୩୫ ବର୍ଷକାଳ ବନ୍ଦୀ ଜୀବନ ବିତାଇଥିଲେ। ଜନ୍ମଭୂମି ଜନ୍ମମାଟି ନିମନ୍ତେ ଘରଦ୍ୱାର, ଜ୍ଞାତି, କୁଟୁମ୍ବ, ଗ୍ରାମ ଓ ସର୍ବସ୍ୱ ତ୍ୟାଗ କରି ଯେଉଁ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରି ଶେଷରେ ଜାତି ପାଇଁ ସହିଦ ହେଲେ ସେଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ। ତାଙ୍କର ସମସ୍ତ ତ୍ୟାଗ, ବୀରତ୍ୱ, ବିପ୍ଳବ, ସଂଗ୍ରାମ, ପ୍ରେରଣା ଆମ ଦେଶ ଓ ଜାତିକୁ ଚିରକାଳ ଉଦ୍‌ବୁଦ୍ଧ କରି ରଖିବ। ସେ ଆଜି ମରି ମଧ୍ୟ ଅମର ହୋଇ ରହିଛନ୍ତି କୋଟିକୋଟି ଜନତାଙ୍କ ହୃଦୟରେ ଜଣେ ସ୍ୱାଭିମାନୀ ବୀର ସଂଗ୍ରାମୀ ଭାବରେ। ସେହି ସଂଗ୍ରାମୀ ବୀରଙ୍କୁ ଆଜିର ପୁଣ୍ୟତିିଥିରେ କୋଟି ପ୍ରଣାମ।
ବିଜ୍ଞାନ ଶିକ୍ଷକ, ରଘୁନାଥ ଉଚ୍ଚ ବିଦ୍ୟାଳୟ,
ରାଇକମା, ମୟୂରଭଞ୍ଜ

kalyan agarbati
Leave A Reply