ନିଆଁରେ ପୋଡି ମାଁ ଓ ଝିଅଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପୁତ୍ର ଓ ନାତି ଗିରଫ, କ୍ରାଇମ ସିନ ରିକ୍ରେଏସନ
ସମ୍ବଲପୁର: ସମ୍ବଲପୁରର ସଦର ଥାନା ଅନ୍ତର୍ଗତ ମାନେଶ୍ୱରର ହାଟପଦା ଠାରେ ମଙ୍ଗଳବାର ରାତ୍ରିରେ ନିଆଁରେ ପୋଡି ଯାଇ ମୃତୁବରଣ କରିଥିବା ବରିଷ୍ଠ ମହିଳା ସ୍ନେହଲତା ଦୀକ୍ଷିତ (୯୮) ଓ ତାଙ୍କର ଝିଅ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨) ଘଟଣାରେ ମୃତକଙ୍କ ପୁତ୍ର ଜଗନ୍ନାଥ (୫୮) ଓ ତାଙ୍କର ନାତି ସଙ୍କେତ (୨୬) ଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି। ମୃତ ସ୍ନେହଲତାଙ୍କ ସାନ ଝିଅ ଇନ୍ଦ୍ରାଣୀ ପୁରୋହିତଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ପୁଲିସ ମାମଲା ସଂଖ୍ୟା ୨୯୬/୨୦୨୪ ରୁଜୁ କରି ଘଟଣାର ତଦନ୍ତ ସମୟରେ ବାପ ଓ ପୁଅଙ୍କୁ ଗିରଫ କରିଛି ବୋଲି କହିଛି।
ଅତିରିକ୍ତ ଏସପି ଅଜୟ ମିଶ୍ରଙ୍କ ଗଣମାଧ୍ୟମକୁ ଦେଇଥିବା ସୂଚନାନୁଯାୟୀ, ଏହି ମାମଲାର ତଦନ୍ତ ସମୟରେ ବଳିଷ୍ଠ ପ୍ରମାଣ ମିଳିବା ପରେ ମୃତକଙ୍କ ପୁତ୍ର ଜଗନ୍ନାଥ ଓ ନାତି ସଙ୍କେତକୁ ଗିରଫ କରାଯାଇଛି। ସାଇନ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ପ୍ରମାଣ ସଂଗ୍ରହ କରିଛନ୍ତି। ପ୍ରାଥମିକ ତଦନ୍ତରେ ଏହା ଅପରାଧିକ ଘଟଣା ପଛରେ ସମ୍ପତ୍ତି ବିବାଦ ରହିଛି। ବିଭିନ୍ନ ଦିଗରୁ ତଦନ୍ତ କରି ଆହୁରୀ ପ୍ରମାଣ ସଂଗ୍ରହ କରାଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ମିଶ୍ର କହିଛନ୍ତି।
ଅପରପକ୍ଷରେ ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନାନୁଯାୟୀ, ଅପରାହ୍ନ ପ୍ରାୟ ସାଣେ ୫ଟା ସମୟରେ ଗିରଫ ବାପ ଓ ପୁଅଙ୍କୁ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ ସିନ ରିକ୍ରେୟେସନ କରାଯାଇଛି। ପ୍ରଥମେ ହାଟପଦା ସ୍ଥିତ ଘରର ତଳ ମହଲାକୁ ନିଆଯିବା ପରେ ଉପର ମହଲାକୁ ନିଆଯାଇଥିଲା। ସେଠାରେ ସେମାନେ କିଭଳି ସ୍ନେହଲତାଙ୍କୁ ଶ୍ୱାସରୁଦ୍ଧ କରି ମାରିଥିବା ଦେଖାଇଥିବା ବେଳେ ସୈରେନ୍ଦ୍ରୀଙ୍କୁ ମଧ୍ୟ ପ୍ରଥମେ ତଣ୍ଟି ଚିପି ହତ୍ୟା କରିବା ପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପେଟ୍ରୋଲ ଗୁଡିକୁ ୨ଟି ବୋତଲରେ ନାତି ସଙ୍କେତ ଆଣିଥିବା ବେଳେ ହତ୍ୟା ପରେ ସେମାନେ ବୋତଲ ଗୁଡିକୁ ତାଙ୍କର ବାରି ପଟରେ ଫିଙ୍ଗି ଦେଇଥିଲେ।
ହତ୍ୟାକୁ ଦୁର୍ଘଟଣା ରୂପ ଦେବା ପାଇଁ ଗ୍ୟାସ ଚୁଲାର ୨ଟି ବର୍ଣ୍ଣରକୁ ଜଳାଇ ଦେଇଥିଲେ। ସେମାନଙ୍କର ସମ୍ପତ୍ତି ବିବାଦ ଦୀର୍ଘ ୪୦-୪୫ ବର୍ଷ ହେବ ଚାଲିଥିଲା। ସେମାନେ ପ୍ରଥମେ ସୈରେନ୍ଦ୍ରୀଙ୍କୁ ହତ୍ୟା କରିବା ପରେ ସ୍ନେହଲତାଙ୍କୁ ହତ୍ୟା କରିଥିଲେ। ଏହା ପରେ ଭିତର ପଟରୁ କବାଟ ବନ୍ଦ କରି ଅନ୍ୟ ପଟରୁ ଡେଇଁ ତଳ ମହଲାକୁ ଉଭୟେ ଆସିଥିଲେ। ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ରାତ୍ରି ସମୟରେ ହାଟପଦା ସ୍ଥିତ ସ୍ନେହଲତା ରହୁଥିବା ଘରର ଉପର ମହଲାରେ ନିଆଁ ଲାଗିଥିବା ଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘରର ତଳ ମହଲାରେ ରହୁଥିବା ତାଙ୍କର ପୁତ୍ର ଜଗନ୍ନାଥଙ୍କୁ ଖବର ଦେଇଥିଲେ।
ଏହା ପରେ ଖବର ପାଇ ଅଗ୍ନିଶମ ଓ ପୁଲିସ ଦଳ ପହୁଞ୍ôଚ ନିଆଁକୁ ଆୟତ୍ତ କରିବା ପରେ ଦେଖାଯାଇଥିଲା ଯେ, ସୈରେନ୍ଦ୍ରୀ ପୋଡି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ କୋଠରୀରେ ଶଯ୍ୟାଶାୟୀ ରହିଥିବା ସ୍ନେହଲତା ମଧ୍ୟ ମୃତ୍ୟୁବରଣ କରିସାରିଥିଲେ। ଏହି ଘଟଣା ପରେ ସୈରେନ୍ଦ୍ରୀଙ୍କ ସାନ ଭଉଣୀ ଇନ୍ଦ୍ରାଣି ଏହା ସମ୍ପତ୍ତି ଜନିତ ହତ୍ୟାକାଣ୍ଡ ଏବଂ ଏହା ପଛରେ ତାଙ୍କର ଭାଇ ଓ ତାଙ୍କର ପରିବାରବର୍ଗ ସାମିଲ ଥିବାର ଅଭିଯୋଗ ଆଣିବା ସହିତ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହାର ତଦନ୍ତ ସମୟରେ ବାପ ଓ ପୁଅଙ୍କୁ ଗିରଫ କରିବା ପରେ ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ ବୋଲି କୁହାଯାଉଥିବା ଏହି ଘଟଣା ପାଇଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆହୁରୀ ଗୁମର ଖୋଲିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।
Comments are closed.