www.samajalive.in
Wednesday, December 10, 2025
26.1 C
Bhubaneswar

୧୧୦୬ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟରେ ୧୧୦୬ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର କରାଯାଇଛି। ସବୁ କେନ୍ଦ୍ରରେ ସିସିଟିଭି ଲଗାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ପରୀକ୍ଷା କରାଯିବ ନାହିଁ। ଅପରପକ୍ଷରେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, କଟକ ରେଭେନ୍ସା ମହାବିଦ୍ୟାଳୟ ଏବଂ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ କଲେଜ ଚାଲୁଥିବାରୁ ସେସବୁ ପରୀକ୍ଷା କେନ୍ଦ୍ରରେ ଅସ୍ଥାୟୀ ସିସିଟିଭି ସ୍ଥାପନ ପାଇଁ କୁହାଯାଇଛି। ସେହିପରି କପି ଓ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ କେନ୍ଦ୍ର ପରିସରରେ ମୋବାଇଲ୍‌ ଫୋନ୍‌ ବ୍ୟବହାରକୁ ନିଷେଧ ସାଙ୍ଗକୁ ପୂର୍ବବର୍ଷ ଭଳି ଜିଲାପାଳ ଓ ଏସ୍‌ପି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ତଦାରଖ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ କହିଛନ୍ତି ଯେ ସିଏଚ୍‌ଏସ୍‌ଇ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ୍‌ ପରୀକ୍ଷା ଜାନୁଆରୀ ୨୮ରୁ ଫେବୃଆରୀ ୮ ଏବଂ ମାର୍ଚ୍ଚ ୭ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରାକ୍ଟିକାଲ୍‌ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ସବୁ ଥିଓରୀ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାକୁ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ପରୀକ୍ଷା ନିରୀକ୍ଷକ, ପର୍ଯ୍ୟବେକ୍ଷକ ଆଦି ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ନେବାକୁ ନିଷେଧ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ କହିଛନ୍ତି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ବାର୍ଷିକ ପରୀକ୍ଷା ୧୧୦୬ କେନ୍ଦ୍ରରେ ଅନୁଷ୍ଠିତ ହେବ ଏବଂ ଏଥିରେ ୩ଲକ୍ଷ ୬୭ହଜାର ୫୦୦ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିମଧ୍ୟରୁ ସର୍ବାଧିକ କଳାରେ ୨ଲକ୍ଷ ୩୪ହଜାର, ବିଜ୍ଞାନରେ ୯୦ହଜାର, ବାଣିଜ୍ୟରେ ୨୭,୫୦୦ ଏବଂ ଧନ୍ଦାମୂଳକ ଶିକ୍ଷାରେ ୭,୫୦୦ଜଣ ପରୀକ୍ଷାର୍ଥୀ ରହିଛନ୍ତି।
ଯୁକ୍ତ ଦୁଇ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ କପି ରୋକିବା ପାଇଁ ପରିଷଦ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପରିଷଦରୁ ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ଓ ଉତ୍ତଖାତା ପଠାଇବା, ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆୟୋଜନ ଏବଂ ପରୀକ୍ଷା ସମୟରେ ରୋକିବା ପାଇଁ ପାଞ୍ଚଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରରେ ସ୍କ୍ୱାଡ୍ ଗଠନ କରାଯିବା ସହିତ ଜିଲାସ୍ତରୀୟ, ଜୋନ୍‌ସ୍ତରିୟ ଏବଂ ପରିଷଦସ୍ତରୀୟ ସ୍ୱାଡ୍ ମଧ୍ୟ ଗଠନ କରାଯାଇଛି । କେବଳ ଏତିକି ନୁହଁ, ସମସ୍ତ ପରୀକ୍ଷାକେନ୍ଦ୍ରରେ ଅଚାନକ ଯାଞ୍ଚ ପାଇଁ ଅନ୍ୟ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରତ୍ୟେକ ଜିଲା ନିମନ୍ତେ ଫ୍ଲାଇଂ ସ୍କ୍ୱାଡ୍ ଗଠନ ସାଙ୍ଗକୁ ଏହାକୁ ଜିଲାସ୍ତରୀୟ ପରାମର୍ଶଦାତା ଅବା ଡିଏଲ୍‌ସି ପରିଚାଳନା କରିବେ ବୋଲି କୁହାଯାଇଛି।
ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ରାଜ୍ୟକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ଦକ୍ଷିଣ(ବ୍ରହ୍ମପୁର), ଦ୍ୱିତୀୟ ଉତ୍ତର(ବାରିପଦା) ଏବଂ ତୃତୀୟ ହେଉଛି ପଶ୍ଚିମ(ସମ୍ବଲପୁର)। ୩ଜଣ ଉପସଚିବପାହ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତ୍ୟେକ ସ୍କ୍ୱାଡ ଦିନକୁ ଦୁଇଟି କଲେଜ୍ ପରିଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories